ଓଡ଼ିଶାଲାଇଭ୍ ବ୍ୟୁରୋ
ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଧୀରେ ଧୀରେ ସକ୍ରିୟ ହେବାରେ ଲାଗିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହୋଇପାରେ। ଏହାର ପ୍ରଭାବରେ ଅକ୍ଟୋବର ୧୫ରୁ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହେବାର ସମ୍ଭାବନା ରହିଛି।
ଭୁବନେଶ୍ଵରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଘୂର୍ଣ୍ଣିବଳୟଟି ଲଘୁଚାପ ବଳୟରେ ପରିଣତ ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ସକ୍ରିୟ ରହିବ। ଏହାର ପ୍ରଭାବରେ ୧୫ ତାରିଖରେ ଭଦ୍ରକ, ବାଲେଶ୍ଵର, ଯାଜପୁର, ନୟାଗଡ଼, କଟକ, ପୁରୀ, ଜଗତ୍ସିଂହପୁର, ଗଞ୍ଜାମ, କୋରାପୁଟ, ରାୟଗଡ଼ା, କନ୍ଧମାଳ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ, ମୟୂରଭଞ୍ଜ ଓ ଖୋର୍ଦ୍ଧା ଆଦି ଜିଲ୍ଲାର ଗୋଟିଏ କିମ୍ଵା ଦୁଇଟି ସ୍ଥାନରେ ବର୍ଷା ହୋଇପାରେ। ଏହାପରେ ବର୍ଷାର ପରିମାଣ ବଢ଼ି ୧୬ ତାରିଖରେ ରାଜ୍ୟର କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
#Withdrawal status of south west #monsoon from Odisha as of yesterday, 12th Oct 2021:
SW Monsoon has completely withdrawn from #11districts of Odisha
From most parts of #2districts & some parts of #6districts.
Yet to withdraw from #11coastal districts of Odisha. pic.twitter.com/Ua60bbCB6K
— Meteorological Centre, Bhubaneswar (@mcbbsr) October 13, 2021
ଅନ୍ୟପଟେ ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ଜାରି ରହିଛି। ପାଣିପାଗ ବିଭାଗର ତଥ୍ୟ ଅନୁସାରେ ମଙ୍ଗଳବାର ସୁଦ୍ଧା ରାଜ୍ୟର ମୋଟ୍ ୧୧ ଜିଲ୍ଲା – ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗିର, ସୋନପୁର, ନୂଆପଡ଼ା, ବୌଦ୍ଧ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରୁ ମୌସୁମୀ ସମ୍ପୂର୍ଣ୍ଣ ଅପସରି ଯାଇଛି। ଏଥିସହ ଅନୁଗୁଳ ଓ କନ୍ଧମାଳ ଜିଲ୍ଲାର ଅଧିକାଂଶ ସ୍ଥାନରୁ ଓ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜର କିଛି କିଛି ସ୍ଥାନରୁ ମୌସୁମୀ ଫେରିବାରେ ଲାଗିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ ଓଡ଼ିଶାରୁ ମୌସୁମୀ ବିଦାୟ ନେବାର ବିଭାଗ ଆକଳନ କରିଛି।