ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଫେସର ଚିତ୍ତରଞ୍ଜନ ଦାସ। ଖୁବ୍‌ ଚିହ୍ନ ଚିହ୍ନା ଚେହେରା। ତାଙ୍କୁ ପାଖରୁ ଜାଣିନଥିବା ଲୋକଙ୍କ ପାଇଁ ସେ ଥିଲେ ଜଣେ ପ୍ରାବନ୍ଧିକ, ଅନୁବାଦକ, ମନୋବିଜ୍ଞାନୀ, ସମାଜ ବିଜ୍ଞାନୀ, ସ୍ୱାଧୀନତା ସଂଗ୍ରାମୀ, ଦାର୍ଶନିକ ତଥା ଚିନ୍ତାନାୟକ, ହେଲେ ତାଙ୍କୁ ପାଖରୁ ଜାଣିଥିବା ସବୁ ମଣିଷଙ୍କ ପାଇଁ ସେ ଥିଲେ ଅତି ପ୍ରିୟର ଚିତ୍ତ ଭାଇ। ଏମିତିକି ଅନେକ ତାଙ୍କୁ ଓଡ଼ିଶାର ସକ୍ରେଟିସ ମଧ୍ୟ କହନ୍ତି।

ଅସୀମିତ ପ୍ରଜ୍ଞା ଓ ମଣିଷଙ୍କୁ ଭଲ ପାଉଥିବା ଏକ ବିଶାଳ ହୃଦୟର ବ୍ୟକ୍ତି ଥିଲେ ସେ। ୧୯୨୩, ଅକ୍ଟୋବର ୩ ତାରିଖରେ ଅବିଭକ୍ତ କଟକ ଜିଲ୍ଲାର ବାଗଲପୁର ଗାଁରେ ଜନ୍ମ ହୋଇଥିଲେ ଚିତ୍ତରଞ୍ଜନ। ଶେଷରେ ମାଟିର ମାୟା ମାଟିରେ ଛାଡ଼ି ୨୦୧୧, ଜାନୁଆରି ୧୬ ତାରିଖରେ ଚିରନିଦ୍ରାରେ ଶୋଇପଡ଼ିଲେ ଚିତ୍ତରଞ୍ଜନ। ତାଙ୍କ ବିୟୋଗରେ ତାଙ୍କୁ ଭଲ ପାଉଥିବା ଲୋକ ସ୍ତବ୍ଧ ହୋଇପଡ଼ିଥିଲେ।

‘‘ଚିତ୍ତରଞ୍ଜନ ଦାସ ଏକ ଏଭଳି ବ୍ୟକ୍ତିତ୍ୱ, ଯିଏ ପିଲା, ବୃଦ୍ଧ ସମସ୍ତଙ୍କ ସହିତ ମିଶି ପାରନ୍ତି। ତାଙ୍କର ବିଶେଷତ୍ୱ ହେଉଛି ସେ ବିଶିଷ୍ଟ ବ୍ୟକ୍ତିଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ସହିତ ବହୁତ ଭଲ ଭାବରେ ମିଶିପାରୁଥିଲେ। ସେଥିପାଇଁ ସେ ଚିରସ୍ମରଣୀୟ’’, ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ଉଦ୍ଦେଶ୍ୟରେ ଏଭଳି କହିଥିଲେ ବିଶିଷ୍ଟ ଶିଶୁ ସାହିତ୍ୟିକ ଦାଶ ବେନହୁର।

ପ୍ରକୃତରେ ଚିତ୍ତରଞ୍ଜନ ଥିଲେ ଜଣେ ପ୍ରଜ୍ଞା ପୁରୁଷ। ୮୭ ବର୍ଷ ଜୀବନ କାଳ ଭିତରେ ସେ ଅନେକ ବହି ଲେଖିଛନ୍ତି। ବାଗଲପୁର ଗାଁ ସ୍କୁଲରେ ପ୍ରାଥମିକ ଶିକ୍ଷା, ପରେ କଟକର ରାଣୀହାଟ ସ୍କୁଲ ଓ ରେଭେନ୍ସା କଲିଜିଏଟ ସ୍କୁଲରେ ଅଧ୍ୟୟନ କରିଥିଲେ। ୧୯୩୯ରେ ଦଶମ ଶ୍ରେଣୀରେ ପଢ଼ିବା ବେଳେ ଚିତ୍ତରଞ୍ଜନଙ୍କ ଭିତରେ ସ୍ୱାଧୀନତା ସଂଗ୍ରାମୀ ଚେତନା ଜଳି ଉଠିଥିଲା। ଛାତ୍ର ଧର୍ମଘଟ ଓ ସତ୍ୟାଗ୍ରହରେ ଯୋଗ ଦେଇ ସେ ଜେଲ୍‌ ମଧ୍ୟ ଯାଇଥିଲେ।

୧୯୪୨ ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଇ ଚିତ୍ତରଞ୍ଜନ ରେଭେନ୍ସା ଛାଡ଼ି ଗାଁକୁ ଆସିଥିଲେ। ଭାରତୀୟ ମୁକ୍ତି ସଂଗ୍ରାମର ଜଣେ ସକ୍ରିୟ ସୈନିକ ଭାବେ ସେ ପୁଣି କାରାବରଣ କଲେ।

୧୯୪୫ ମସିହାରେ ସେ ବିଶ୍ୱକବି ରବୀନ୍ଦ୍ର ନାଥ ଟାଗୋରଙ୍କ ପ୍ରୟୋଗଶାଳା ଶାନ୍ତି ନିକେତନରେ ପହଁଚିଥିଲେ ସେ। ଶାନ୍ତି ନିକେତନରୁ ସେ ପହଁଚିଲେ ଡେନମାର୍କର କୋପେନହେଗେନ୍‌ ବିଶ୍ୱବିଦ୍ୟାଳୟ। ଏଠାରେ ସେ ମନୋବିଜ୍ଞାନ, ସାମାଜିକ ବିଜ୍ଞାନ ଉପରେ ଅଧ୍ୟୟନ କରିଥିଲେ। ସେଠାରେ ରହିବା ସମୟରେ ସେ ବହୁତ ଦେଶ ବୁଲି ବିଶ୍ୱ ଜୀବନ ଦର୍ଶନ ଓ ସଂସ୍କୃତିକୁ ଅତି ନିକଟରୁ ଦେଖିପାରିଥିଲେ। ଶେଷରେ ସେ ଶିକ୍ଷାଦାନକୁ ଜୀବନର ବ୍ରତ ଭାବେ ବାଛି ନେଇଥିଲେ।

ତା’ପରେ ଓଡ଼ିଶାକୁ ଫେରି ଆସି ଅନୁଗୁଳରେ ତିଆରି କରିଥିଲେ ତାଙ୍କର ପ୍ରଥମ ପ୍ରୟୋଗଶାଳା ଜୀବନ ବିଦ୍ୟାଳୟ। ତାଙ୍କର ସ୍ୱପ୍ନ ଆଉ ଦକ୍ଷତାକୁ ଦେଖି ଏହି ନୂତନ ପ୍ରୟୋଗକୁ ସାକାର ରୂପ ଦେବାକୁ ଚେଷ୍ଟା କରିଥଲେ ନବକୃଷ୍ଣ ଚୌଧୁରୀ ଓ ମାଳତୀ ଦେବୀ।

ଏହାପରେ ଦେଶ ବିଦେଶରେ ସେ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା କରିବାକୁ ଆଗେଇ ଆସିଥିଲେ। ପରେ ସେ ମହାଋଷୀ ଶ୍ରୀଅରବିନ୍ଦଙ୍କ ଜୀବନ ଓ ଦର୍ଶନରେ ଅନୁପ୍ରାଣୀତ ହୋଇଥିଲେ। ନିଜ ନିତିଦିନ ଜୀବନରେ ସେହି ଆଦର୍ଶକୁ ପ୍ରୟୋଗ କରି ସେ ପାଲଟିଗଲେ ଜଣେ ଭିନ୍ନ ମଣିଷ।

ବିଶିଷ୍ଟ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁ ଚିତ୍ତରଞ୍ଜନଙ୍କ ସମ୍ପର୍କରେ କହିଥିଲେ,‘‘ଚିତ୍ତରରଞ୍ଜନ ଥିଲେ ଜଣେ ବିଶିଷ୍ଟ ଲେଖକ। ପ୍ରବନ୍ଧ ଲେଖକ ଭାବେ ତାଙ୍କୁ ଓଡ଼ିଶାର ଏ ଯୁଗର ପ୍ରଥମ ପ୍ରାବନ୍ଧିକ ବୋଲି ଆମେ କହିଲେ କିଛି ଭୁଲ ହେବ ନାହିଁ।’’

ସେହିପରି ଦୈନିକ ଖବରକାଗଜ, ସମ୍ବାଦର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ, ‘‘ଓଡ଼ିଶାରେ ସାମ୍ପ୍ରତିକ ପରିସ୍ଥିତିରେ, ସାମାଜିକ ସ୍ଥିତିକୁ ଦେଖି ଚିନ୍ତା କରିବା ଭଳି ବ୍ୟକ୍ତିଙ୍କ ସଂଖ୍ୟା ହାତ ଗଣତି। ତାଙ୍କ ମଧ୍ୟରେ ସେ ଜଣେ ପ୍ରମୁଖ ଚିନ୍ତାନାୟକ ଥିଲେ ଚିତ୍ତ ଭାଇ।’’

ଚିତ୍ତରଞ୍ଜନ ଦାସ ଓଡ଼ିଶାରେ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଆନ୍ଦୋଳନ ଆରମ୍ଭ କରିଥିଲେ। ଧୀରେ ଧୀରେ ସାରା ଓଡ଼ିଶାରେ ଏହି ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଖୋଲି ଯାଇଥିଲା। ଏବେ ଓଡ଼ିଶାରେ ଏଭଳି ୫୦୦ରୁ ଅଧିକ ଶିକ୍ଷାନୁଷ୍ଠାନ ଚିତ୍ତ ଭାଇଙ୍କ ଶିକ୍ଷା, ସଂସ୍କୃତି ଓ ଆଧ୍ୟାତ୍ମିକ ଦାୟିତ୍ୱ ଓ ନେତୃତ୍ୱ ବହନ କରୁଛି।

ସାହିତ୍ୟିକ ଚିତ୍ତରଞ୍ଜନ ଶିଶୁ ସାହିତ୍ୟ, ପ୍ରବନ୍ଧ, ଜୀବନୀ, ଆତ୍ମଜୀବନୀ, ଭ୍ରମଣ କାହାଣୀ, ରମ୍ୟରଚନା, ଅନବାଦ ଆଦି କରିଥିଲେ। ତାଙ୍କ ଲେଖା ଭିତରେ ରହିଛି, ଜୀବନ ବିଦ୍ୟାଳୟ, ବିଶ୍ୱକୁ ଗବାକ୍ଷ, ଜଙ୍ଗଲ ଚିଠି, ଶିଳା ଓ ଶାଳଗ୍ରାମ, ତରଙ୍ଗ ଓ ତଡ଼ିତ, ଜାତିରେ ମୁଁ ଯବନ ଆଦି। ତାଙ୍କର ଲେଖା ପାଇଁ ସେ ତାଙ୍କ ଜୀବନ କାଳ ମଧ୍ୟରେ ଅନେକ ପୁରସ୍କାରରେ ସମ୍ମାନିତ ହୋଇଥିଲେ।

୧୯୬୧ରେ ଜୀବନ ବିଦ୍ୟାଳୟ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୮ରେ ବିଶ୍ୱକୁ ଗବାକ୍ଷ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୯ ଓଡ଼ିଶା ଓ ଓଡ଼ିଆ ପାଇଁ ଶାରଳା ପୁରସ୍କାର, ୧୯୯୮ରେ ବିଷୁବ ପୁରସ୍କାର, ୨୦୦୦ରେ ସାହିତ୍ୟ ଭାରତୀ ସମ୍ମାନ, ୨୦୦୨ରେ ଉତ୍କଳ ସମାଜ ପକ୍ଷରୁ ଉତ୍କଳ ରତ୍ନ ସମ୍ମାନ ପାଇଥିଲେ।

‘‘ଜଣେ ସାଧାରଣ ବ୍ୟକ୍ତି ଭାବେ ଅସାଧାରଣ ବ୍ୟକ୍ତିତ୍ୱ ଥିଲେ ଚିତ୍ତ ଭାଇ। ତାଙ୍କ ଜ୍ଞାନର କୌଣସି ତୁଳନା ନଥିଲା’’, କହିଥିଲେ ଲେଖକ ତଥା ପ୍ରଶାସକ ଅରବିନ୍ଦ ବେହେରା।

କିଶୋର କିଶୋରୀଙ୍କ ମଧ୍ୟରେ ସୃଜନଶୀଳତାର ବିକାଶ ପାଇଁ ଚିତ୍ତ ରଞ୍ଜନ ଏକ ଯୁବ ଲେଖକ ଫାଉଣ୍ଡେସନ କରଥିଲେ। ତାହାର ନାଁ ଥିଲା ‘ନବ ପଲ୍ଲବ’। ଏହି କାର୍ଯ୍ୟକ୍ରମ ଜରିଆରେ ବର୍ଷକୁ ୨ଟି ଶିବିର ଆୟୋଜିତ ହେଉଥିଲା। ଏହି ଶିବିର ସେ ନିଜେ ପିଲାଙ୍କ ସହ ସାଙ୍ଗ ହୋଇ ରହୁଥିଲେ।

ଭାରତର ୩ ପ୍ରମୁଖ ଆଦର୍ଶ ମହାତ୍ମା ଗାନ୍ଧୀ, ରବୀନ୍ଦ୍ର ନାଥ ଟାଗୋର ଓ ଶ୍ରୀଅରବିନ୍ଦଙ୍କ ଦ୍ୱାରା ପ୍ରଭାବିତ ହୋଇଥିଲେ ଚିତ୍ତରଞ୍ଜନ। ସେମାନଙ୍କ ଆଦର୍ଶର ଜଣେ ତୁଙ୍ଗ ପ୍ରଚାରକ ପାଲଟିଥିଲେ ସେ। ବିଶ୍ୱର ଜଣାଶୁଣା ମନୋବିଜ୍ଞାନୀ ଓ ଦାର୍ଶନିକ ଏରିକ ଫ୍ରମ୍‌ ଥିଲେ ଚିତ୍ତରଞ୍ଜନଙ୍କ ମନୋବିଜ୍ଞାନର ଗୁରୁ।

LEAVE A REPLY

Please enter your comment!
Please enter your name here