ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନେଇ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଦେଇଥିବା ନିଜ ମନ୍ତବ୍ୟକୁ ଫେରାଇ ନେଇଛନ୍ତି। କିଛିଦିନ ତଳେ ପିସିସି ପଦ ପାଇଁ ନିରଞ୍ଜନଙ୍କ ଅଯୋଗ୍ୟ ବୋଲି କହୁଥିବା ତାରା ଏବେ ନରମି ଯାଇ ତାଙ୍କୁ ବଡ଼ ଭାଇ କହିଛନ୍ତି। ସେହିପରି ବିଧାୟକ ନରସିଂହ ମିଶ୍ରଙ୍କୁ ସ୍ଵାଭିମାନୀର ଆଖ୍ୟା ଦେଇ ତାଙ୍କୁ ଭଗବାନ ବୋଲି କହିଛନ୍ତି ତାରା।

ଜିଲ୍ଲା ହେଉ କି ରାଜ୍ୟ, କଂଗ୍ରେସର ସଂଗଠନ ଉପରେ ଆଲୋଚନା କରି ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ଜୟପୁର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି। ନିକଟରେ ମଧ୍ୟ ସେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ବିଷୟରେ କଡ଼ା ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିଲେ।

“ପିସିସି ପଦ ପାଇଁ ନିରଞ୍ଜନ ପଟ୍ଟନାୟକ ଅଯୋଗ୍ୟ ଅଟନ୍ତି। ତାଙ୍କର ବୟସ ହୋଇ ଗଲାଣି। ତେଣୁ ସେ ପିସିସି ପଦ ଛାଡ଼ି ଦିଅନ୍ତୁ”, କହିଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି।ତାରାଙ୍କ ଏପରି ମନ୍ତବ୍ୟ ପରେ ପିସିସି ପକ୍ଷରୁ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ସାମ୍ଵାଦିକ ସମ୍ମିଳନୀ କରି ତାଙ୍କୁ ଟାର୍ଗେଟ କରିଥିଲେ। କଂଗ୍ରେସର ଏହି କନ୍ଦଳକୁ ନେଇ ଚାରିଆଡ଼େ ଚର୍ଚ୍ଚା ଲାଗି ରହିଥିବା ବେଳେ ଏବେ ତାରା ହଠାତ୍ ନିଜର ମନ୍ତବ୍ୟ ବଦଳାଇ ୟୁ-ଟର୍ଣ୍ଣ ନେଇଛନ୍ତି।

“ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଅଯୋଗ୍ୟ ବୋଲି ମୁଁ ରାଗ ଅଭିମାନରେ କହିଥିଲି। ସେ ମୋ ବଡ଼ ଭାଇ, ମୁଁ ତାଙ୍କ ସାନ ଭାଇ। କଂଗ୍ରେସ ଏବେ ବ୍ୟକ୍ ଫୁଟ୍‌ରେ ଅଛି। ସମସ୍ତଙ୍କୁ ଏକାଠି କରି ଆମକୁ ଆଗକୁ ବଢ଼ିବାକୁ ପଡ଼ିବ। ନିରଞ୍ଜନ ବାବୁ ପିସିସି ସଭାପତି ଥିବା ଯାଏଁ ତାଙ୍କ ନେତୃତ୍ଵରେ କଂଗ୍ରେସ ଆଗକୁ ଯିବ।” କହିଛନ୍ତି ତାରା ପ୍ରସାଦ ବାହିନୀପତି।ଚେଲ୍ଲା କୁମାରଙ୍କ ସହ ଆଲୋଚନା ପରେ ବଦଳିଲା ତାରାଙ୍କ ମନ୍ତବ୍ୟ

ନିରଞ୍ଜନଙ୍କୁ ନେଇ ନିଜର ମନ୍ତବ୍ୟ ବଦଳାଇବା ବେଳେ ତାରା କହିଛନ୍ତି ଯେ, ସେ ରବିବାର ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ସହ ବହୁ ସମୟ ଫୋନ୍‌ରେ ଆଲୋଚନା କରିଥିଲେ। ନିରଞ୍ଜନ ଏବଂ ତାଙ୍କ ମଧ୍ୟରେ ହୋଇଥିବା ବିବାଦ ବିଷୟରେ ସେମାନେ କଥା ହୋଇଥିଲେ। ନିରଞ୍ଜନ ପଟ୍ଟନାୟକଙ୍କ ସହ ମଧ୍ୟ ସେ ଆଲୋଚନା କରିବା କଥା କହିଛନ୍ତି। ଏହାପରେ ସେ ନିଜର ମନ୍ତବ୍ୟ ବଦଳାଇଛନ୍ତି। ତେଣୁ ଚେଲ୍ଲାଙ୍କ ହସ୍ତକ୍ଷେପ ପରେ ହିଁ ତାରା ୟୁ-ଟର୍ଣ୍ଣ ନେଇଥିବା କୁହାଯାଇପାରେ।ନରସିଂହ ମିଶ୍ର ମୋ ପାଇଁ ଭଗବାନ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ନିଜର ବଡ଼ ଭାଇ ବୋଲି କହିଥିବା ବେଳେ ବିଧାୟକ ନରସିଂହ ମିଶ୍ରଙ୍କୁ ଭଗବାନ ବୋଲି କହିଛନ୍ତି ତାରା। ନିରସିଂହ ମିଶ୍ର ବିଜେଡି ସହ ସଲାସୁତୁରା କରୁଛନ୍ତି ବୋଲି ପୂର୍ବରୁ ତାରା କହିଥିବା ଅନେକ ପତ୍ରପତ୍ରିକାରେ ଛପା ହୋଇଛି। ଏହାକୁ ମିଥ୍ୟା ଦର୍ଶାଇ ତାରା କହିଛନ୍ତି, “ନରସିଂହ ମିଶ୍ର ମୋ ପାଇଁ ଭଗବାନ ଭଳିଆ। ସେ ଜଣେ ଜ୍ଞାନୀ, ମାନୀ ଏବଂ ସ୍ଵାଭିମାନୀ ଲୋକ। ସେ କେବେ କାହା ସହିତ କମ୍ପରମାଇଜ୍ କରନ୍ତିନି।”

କିଛିଦିନ ତଳେ କୋରାପୁଟ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ଏକ ସଭାକୁ ତାରା ଏବଂ ତାଙ୍କ ପତ୍ନୀ ତଥା ଜିଲ୍ଲା କଂଗ୍ରେସ ସଭାନେତ୍ରୀଙ୍କୁ ଡକା ନ ଯିବା ଏବଂ ଦଳରୁ ଇସ୍ତଫା ଦେଇଥିବା ପୂର୍ବତନ ବିଧାୟକ କୈଳାଶ କୁଲେସିକାଙ୍କ ଉକ୍ତ ସଭାରେ ଉପସ୍ଥିତି ଘଟଣାକୁ ନେଇ ତମ୍ଵି ତୋଫାନ କରିଥିଲେ ତାରା। ଏହି ଘଟଣାରେ ସେ ସିଧାସଳଖ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଟାର୍ଗେଟ କରି କଡ଼ା ମନ୍ତବ୍ୟ ଦେଇଥିଲେ। ଏପରିକି ସେ କଂଗ୍ରେସ ଛାଡ଼ିବେ କିମ୍ଵା ପ୍ରସଙ୍ଗକୁ ହାଇକମାଣ୍ଡଙ୍କ ପାଖକୁ ନେବେ ବୋଲି ଚେତାବନୀ ଦେଇଥିଲେ। ହେଲେ ଏବେ ନିରଞ୍ଜନ ଏବଂ ତାଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ହୋଇସାରିଥିବା ତାରା କହିଛନ୍ତି।

Comment