ଓଡ଼ିଶାଲାଇଭ୍ ବ୍ୟୁରୋ

କିଏ ହେବେ ଓଡ଼ିଶାରେ ପିସିସି ସଭାପତି? ବର୍ତ୍ତମାନ ସୁଦ୍ଧା ଭାଗ ଛିଣ୍ଡୁନଥିବାବେଳେ କଂଗ୍ରେସ ବିଧାୟକମାନଙ୍କୁ ଦିଲ୍ଲୀରୁ ଡକରା ଆସିଛି।

ପିସିସି ସଭାପତି ପରିବର୍ତ୍ତନକୁ ନେଇ କଂଗ୍ରେସରେ ଘଡ଼ିକେ ଘୋଡ଼ା ଛୁଟୁଛି। କିଛି ନେତା ବିଧାୟକ ଦଳ ନେତାଙ୍କ ଭିତରୁ ଜଣକୁ ପିସିସି ଗାଦିରେ ବସାଇବାକୁ ଦାବି କରୁଥିବାବେଳେ ଆଉ କିଛି ନେତା ବିଧାୟକ ଦଳ ବାହାରୁ ସଭାପତି ବାଛିବାକୁ ଲବି କରୁଛନ୍ତି। ଏବେ କାହା ଭାଗରେ ପଡ଼ିବ ପିସିସି ସଭାପତି ପଦବୀ ହାଇକମାଣ୍ଡ ନିଷ୍ପତ୍ତି ନେବେ।

ପିସିସି ସଭାପତି ଚୟନ ପ୍ରକ୍ରିୟା ଏବେ ଜୋର ଧରିଛି। କଂଗ୍ରେସ ବିଧାୟକମାନଙ୍କୁ ଦିଲ୍ଲୀରେ ହାଜର ହେବା ପାଇଁ ମଙ୍ଗଳବାର ଡକରା ଆସିଛି। ଆସନ୍ତା ମେ’ ୫ ତାରିଖରେ କଂଗ୍ରେସ ବିଧାୟକମାନେ ଦିଲ୍ଲୀରେ ପହଞ୍ଚିବାକୁ ନିର୍ଦ୍ଦେଶ ରହିଥିବା ବିଧାୟକ ସୁରେଶ ରାଉତରାୟ ଆଜି ସୂଚନା ଦେଇଛନ୍ତି।

କଂଗ୍ରେସ ବିଧାୟକମାନେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟି ଦଳୀୟ ସଂଗଠନ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ। ଏହା ସହ କିଏ ହେବେ ପିସିସି ସଭାପତି ତାହା ସ୍ପଷ୍ଟ ହେବ। ଗୋଷ୍ଠୀ କନ୍ଦଳକୁ ଦୂର କରି ଓଡ଼ିଶାରେ କଂଗ୍ରେସକୁ ସୁଦୃଢ଼ କରାଯିବା ନେଇ ଆଲୋଚନା ହେବ ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି।

ଅନ୍ୟ ପଟେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଦିଲ୍ଲୀ ଗସ୍ତ ପୂର୍ବରୁ କଂଗ୍ରେସର ସବୁ ବିଧାୟକ ଏକାଠି ହେବୁ। ଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ସହ କେଉଁ ପ୍ରସଂଗରେ ଆଲୋଚନା କରାଯିବ ସେ ନେଇ ନିଷ୍ପତ୍ତି ନେବୁ। ସେ ସେହି ଗୋଟିଏ କଥା ଦୋହରାଇଛନ୍ତି ଯେ, ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ସଭାପତି କରିବାକୁ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା ବେଳେ ପ୍ରସ୍ତାବ ରଖାଯିବ।

ନୂଆ ପିସିସି ସଭାପତି ନିଯୁକ୍ତି ପାଇଁ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର କଂଗ୍ରେସ ଭବନରେ ମାନସ ମନ୍ଥନ କରିଛନ୍ତି। ଓଡ଼ିଶାରେ କିଏ ଧରିବ ପିସିସି ସଭାପତି ମଙ୍ଗ ସେ ନେଇ ଚେଲ୍ଲା କୁମାର ଦଳର ସମସ୍ତ ବିଧାୟକ, ବରିଷ୍ଠ ନେତା ଓ ଛାମୁଆ ସଂଗଠନ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ଫେରିଛନ୍ତି। ପାର୍ଟି ହାଇକମାଣ୍ଡଙ୍କୁ ରିପୋର୍ଟ ଦେବା ପରେ ନୂଆ ପିସିସି ସଭାପତି ଚୟନ କରାଯିବ ବୋଲି ସେ କହିଥିଲେ।

ମୁଖ୍ୟ ସଚେତକ ପଦବୀରୁ ତାରା ବାହିନୀପତିଙ୍କ ଇସ୍ତଫା

ଦୀର୍ଘ ଦିନ ହେଲା ଅନେକ ତୁଙ୍ଗନେତାଙ୍କ ନାଁ ପିସିସି ସଭାପତି ରେସରେ ରହିଛି। ଦଳୀୟ କନ୍ଦଳକୁ ନେଇ କଂଗ୍ରେସ ନେତାଙ୍କ ମଧ୍ୟରେ ଫାଟ ମଧ୍ୟ ସୃଷ୍ଟି ହୋଇଛି। ଏହାରି ମଧ୍ୟରେ ବିଧାୟକମାନଙ୍କ ମଧ୍ୟରୁ ଜଣକୁ ସଭାପତି କରିବାକୁ କଂଗ୍ରେସ ବିଧାୟକ ତାରା ବାହିନୀପତି ଦାବି କରିଆସୁଥିଲେ। ଦଳ ମଧ୍ୟରେ ଏହି ପଦବୀ ପାଇଁ ଏତେ ପରିମାଣର ଅସନ୍ତୁଷ୍ଟ ବଢ଼ିଲା ଯେ ତାରା ବାହିନୀପତି ମୁଖ୍ୟସଚେତକ ପଦବୀରୁ ଇସ୍ତଫା ଦେଇଦେଲେ। ତିନି ଦିନ ପୂର୍ବରୁ କଂଗ୍ରେସ ବିଧାୟକ ତାରା ବାହିନୀପତି ନିଜ ପଦବୀରୁ ଇସ୍ତଫା ଦେଇଥିଲେ ମଧ୍ୟ ମେ’ ୧ ତାରିଖରେ ନିଜ ଇସ୍ତଫା ସମ୍ପର୍କରେ ଜଣାଇଥିଲେ।

କିନ୍ତୁ ବ୍ୟକ୍ତିଗତ କାରଣରୁ ନିଜ ପଦବୀରୁ ଇସ୍ତଫା ଦେଇଥିବା ସେ ଗଣମାଧ୍ୟମକୁ କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, “ମୁଁ ପିସିସି ସଭାପତି ପଦବୀ ପାଇଁ କାହା ପାଖରେ ଲବି କରିନାହିଁ। ଯଦି ସୁଯୋଗ ମିଳିବ ମୁଁ ହାତଛଡ଼ା କରିବି ନାହିଁ”।

ବିବାଦୀୟ ମନ୍ତବ୍ୟ ଦେଇ ହଟହଟା ସୁରେଶ ରାଉତରାୟ

ପିସିସି ସଭାପତିକୁ ନେଇ ଜଟଣୀ ବିଧାୟକ ସୁରେଶ ରାଉତରାୟ ମଧ୍ୟ ବିବାଦୀୟ ମନ୍ତବ୍ୟ ଦେଇ ହଟହଟା ହୋଇଛନ୍ତି। ସେ କହିଥିଲେ ଓଡ଼ିଶାରେ ପିସିସି ସଭାପତି କିଏ ହେବ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନିଅନ୍ତି। ସୁରେଶ ରାଉତରାୟଙ୍କ ଏହି ମନ୍ତବ୍ୟ ପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ତାଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ।

ପିସିସି ସଭାପତି ଦୌଡ଼ରେ ଆଗରେ ସରତ ପଟ୍ଟନାୟକ

ପିସିସି ସଭାପତି ଦୌଡ଼ରେ ସବୁଠାରୁ ଆଗରେ ରହିଛନ୍ତି ପୂର୍ବତନ ପିସିସି ସଭାପତି ସରତ ପଟ୍ଟନାୟକ ଏବଂ ଜୟଦେବ ଜେନା। ସରତ ପଟ୍ଟନାୟକ ଥରୁଟିଏ ପିସିସି ସଭାପତି ହୋଇଥିବାବେଳେ ଜୟଦେବ ଜେନା ଦୁଇ ଦୁଇଥର ଦାୟିତ୍ଵ ତୁଲାଇଛନ୍ତି। ସରତ ପଟ୍ଟନାୟକଙ୍କର ଦିଲ୍ଲୀରେ ଭଲ ସମ୍ପର୍କ ରହିଛି ତେଣୁ ପାର୍ଟି ହାଇକମାଣ୍ଡ ତାଙ୍କ ଉପରେ ପୁଣି ଥରେ ଭରସା କରିପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। 

ବିଧାନସଭା ନିର୍ବାଚନ, ୫ ରାଜ୍ୟରେ କଂଗ୍ରେସକୁ ମିଳିଲା ବଡ଼ ପରାଜୟ

ଗତ ଫେବ୍ରୁଆରି ମାସରେ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହୋଇଥିଲା। ଏହି ନିର୍ବାଚନରେ କଂଗ୍ରେସକୁ ବଡ଼ ପରାଜୟ ମିଳିଥିଲା। କଂଗ୍ରେସ ନିଜ ଅମାନତ ହରାଇବା ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସବୁ ରାଜ୍ୟର କଂଗ୍ରେସ ସଭାପତିମାନଙ୍କୁ ଇସ୍ତଫା ଦେବା ଲାଗି ନିର୍ଦ୍ଦେଶ ଦେଇଥିଲେ। ସେବେଠାରୁ ଓଡ଼ିଶାରେ ପିସିସି ସଭାପତି ପରିବର୍ତ୍ତନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ଆସନ୍ତା ମେ’ ୫ ତାରିଖ କଂଗ୍ରେସ ବିଧାୟକମାନେ ରାହୁଲ ଗାନ୍ଧୀଙ୍କ ସହ ଆଲୋଚନା କରିବାକୁ ଦିଲ୍ଲୀ ଯିବେ। ତେବେ ପାର୍ଟି ହାଇକମାଣ୍ଡ କଂଗ୍ରେସ ବିଧାୟକମାନଙ୍କ ମଧ୍ୟରୁ କାହାକୁ ସଭାପତି କରିବେ ନା ତାଙ୍କ ପସନ୍ଦର ନେତାଙ୍କୁ ସୁଯୋଗ ଦେବେ ତାକୁ ନେଇ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ। ଯଦି ବିଧାୟକଙ୍କ ମଧ୍ୟରୁ କାହାକୁ ସଭାପତି କରାନଯାଏ ଦଳୀୟ କନ୍ଦଳ ବଢ଼ିବା ସହ ଅସନ୍ତୋଷର ନିଆଁ କୁହୁଳିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।

Tags: #Congress #PCCPresident #PartyHighCommand #Odisha #Politics

Comment