ଓଡ଼ିଶାଲାଇଭ୍ ବ୍ୟୁରୋ

‘ଜଓ୍ଵାଦ’ ଦୁର୍ବଳ ହେବାପରେ ଓଡ଼ିଶା ଉପରୁ ବାତ୍ୟା ଭୟ ସିନା ଟଳିଗଲା, ହେଲେ ଏହା ପ୍ରଭାବରେ ଉପକୂଳ ଜିଲ୍ଲାଗୁଡ଼ିକରେ ଯେଉଁ ଲଗାଣ ବର୍ଷା ହେଲା ତାହା ଚାଷୀର ବର୍ଷକର ଫସଲକୁ ଉଜାଡ଼ି ଦେଲା। କେନ୍ଦ୍ରାପଡ଼ାଠାରୁ ଗଞ୍ଜାମ, ଢେଙ୍କାନାଳଠାରୁ ପୁରୀ ପାଖାପାଖି ୨୦ ଜିଲ୍ଲାରେ ହେକ୍ଟର ହେକ୍ଟର ଚାଷଜମି ପାଣିରେ ବୁଡ଼ି ଧାନ ସହ ପନିପରିବା ଚାଷକୁ ନଷ୍ଟ କରିଦେଇଛି।

ସ୍ଥିତି ଏପରି ହୋଇଛି, କଟା ଧାନକୁ ଖଳାକୁ ଆଣିବା ସମ୍ଭବ ହେଉନାହିଁ। କାରଣ ପାଣି ଛାଡ଼ିବା ବେଳକୁ ଧାନ ଗଛ ପଚିସଢ଼ି ନଷ୍ଟ ହୋଇଯାଇଥିବ। କିଛି କିଛି ସ୍ଥାନରେ ଜମିରେ ପଡ଼ି ପଡ଼ି ଧାନରୁ ଗଜା ବାହାରି ଗଲାଣି। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀକୁଳ। ଧାନ ବିଲର ବିକଳ ଚିତ୍ର ଅସହ୍ୟ। ଚାଷୀଙ୍କ ବର୍ଷକର ପରିଶ୍ରମ ଉପରେ ଦାଉ ସାଧିଛି ବର୍ଷା।କିଛି ଜିଲ୍ଲାରେ ପୂର୍ବରୁ ଚକଡ଼ା ପୋକ ଧାନ ନଷ୍ଟ କରିଥିବା ବେଳେ ଏବେ ଅଦିନିଆ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଦୋହଲାଇ ଦେଇଛି। ଯେଉଁ ଫସଲ ଦେଖି ଦିନେ ଚାଷୀ ଖୁସି ହେଉଥିଲା। ଆଜି ସେହି ଫସଲକୁ ଉଜାଡ଼ି ଦେଇଛି ଅଦିନିଆ ବର୍ଷା। ପରିବାର ପ୍ରତିପୋଷଣକୁ ନେଇ ଚିନ୍ତାରେ ପଡ଼ିଛି ଚାଷୀ।

ଏହାରି ମଧ୍ୟରେ ଫସଲ ନଷ୍ଟ ହୋଇଯିବା କାରଣରୁ ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ତୁରୁବୁଡି ପଞ୍ଚାୟତର ଉଲୁମ ଗାଁରେ। ମୃତ ଚାଷୀଙ୍କ ନାଁ କୈଳାସ ଶବର। କୈଳାସ ୨ ଏକର ଜମିକୁ ଭାଗରେ ନେଇ ଚାଷ କରୁଥିଲେ। ହେଲେ ବର୍ଷା ଛାଡ଼ିବା ବେଳକୁ ତାଙ୍କ ଫସଲ ସବୁ ନଷ୍ଟ ହୋଇ ଯାଇଥିଲା। ଫସଲ କ୍ଷୟକ୍ଷତି ଦେଖି ସେ ସହି ପାରି ନଥିଲେ। ଏଣୁ କୀଟନାଶକ ଔଷଧ ଖାଇ ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।ବାତ୍ୟା ‘ଜୱାଦ’ ଆସିବା ପୂର୍ବରୁ ଚାଷୀମାନଙ୍କୁ ସଜାଗ ରହିବାକୁ ସରକାର ଏବଂ ସ୍ଥାନୀୟ ପ୍ରଶାସନ ସତର୍କ କରାଇଥିଲେ। ଯଥା ସମ୍ଭବ ଅମଳ ଶେଷ କରି ଶସ୍ୟକୁ ସୁରକ୍ଷିତ ସ୍ଥାନକୁ ଆଣିବାକୁ ପରାମର୍ଶ ଦେଇଥିଲେ। ହେଲେ ଏତେ କମ୍ ସମୟ ମଧ୍ୟରେ ଅମଳ କରିବା ଚାଷୀଙ୍କ ପକ୍ଷେ ସମ୍ଭବ ହୋଇପାରି ନଥିଲା। ଫଳରେ ପ୍ରବଳ ବର୍ଷା ଚାଷୀର ହେକ୍ଟକ ହେକ୍ଟର କ୍ଷେତକୁ ପାଣିରେ ଭସାଇ ଦେଇଛି।

ସାତ ଦିନ ମଧ୍ୟରେ ଚାଷର କ୍ଷୟକ୍ଷତି ସମୀକ୍ଷା ହୋଇ କ୍ଷତିପୂରଣ ଦେବାର ବ୍ୟବସ୍ଥା କରିବାକୁ ସ୍ଵତନ୍ତ୍ର ରିଲିଫ୍ କମିସନର ପ୍ରତିଶ୍ରୁତି ଦେଇଛନ୍ତି। ଏଥିପାଇଁ ଜିଲ୍ଲାରେ କେତେ ଚାଷ କ୍ଷତି ହୋଇଛି ତାହାର ରିପୋର୍ଟ କାର୍ଡ ଯଥାଶୀଘ୍ର ଦେବାକୁ ସରକାର ସମସ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିବା ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାର୍ଣ୍ଡି କହିଛନ୍ତି।

LEAVE A REPLY

Please enter your comment!
Please enter your name here