ଓଡ଼ିଶାଲାଇଭ୍ ବ୍ୟୁରୋ

କଂଗ୍ରେସ ଦଳ ଭିତରେ ରହିଥିବା ବିରୋଧର ସ୍ଵର ଏବେ ତେଜିବାରେ ଲାଗିଛି। ପିସିସି ସଭାପତି ପରିବର୍ତ୍ତନକୁ ନେଇ ଲାଗି ରହିଥିବା ଚର୍ଚ୍ଚା ଏବେ ଜୋର ଧରିଛି। କେବଳ ପିସିସି ସଭାପତି ନୁହନ୍ତି କଂଗ୍ରେସ ବିଧାୟକ ଦଳର ନେତା ବଦଳାଇବାକୁ ମଧ୍ୟ ସ୍ଵର ଉଠିଛି।

ଦୀର୍ଘ ଦିନ ହେଲା ପିସିସି ସଭାପତି ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଓଡ଼ିଶାରେ କିଏ ହେବ ନୂଆ ପିସିସି ସଭାପତି ତାକୁ ନେଇ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢ଼ିଛି। ପିସିସି ସଭାପତି ଦୌଡ଼ରେ ଶରତ ପଟ୍ଟନାୟକ, ଜୟଦେବ ଜେନା, ଭକ୍ତ ଦାସ, ଚିରଞ୍ଜୀବ ବିଶ୍ଵାଳ ଏବଂ ମହମ୍ମଦ ମୋକିମ ସାମିଲ ରହିଥିବା ଶୁଣିବାକୁ ମିଳୁଥିବାବେଳେ ବିଧାୟକଙ୍କ ମଧ୍ୟରୁ ଜଣକୁ ସଭାପତି କରିବାକୁ ଦାବି ହେଉଛି।

ପିସିସି ସଭାପତି ପରିବର୍ତ୍ତନକୁ ନେଇ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି, “ପିସିସି ସଭାପତି ପରିବର୍ତ୍ତନ ହେବା ସୁନିଶ୍ଚିତ। ଜଣେ ବିଧାୟକଙ୍କୁ ସଭାପତି କରାଯିବା ଆବଶ୍ୟକ। ଯଦି ବିଧାୟକଙ୍କୁ ବାଦ୍ ଦେଇ ଅନ୍ୟ କାହାରିକୁ ସଭାପତି ପଦରେ ନିଯୁକ୍ତି ଦିଆଯାଏ ତେବେ ଅସନ୍ତୋଷ ନିଶ୍ଚିତ ବଢ଼ିବ”।

ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ରଖି ତାରା ବାହିନୀପତି କହିଛନ୍ତି, ଜଣେ ବିଧାୟକଙ୍କୁ ପିସିସି ସଭାପତି କରାଗଲେ  ତାଙ୍କ ଦଳର ସମସ୍ତ ବିଧାୟକ ଏକାଠି ହୋଇ କାମ କରିବେ। ଏକାଠି ମିଶି କାମ କରିବା ଫଳରେ ଦଳର ସଂଗଠନ ମଜବୁତ ହୋଇପାରିବ।

ଏଣେ ତାରା ବାହିନୀପତିଙ୍କ କଥାକୁ ସର୍ଥନ ଜଣାଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ। ସେ ମଧ୍ୟ କହିଛନ୍ତି ଜଣେ ବିଧାୟକ ପିସିସି ସଭାପତି ହେଲେ ଭଲ। ଯଦି ବିଧାୟକଙ୍କ ସ୍ଥାନରେ ହାଇକମାଣ୍ଡ ଅନ୍ୟ କାହାରିକୁ ସଭାପତି କରନ୍ତି ତେବେ ବି ଆମେ ତାଙ୍କୁ ସମର୍ଥନ କରିବୁ ବୋଲି କହିଛନ୍ତି ଅଧିରାଜ ପାଣିଗ୍ରାହୀ।

ଅନ୍ୟ ପଟେ ପିସିସି ସଭାପତି ପରିବର୍ତ୍ତନକୁ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା କହିଛନ୍ତି, “ଦଳର ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଆମେ ତାକୁ ଗ୍ରହଣ କରିବୁ। କେବଳ ପିସିସି ସଭାପତି ନୁହଁନ୍ତି କଂଗ୍ରେସ ବିଧାୟକ ଦଳର ନେତା ମଧ୍ୟ ବଦଳିବାର ଆବଶ୍ୟକତା ରହିଛି’’

ପାର୍ଟି ହାଇକମାଣ୍ଡ ନୂଆ ସଭାପତି ତୁରନ୍ତ ନିଯୁକ୍ତ କରନ୍ତୁ ଏବଂ ଓଡ଼ିଶାରେ କଂଗ୍ରେସକୁ ତୃଣମୂଳ ସ୍ତରରୁ ମଜବୁତ କରିବାକୁ ବ୍ୟବସ୍ଥା କରନ୍ତୁ ବୋଲି କଂଗ୍ରେସ ବିଧାୟକମାନଙ୍କ ପକ୍ଷରୁ କୁହାଯାଉଛି।

Tags: #Politics #Congress #PCCPresident #TaraBahinipati #SantoshSinghSaluja #AdhirajPanigrahi

Comment