ଓଡ଼ିଶାଲାଇଭ୍ ବ୍ୟୁରୋ
- ଉପକୃତ ହେବେ ୩୦ ଲକ୍ଷ ପରିବାର
- ଖର୍ଚ୍ଚ ହେବ ୧୪ ଶହ ୪୪ କୋଟି
- ଘର ମରାମତି ପାଇଁ ୩ ହଜାର ଟଙ୍କା ସହାୟତା
- କେନ୍ଦ୍ରୀୟ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କୁ ୫ ହଜାର
ବିଜୁ ପକ୍କା ଘର ଯୋଜନାରେ ଘର କରିଥିବା ହିତାଧିକାରୀଙ୍କୁ ମରାମତି ପାଇଁ ୩ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ। ଏଥିପାଇଁ ରାଜ୍ୟ ସରକାର ୧୪ଶହ ୪୪ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହି ଯୋଜନାରେ ୩୦ ଲକ୍ଷ ପରିବାର ଉପକୃତ ହେବେ। ଏ ନେଇ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ୟାବିନେଟରେ ଘୋଷଣା କରିଛନ୍ତି।
ବିଜୁପକ୍କା ଘର ଯୋଜନାରେ ଘର କରିଥିବା ହିତାଧିକାରୀଙ୍କୁ ଏହି ଯୋଜନାରେ ଘର ମରାମତି ନିମନ୍ତେ ୩ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ। ଏହି ଯୋଜନାରେ ନିର୍ମାଣ ଶ୍ରମିକ ପକ୍କାଘର ହିତାଧିକାରୀ ଏବଂ ଖଣି ଅଞ୍ଚଳ ପକ୍କାଘର ହିତାଧିକାରୀ ସୁବିଧା ପାଇପାରିବେ।
ଏହା ସହିତ କେନ୍ଦ୍ରୀୟ ଯୋଜନାରୁ ବଞ୍ଚିତ ହିତାଧିକାରୀ ଏହି ଯୋଜନାରୁ ସୁଫଳ ପାଇପାରିବେ। ଏହି ହିତାଧିକାରୀଙ୍କୁ ଘର ମରାମତି ପାଇଁ ୫ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯିବ। ଉଭୟ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଘୋଷଣା କରାଯାଇଥିବା ସହାୟତା ରାଶି ପ୍ରଦାନ କରାଯିବ। ରାଜ୍ୟ ସରକାରଙ୍କ ବିଜୁ ପକ୍କା ଘର ଯୋଜନାରୁ ଏହି ଖର୍ଚ୍ଚ ବହନ କରାଯିବ।
କେନ୍ଦ୍ର ଯୋଜନାରୁ ଘର ଆଣିବା ପାଇଁ ରାଜ୍ୟ ସରକାରଙ୍କ ଉଦ୍ୟମ ଜାରି ରହିବ। ଘର ଦେବା ପାଇଁ କେନ୍ଦ୍ର ସରକାର ନଶୁଣିଲେ କେନ୍ଦ୍ର ଯୋଜନାରୁ ବଞ୍ଚିତ ଲୋକଙ୍କୁ ରାଜ୍ୟ ସରକାର ଘର ଯୋଗାଇ ଦେବେ।
ସବୁ ପରିବାରକୁ ଛାତ ଘର ଯୋଗାଇବା ନିମନ୍ତେ ୨୦୧୪ର ପ୍ରଥମ କ୍ୟାବିନେଟରେ କଚ୍ଚା ଘରକୁ ପକ୍କା ଘର କରିବାକୁ ନିଷ୍ପତ୍ତି ହୋଇଥିଲା। ଏଦିଗରେ ରାଜ୍ୟ ସରକାର ୨୦୧୪ରୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ହଜାର କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। ଗ୍ରାମାଞ୍ଚଳରେ ଗୃହ ନିର୍ମାଣରେ ଓଡ଼ିଶା ସାରା ଦେଶରେ ଆଗୁଆ ରାଜ୍ୟ ରହିଛି।
ଗରିବ ପରିବାରକୁ ପକ୍କା ଘର ଯୋଗାଇ ଦେବା ନିମନ୍ତେ ରାଜ୍ୟ ସରକାରଙ୍କ ପାଣ୍ଠିରୁ ବିଜୁ ପକ୍କା ଘର, ନିର୍ମାଣ ଶ୍ରମିକ ପକ୍କା ଘର ଓ ଖଣି ଅଞ୍ଚଳ ପକ୍କା ଘର ଯୋଜନା କରାଯାଇଛି।


















