ଓଡ଼ିଶାଲାଇଭ୍ ବ୍ୟୁରୋ

ବିଭିନ୍ନ ଦେଶର ବିରୋଧ ସତ୍ତ୍ଵେ ୟୁକ୍ରେନ ଉପରେ ଆକ୍ରମଣ କରିଛି ରୁଷ। ଆମେରିକା, ଜର୍ମାନୀ, ବ୍ରିଟେନ ଭଳି ଦେଶ ଆର୍ଥିକ କଟକଣା ଲଗାଇଥିଲେ ମଧ୍ୟ ରୁଷ ଉପରେ କୌଣସି ପ୍ରଭାବ ପଡ଼ିନାହିଁ। ରୁଷ ଯୁଦ୍ଧ ଘୋଷଣା କରି ଚାରି ପଟୁ ୟୁକ୍ରେନ ଉପରେ ଆକ୍ରମଣ କରିଛି। ବର୍ତ୍ତମାନ ସୁଦ୍ଧା ୟୁକ୍ରେନର ଦୁଇଟି ସହରକୁ ନିଜ କବ୍ଜାକୁ ନେଇ ସାରିଛି ରୁଷ। ରୁଷ ଆକ୍ରମଣରେ ୭ ଜଣ ୟୁକ୍ରେନ ବାସିନ୍ଦାଙ୍କର ମୃତ୍ୟୁ ହୋଇଛି।

ଆଗକୁ ପରିସ୍ଥିତି ଆହୁରି ଭୟଙ୍କର ରୂପ ନେବାର ସମ୍ଭବାନା ରହିଛି। ଏଭଳି ପରିସ୍ଥିତିରେ ଏବେ ଭାରତର ସହାୟତା ଲୋଡ଼ିଛି ୟୁକ୍ରେନ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଭଲ ସମ୍ପର୍କ ରହିଛି। ତେଣୁ ଭାରତ ପ୍ରଧାମନ୍ତ୍ରୀ ରୁଷ ସହ ଆଲୋଚନା କରି ଶାନ୍ତିପୂର୍ଣ୍ଣ ଭାବେ ବିବାଦର ସମାଧାନ କରିବାକୁ ଆଶା ରଖିଛି ୟୁକ୍ରେନ।

ଭାରତରେ ଥିବା ୟୁକ୍ରେନ ରାଷ୍ଟ୍ରଦୂତ ଆଇଗୋର ପୋଲିଖା ପ୍ରଧାନମନ୍ତ୍ରୀ ମୋଦୀଙ୍କ ହସ୍ତକ୍ଷେପ ଲୋଡ଼ି କହିଛନ୍ତି “ରୁଷ ସହ ଭାରତର ଉତ୍ତମ ସମ୍ପର୍କ ରହିଛି। ରୁଷ-ୟୁକ୍ରେନ୍ ସଙ୍କଟ ନିୟନ୍ତ୍ରଣ କରିବାରେ ନୂଆଦିଲ୍ଲୀ ସକ୍ରିୟ ଭୂମିକା ଗ୍ରହଣ କରିପାରିବ”। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ ଆଲୋଚନା କରି ବିବାଦର ସମାଧାନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି ୟୁକ୍ରେନ ରାଷ୍ଟ୍ରଦୂତ।

LEAVE A REPLY

Please enter your comment!
Please enter your name here