ଓଡ଼ିଶାଲାଇଭ୍ ବ୍ୟୁରୋ
ସାମ୍ପ୍ରତିକ ସମୟରେ ଆଧାର କାର୍ଡର ଉପଯୋଗିତା ନେଇ କୌଣସି ପ୍ରକାର ସନ୍ଦେହ ରହିନପାରେ। ଏହି ବ୍ୟବସ୍ଥା ଆରମ୍ଭ ହେବା ପରଠାରୁ ଦେଶର ଏକକ ପରିଚୟ ପତ୍ର ଭାବରେ ଆଧାର କାର୍ଡକୁ ବ୍ୟବହାର କରାଯାଉଛି। ସରକାରଙ୍କର ସମସ୍ତ ଜନକଲ୍ୟାଣ ମୂଳକ ଯୋଜନା କ୍ଷେତ୍ରରେ ହିତାଧିକାରୀଙ୍କ ପାଇଁ ଏହି କାର୍ଡ ଏକ ବଡ଼ ଆଶୀର୍ବାଦ ସାଜିଛି। ଏହି କ୍ରମରେ ଓଡ଼ିଶା ସରକାର ଆଉ ଏକ ପାଦ ଆଗକୁ ବଢ଼ିଛନ୍ତି। ଏଣିକି ରାଜ୍ୟରେ ଏକାଧିକ ବିବାହ ରୋକିବା କ୍ଷେତ୍ରରେ ଆଧାର କାର୍ଡ ବାଧ୍ୟତାମୂଳକ କରାଯିବ। ଏଭଳି କରିବା ଦ୍ଵାରା ଅସାଧୁ ଯୁବକ ଓ ସେମାନଙ୍କ କଳା କାରନାମାକୁ ରୋକାଯାଇପାରିବ। ଏନେଇ ରାଜ୍ୟ ମହିଳା କମିସନରଙ୍କ ନିକଟରୁ ସୂଚନା ମିଳିଛି।
ଦ୍ଵିତୀୟ ବିବାହ ସମ୍ପର୍କରେ ଅନେକ ଅଭିଯୋଗ ରାଜ୍ୟ ମହିଳା କମିସନଙ୍କ ନିକଟରେ ପହଞ୍ଚିବାପରେ ଏହାକୁ ବନ୍ଦ କରିବାକୁ ଅଭିନବ ଉପାୟ ଚିନ୍ତା କରିଛନ୍ତି କମିସନ। ନିଷ୍ପତ୍ତି ନିଆଯାଇଛି ଯେ, ଏଣିକି ରାଜ୍ୟରେ ବିବାହ ପଞ୍ଜିକରଣକୁ ବାଧ୍ୟତାମୂଳକ କରିବା ସହ ଆଧାରକାର୍ଡ ସଂଯୋଗୀକରଣ ମଧ୍ୟ ବାଧ୍ୟତାମୂଳକ କରାଯିବ। ଅନ୍ୟପଟେ ରାଜ୍ୟ ମହିଳା କମିସନଙ୍କ ଏହି ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି କେନ୍ଦ୍ର ମହିଳା କମିସନ।
ରାଜ୍ୟରେ ଏକାଧିକ ବିବାହକୁ ନେଇ ବିଭିନ୍ନ ଥାନାରେ ଅଭିଯୋଗ ହେଉଥିବା ନଜିର ରହିଛି। କିଛି ବ୍ୟକ୍ତି ପ୍ରଲୋଭନ ଓ ପ୍ରତିଶ୍ରୁତି ଦେଇ ଏକାଧିକ ବିବାହ କରୁଛନ୍ତି। ଏହି ଘଟଣା ସାମ୍ନାକୁ ଆସିବାପରେ ଅଘଟଣମାନ ଘଟୁଥିବା ଦେଖୁବାକୁ ମିଳୁଛି। ତେବେ ଏହିଭଳି ଘଟଣାକୁ ରୋକିବା ପାଇଁ ଓଡ଼ିଶା ସରକାର ଏକ ସତର୍କତା ମୂଳକ ପଦକ୍ଷେପ ନେଇଛନ୍ତି।
ରାଜ୍ୟରେ ଏହି ନିୟମ କାର୍ଯ୍ୟକାରୀ ହେଲେ କେବଳ ପୁରୁଷଙ୍କ ଏକାଧିକ ବିବାହ ସମ୍ପର୍କରେ ଜଣାପଡିବ ତାହା ନୁହେଁ, ଯୁବତୀମାନେ ଯେଉଁଭଳି ଶାରୀରିକ ଶୋଷଣର ଶିକାର ହେଉଛନ୍ତି ତାହା ମଧ୍ୟ ରୋକା ଯାଇପାରିବ। ବିବାହ ପୂର୍ବରୁ ଝିଅ ଏବଂ ପୁଅଙ୍କ ସମ୍ପର୍କରେ ସମସ୍ତ ତଥ୍ୟ ଜଣାପଡିବା ଦରକାର। ତାହାଲେ ଯାଇ ଏକାଧିକ ବିବାହ ଭଳି ସମସ୍ୟାକୁ ରୋକିହେବ। ଏଥିସହ ସାରାଦେଶ ପାଇଁ ଏକକ ବିବାହ ପ୍ରମାଣପତ୍ର ବ୍ୟବସ୍ଥା ରହିବ ବୋଲି ମଧ୍ୟ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

















