ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ, କିଛି ରାଜ୍ୟରେ ଦେଖା ଦେଇଥିବା ଆଭ୍ୟନ୍ତରୀଣ କନ୍ଦଳ ଓ ନେତାମାନେ ତୁହାକୁ ତୁହା ଦଳ ଛାଡ଼ି ଚାଲି ଯାଉଥିବା ଘଟଣାରେ କଂଗ୍ରେସ ଦଳ ଭିତରେ ବଡ଼ ଧରଣର ହଇଚଇ ସୃଷ୍ଟି ହୋଇଛି। ଶୁକ୍ରବାର ଦିନ ରାହୁଲ ଗାନ୍ଧି ତାଙ୍କ ନିର୍ବାଚନ ମଣ୍ଡଳୀ କେରଳର ୱାଏନାଡ ଗସ୍ତ କରିବା ଭିତରେ ଖବର ଆସୁଛି ଯେ ଯଦି ସେ କଂଗ୍ରେସ ସଭାପତି ପଦ ଛାଡ଼ିବା ନିଷ୍ପତ୍ତିରେ ଶେଷ ପର୍ଯ୍ୟନ୍ତ ଅଟଳ ରହନ୍ତି ତେବେ ଦଳ ଦୁଇଟି କାର୍ଯ୍ୟକାରୀ ସଭାପତି ପଦ ସୃଷ୍ଟି କରିବ।

ଏଭଳି ଏକ ଆଲୋଚନା ଢେର ଆଗେଇଛି ଓ ଖୁବ୍ ଶୀଘ୍ର ଏ ସଂକ୍ରାନ୍ତରେ ଘୋଷଣା କରାଯିବ। କଂଗ୍ରେସର ନୂଆ ଉତ୍ତରାଧିକାରୀ କିଏ ହେବେ ସେହି ବିଷୟ ଉପରେ ଘମାଘୋଟ ମନ୍ଥନ ପରେ ଏହି ଫର୍ମୁଲା ବାହାରିଥିବା କୁହାଯାଉଛି। ଯଦି ଦୁଇ ଜଣ କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହୁଅନ୍ତି ତାଙ୍କ ଭିତରୁ ଜଣେ ଦକ୍ଷିଣ ଭାରତରୁ ହେବେ। ଆହୁରି ମଧ୍ୟ ଆଲୋଚନା ହେଉଛି ଯେ ଅନୁସୂଚିତ ଜାତି ଓ  ଜନଜାତି ବର୍ଗରୁ ଜଣକୁ ଏହି ପଦବୀରେ ବସା ଯାଇପାରେ।

ଦଳୀୟ ସୂତ୍ର ଅନୁସାରେ ଏ ନେଇ କିଛି ନାମ ବି ପ୍ରସ୍ତାବ କରାଯାଇଛି। ଅନୁସୂଚିତ ଜାତିର ନେତା ସୁଶୀଲ ସିନ୍ଧେ ଓ ମଲ୍ଲିକାର୍ଜୁନ ଖର୍ଗେଙ୍କ ନାମ ଆଗକୁ ଆସିଥିବା ଜଣାପଡ଼ିଛି। ଏଥି ସହିତ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ବି ଉଠୁଛି। କୁହାଯାଉଛି, ନୂଆ ସଂସଦର କାର୍ଯ୍ୟ ଆରମ୍ଭ ପୂର୍ବରୁ ଏହି ନୂଆ ପଦବୀ ବ୍ୟବସ୍ଥାକୁ ଲାଗୁ କରି ଦିଆଯିବ। ଆଗରୁ ପ୍ରସ୍ତାବ ଆସିଥିଲା ଯେ ପୂର୍ବ, ପଶ୍ଚିମ,ଦକ୍ଷିଣ ଓ ଉତ୍ତର ଏହିଭଳି ୪ ଜଣ କାର୍ଯ୍ୟକାରୀ ସଭାପତିଙ୍କୁ ନିଯୁକ୍ତି ଦିଆଯିବ। ତେବେ ଏହି ସଂଖ୍ୟାକୁ ଦୁଇରେ ସୀମିତ ରଖିବା ପାଇଁ ଅପାତତଃ ନିଷ୍ପତ୍ତି ନିଆଯାଇଛି।

ଆହୁରି ଖବର ଆସୁଛି ଯେ ଯେଉଁ ଆଞ୍ଚଳିକ ନେତା ନିର୍ବାଚନରେ ସମ୍ପୂର୍ଣ୍ଣ ସହଯୋଗ କରିନାହାନ୍ତି ସେମାନଙ୍କୁ ଏଥିପାଇଁ ଭୀଷଣ ମୂଲ୍ୟ ଦେବାକୁ ହେବ। ଏହି କ୍ରମରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟଙ୍କ ନାମ ଶୁଣାଯାଉଛି।

ତେଣେ ଦଳର ବରିଷ୍ଠ ନେତା ବୀରାପ୍ପା ମୋଇଲି ସଭାପତି ପଦରୁ ଇସ୍ତଫା ନଦେବା ପାଇଁ ରାହୁଲଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରି ରାହୁଲ କଦାପି ଦଳର ଅଧ୍ୟକ୍ଷ ପଦ ଛାଡ଼ି ପାରିବେ ନାହିଁ।

Comment