ଓଡ଼ିଶାଲାଇଭ୍ ବ୍ୟୁରୋ

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲର ଓଡ଼ିଶା ଗସ୍ତ ପୂର୍ବରୁ ରାଜନୀତି ସରଗରମ ହୋଇଛି। ଏହି ବିବାଦକୁ ନେଇ ଏବେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ଓଡ଼ିଶା କଂଗ୍ରେସ। ଓଡ଼ିଶା ସରକାର ଏହି ବିବାଦର ସମାଧାନ ପାଇଁ ବିଶେଷ ଧ୍ୟାନ ଦେଉନଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ଅନ୍ୟପଟେ ଟ୍ରିବ୍ୟୁନାଲ ଗଠନକୁ ୫ ବର୍ଷ ହୋଇ ଯାଇଥିଲେ ମଧ୍ୟ ଆଜି ଯାଏଁ ଏହା କାହିଁକି କୌଣସି ମଧ୍ୟବର୍ତ୍ତୀକାଳୀନ ଆଦେଶ ଦେଇ ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି।

ମହାନଦୀ ଜଳ ବିବାଦକୁ ନେଇ ଶୁକ୍ରବାର ଦିନ ଓଡ଼ିଶା କଂଗ୍ରେସ ପକ୍ଷରୁ ଏକ ପ୍ରେସବର୍ତ୍ତା ଆୟୋଜିତ ହୋଇଥିଲା। ଏଠାରେ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଦଳର ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ ଏହି ମାମଲାରେ ସରକାରଙ୍କୁ ଘେରିଥିଲେ।

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଖରାଦିନରେ ଓଡ଼ିଶାରେ ଜଳ ପ୍ରବାହ ସମ୍ବନ୍ଧରେ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଦିଅନ୍ତୁ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ସେହିପରି ରାଜ୍ୟ ସରକାର ୭ ଦିନ ମଧ୍ୟରେ କେନାଲରେ ଚାଷଜମିକୁ ମହାନଦୀ ଜଳ ଛାଡ଼ିବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି।

“ଓଡ଼ିଶା ସରକାର ମହାନଦୀ ଜଳ ବିବାଦର ସମାଧାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି। ୨୦୧୮ରେ ମହାନଦୀ ଟ୍ରିବ୍ୟୁନାଲ୍ ଗଠନ ହୋଇଥିଲେ ମଧ୍ୟ ଏହା ଏ ପର୍ଯ୍ୟନ୍ତ ଭଲ ଭାବେ କାର୍ଯ୍ୟ କରିପାରୁନାହିଁ। ଏହାର ପରିଣାମ ଓଡ଼ିଶାବାସୀଙ୍କୁ ଭୋଗିବାକୁ ପଡ଼ୁଛି। ଛତିଶଗଡ଼ରେ ବ୍ୟାରେଜ ନିର୍ମାଣ ହେବାଫଳରେ ହୀରାକୁଦର ଡ୍ୟାମର ଜଳସ୍ତର ବହୁତ କମିଯାଇଛି। ରାଜ୍ୟ ସରକାର ଏନେଇ ଅଧିକ ସଚେତନ ହୁଅନ୍ତୁ”, କହିଛନ୍ତି ଶରତ ପଟ୍ଟନାୟକ।

“ମହାନଦୀ ଜଳ ବିବାଦରେ ଓଡ଼ିଶାର ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି। ଆମେ ଟ୍ରିବ୍ୟୁନାଲ ଆଗରେ ଦାବି କରୁଛୁ ଯେ, ଓଡ଼ିଶାରେ ଗ୍ରୀଷ୍ମକାଳୀନ ଜଳକଷ୍ଟ ଦୂର କରିବା ପାଇଁ ଟ୍ରିବ୍ୟୁନାଲ ତୁରନ୍ତ ଏକ ମଧ୍ୟବର୍ତ୍ତୀକାଳୀନ ଆଦେଶ ଜାରି କରନ୍ତୁ। ଯାହାଫଳରେ ଓଡ଼ିଶାକୁ ଅଣ ମୌସୁମୀ ଋତୁରେ ଛତିଶଗଡ଼ରୁ ଅଧିକ ଜଳ ଆସିବ। ଏହାଦ୍ଵାରା ଓଡ଼ିଶାର ପଶ୍ଚିମାଞ୍ଚଳ ଓ ଉପକୂଳ ଅଞ୍ଚଳର ଲୋକେ ଉପକୃତ ହେବେ”, କହିଛନ୍ତି ବିଜୟ ପଟ୍ଟନାୟକ।

ସେ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟ ସରକାର ଏ ଯାଏଁ କାହିଁକି କେନାଲରେ ମହାନଦୀ ପାଣି ଛାଡ଼ୁ ନାହାନ୍ତି। ଏହାଫଳରେ ଚାଷ କାର୍ଯ୍ୟରେ ବିଳମ୍ବ ହେଉଛି। ସରକାର ୭ ଦିନ ମଧ୍ୟରେ କେନାଲରେ ପାଣି ଛାଡ଼ନ୍ତୁ। ଯଦି ରାଜ୍ୟ ସରକାର ଏହି ଜଳ ବିବାଦକୁ ଶୀଘ୍ର ସମାଧାନ ନକରନ୍ତି, ତେବେ ଏନେଇ ଆଗକୁ କଂଗ୍ରେସ ପକ୍ଷରୁ ଆନ୍ଦୋଳନ କରାଯିବ।”

ଅନ୍ୟପଟେ କଂଗ୍ରେସର ଏହି ମନ୍ତବ୍ୟକୁ ଖଣ୍ଡନ କରିଛି ବିଜେଡି। ଦଳ ପକ୍ଷରୁ ବିଧାୟକ ତଥା ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ପ୍ରତିକ୍ରିୟା ରଖି ମହାନଦୀ ମାମଲାରେ ଓଡ଼ିଶାର ସ୍ଵାର୍ଥ ସୁରକ୍ଷିତ ଥିବା କହିଛନ୍ତି।

“ଛତିଶଗଡ଼ରେ ପୂର୍ବରୁ ବିଜେପି ଓ ଏବେ କଂଗ୍ରେସ ସରକାର ଥିଲେ ମଧ୍ୟ ମହାନଦୀ ମାମଲାରେ ଓଡ଼ିଶାର ଆଭିମୁଖ୍ୟରେ କିଛି ପରିବର୍ତ୍ତନ ହୋଇନାହିଁ। ଆମେ ଓଡ଼ିଶାକୁ ଅଧିକ ଜଳ ଛାଡ଼ିବା ଦାବିରେ ଅଜି ବି କାଏମ ଅଛୁ”, କହିଛନ୍ତି ଦେବୀ ପ୍ରସାଦ ମିଶ୍ର

ସେ ଆହୁରି ମଧ୍ୟ କହିଛନ୍ତି, “ରାଜ୍ୟ ସରକାର ଟ୍ରିବ୍ୟୁନାଲକୁ ବେଖାତିର କରି ମହାନଦୀରେ ବଡ଼ଧରଣର ଡ୍ୟାମ ନିର୍ମାଣ କରିପାରିବେ ନାହିଁ। ତେବେ ସରକାରଙ୍କ ପକ୍ଷରୁ ମହାନଦୀର ତଳ ମୁଣ୍ଡରେ ଇନଷ୍ଟ୍ରିମ ଷ୍ଟୋରେଜ ତିଆରି ପାଇଁ ଯୋଜନା ହୋଇଛି। ଏଥିଲାଗି ବଜେଟରେ ମଧ୍ୟ ବ୍ୟୟବରାଦ କରାଯାଇଛି। ମହାନଦୀ ବିବାଦର ସମାଧାନ ପାଇଁ ରାଜ୍ୟ ସରକାର ଟ୍ରିବ୍ୟୁନାଲକୁ ସବୁ ପ୍ରକାର ସହଯୋଗ କରୁଛନ୍ତି।”

ତେବେ ଶୁକ୍ରବାରଠାରୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ୯ ଦିନିଆ ଓଡ଼ିଶା ଗସ୍ତ ଆରମ୍ଭ ହେଉଛି। ଏହି ଗସ୍ତରେ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ପୂର୍ବତନ ସୁପ୍ରିମ କୋର୍ଟ ବିଚାରପତି ଏ ଏମ ଖାନୱିଲକର ଓ ଅନ୍ୟ ପ୍ରତିନିଧିମାନେ ମେ’ ୨୮ ତାରିଖ ଯାଏଁ ମହାନଦୀର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବେ।

ଏହି ସମୟରେ ଟ୍ରିବ୍ୟୁନାଲ ହୀରାକୁଦ ଜଳଭଣ୍ଡାର ଓ ମହାନଦୀ ତଳ ମୁଣ୍ଡରେ ବିଭିନ୍ନ ଅଞ୍ଚଳକୁ ଯିବେ। ଓଡ଼ିଶାରେ ଅଣ ମୌସୁମୀ ସମୟରେ ମହାନଦୀରେ ଜଳ ପ୍ରବାହ ଓ ଅନ୍ୟାନ୍ୟ ବିଷୟରେ ଏଠାରେ ଅନୁଧ୍ୟାନ କରାଯିବ।

Tags: #MahanadiWaterDispute #MahanadiTribunal #OdishaCongress #GovtofOdisha

 

Comment