ଓଡ଼ିଶାଲାଇଭ୍ ବ୍ୟୁରୋ
ଆଜି ପବିତ୍ର ଦୋଳ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଦୋଳ ପୂର୍ଣ୍ଣିମା ଅବସରରେ ସୁନାବେଶ ହୋଇଛନ୍ତି ମହାପ୍ରଭୁ। ସୁନାବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି। ଶ୍ରୀମନ୍ଦିର ମଧ୍ୟରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ଲାଗି ହଜାର ହଜାର ଭକ୍ତ ପୁରୀରେ ସମାଗମ ହୋଇଛନ୍ତି। ଗୁରୁବାର ସକାଳୁ ଶ୍ରୀମନ୍ଦିର ଆଗରେ ଶ୍ରୁଦ୍ଧାଳୁଙ୍କ ଭିଡ଼ ଜମିଥିଲା। କିଛି ଭକ୍ତ ବ୍ୟାରିକେଡ ଭାଙ୍ଗି ମନ୍ଦିର ମଧ୍ୟକୁ ପ୍ରବେଶ କରିବା ସମୟରେ ସିଂହଦ୍ଵାର ସମ୍ମୁଖରେ ଦଳାଚକଟା ପରସ୍ଥିତି ସୃଷ୍ଟି ହୋଇଥିଲା।
ଦୋଳ ପୂର୍ଣ୍ଣିମା ଏବଂ ମହାପ୍ରଭୁଙ୍କ ସୁନାବେଶ ଥିବାରୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା। ଶ୍ରୁଦ୍ଧାଳୁମାନେ ବିଭିନ୍ନ ସ୍ଥାନରୁ ସୁନାବେଶ ଦର୍ଶନ ଲାଗି ପୁରୀରେ ପହଞ୍ଚି ଥିଲେ। ଧାଡ଼ି କରି ଭକ୍ତଙ୍କୁ ମନ୍ଦିର ଭିତରକୁ ଛାଡ଼ିବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହୋଇଥିବା କିଛି ଶ୍ରଦ୍ଧାଳୁ ଅତିଷ୍ଠ ହୋଇ ବ୍ୟାରିକେଟ ଭାଙ୍ଗି ମନ୍ଦିର ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ।
ଏମାନଙ୍କୁ ଦେଖି ଅନ୍ୟ ଶ୍ରଦ୍ଧାଳୁମାନେ ମଧ୍ୟ ମନ୍ଦିର ମଧ୍ୟକୁ ପଶିବାକୁ ଚେଷ୍ଟା କରିଥିଲେ। ଫଳରେ ସିଂହଦ୍ଵାର ସମ୍ମୁଖରେ ଠେଲାପେଲା ସହ ଦଳାଚକଟା ପରିସ୍ଥିତି ଉପୁଜି ଥିଲା। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି।
Tag: #ShreeMandir #ShreeJagannath #Puri #JagannathTemple #DolaPurnima #SunaBesha
#ଶ୍ରୀଜଗନ୍ନାଥ #ଶ୍ରୀମନ୍ଦିର #ସୁନାବେଶ