ଓଡ଼ିଶାଲାଇଭ୍ ବ୍ୟୁରୋ

ଦୀର୍ଘ ଦିନର ଲୁଚକାଳି ଖେଳ ପରେ ଶେଷରେ ସୋମବାର କ୍ରାଇମବ୍ରାଞ୍ଚ ଜାଲରେ ପଡ଼ିଲେ କ୍ୟାମେରାମ୍ୟାନ ମାନସ ସ୍ଵାଇଁ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ କୁହାଯାଉଥିବା ଶର୍ମିଷ୍ଠା ରାଉତ। ଶର୍ମିଷ୍ଠାଙ୍କ ସହ ଧରାପଡ଼ିଛନ୍ତି ସହଯୋଗୀ ଝୁନା ଭୋଇ। 

ସୋମବାର ସକାଳୁ ନାଟକୀୟ ଢଙ୍ଗରେ କ୍ରାଇମବ୍ରାଞ୍ଚ ଜାଲରେ ଛନ୍ଦି ହୋଇଛନ୍ତି ମାନସ ସ୍ଵାଇଁ ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ କୁହାଯାଉଥିବା ‘ସଂପୂର୍ଣ୍ଣ’ ଓ୍ଵେବପୋର୍ଟାଲ ମାଲିକାଣି ଶର୍ମିଷ୍ଠା ରାଉତ। ଶର୍ମିଷ୍ଠାଙ୍କ ସହଯୋଗୀ ଝୁନା ଭୋଇ ମଧ୍ୟ ଧରାପଡ଼ିଛନ୍ତି। କୋଲକାତାରୁ ଭୁବନେଶ୍ଵର ଆସୁଥିବା ଏକ ବସ୍‌ରୁ ଶର୍ମିଷ୍ଠାଙ୍କୁ କାବୁ କରାଯାଇଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।

ପୋଲିସ୍ ଏବଂ କ୍ରାଇମବ୍ରାଞ୍ଚର ମିଳିତ ଟିମ୍ ଭଦ୍ରକ ଜିଲ୍ଲା ନଳାଙ୍ଗଠାରୁ ଦୁଇଜଣଙ୍କୁ ଗିରଫ କରି ଆଜି ସନ୍ଧ୍ୟାରେ କୋର୍ଟରେ ହାଜର କରିବା ପରେ ସେମାନଙ୍କ ଜାମିନ ଆବେଦନ ଖାରଜ ହୋଇଛି। ଶର୍ମିଷ୍ଠାଙ୍କୁ ୫ ଦିନିଆ ରିମାଣ୍ଡରେ ନେବ କ୍ରାଇବ୍ରାଞ୍ଚ। ଶର୍ମିଷ୍ଠାଙ୍କ ସହିତ ଝୁନା ଭୋଇ, ନିରଂଜନ ସେଠୀ ଏବଂ ରଂଜନ ନାୟକ ମଧ୍ୟ ୫ ଦିନିଆ ରିମାଣ୍ଡରେ ଯିବେ।

କୋଉଠି ଲୁଚିଥିଲେ ଶର୍ମିଷ୍ଠା?

କ୍ୟାମେରାମ୍ୟାନ ମାନସ ଅପହରଣ ଏବଂ ହତ୍ୟାକାଣ୍ଡ ପରେ ପୋଲିସର ତନାଘନା ଆରମ୍ଭ ହୋଇଥିଲା। ସେବେଠାରୁ ଗିରଫ ଭୟରେ ଆତ୍ମଗୋପନ କରିଥିଲେ ‘ସଂପୂର୍ଣ୍ଣ’ ଓ୍ଵେବପୋର୍ଟାଲ ମାଲିକାଣି ଶର୍ମିଷ୍ଠା ରାଉତ। ପୋଲିସ୍ ସୂଚନା ଅନୁସାରେ ଶର୍ମିଷ୍ଠା ରାଜ୍ୟ ବାହାରେ ଲୁଚି ଥିଲେ। ସେ ଗୋଆହାଟୀ ଏବଂ କୋଲକାତାଠାରେ ଆଶ୍ରୟ ନେଇଥିଲେ। ଧରା ପଡ଼ିବା ଭୟରେ ନିଜ ମୋବାଇଲ ଫୋନ ବନ୍ଦ ରଖିଥିଲେ। କିନ୍ତୁ ତାଙ୍କ ବ୍ୟାଙ୍କ ଟ୍ରାଞ୍ଜାକ୍ସନକୁ ଟ୍ରେସିଂ କରି ପୋଲିସ ଏବଂ କ୍ରାଇବ୍ରାଞ୍ଚ ଶର୍ମିଷ୍ଠାଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା ଜାରି ରଖିଥିଲା।

ଆହୁରି ମଧ୍ୟ ଶୁଣିବାକୁ ମିଳୁଛି ଶର୍ମିଷ୍ଠା କୁଆଡେ ଷ୍ଟେସନରେ ଲୁଚି ରହିଥିଲେ। ବାରମ୍ବାର ନିଜର ଠିକଣା ବଦଳାଇ ପୋଲିସ ଏବଂ କ୍ରାଇମବ୍ରାଞ୍ଚ ଆଖିରେ ଧୂଳି ଦେବାକୁ ପ୍ରୟାସ କରୁଥିଲେ।

କେମିତି ଧରାପଡ଼ିଲେ ଶର୍ମିଷ୍ଠା?

କ୍ରାଇମବ୍ରାଞ୍ଚର ଦୁଇଟି ଟିମ୍ ରାଜ୍ୟ ବାହାରେ ଏବଂ ଭିତରେ ଶର୍ମିଷ୍ଠାଙ୍କୁ ଧରିବାକୁ ଜାଲ ବିଛାଇ ଥିଲା। ରାଜ୍ୟ ଭିତରୁ ବାହାରକୁ ଯାଉଥିବା ଏବଂ ଆସୁଥିବା ଗାଡ଼ିମଟର ତନ୍ନ ତନ୍ନ କରି ଯାଞ୍ଚ କରାଯାଉଥିଲା। ଆଜି ସକାଳେ କୋଲକାତାରୁ ଭୁବନେଶ୍ଵର ଅଭିମୁଖେ ଆସୁଥିବା ଏକ ବସକୁ ଭଦ୍ରକଠାରେ ଅଟକ ରଖି ଯାଞ୍ଚ କରିଥିଲା ଏହି ଟିମ୍। ଏହି ବସରେ ଶର୍ମିଷ୍ଠାଙ୍କୁ ଦେଖି ପୋଲିସ୍ ଏବଂ କ୍ରାଇମବ୍ରାଞ୍ଚର ମିଳିତ ଟିମ୍ ଗିରଫ କରିଥିଲା। ଶର୍ମିଷ୍ଠାଙ୍କ ସହ ତାଙ୍କ ସହଯୋଗୀ ଝୁନାଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଉଭୟଙ୍କୁ ଭଦ୍ରକର ନଳାଙ୍ଗଠାରୁ ଗିରଫ କରିବା ପରେ ସନ୍ଧ୍ୟାରେ ଚାନ୍ଦବାଲି ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା।

କାହା ପାଖରେ ରହିଛି ରହସ୍ୟମୟ ‘ମେମୋରି ଚିପ୍’?

ଗୋଟିଏ ମୋମେରି ଚିପକୁ ନେଇ ଏକ ଜଘନ୍ୟକାଣ୍ଡ ଘଟିଗଲା। ଏହି ଚିପରେ ଏମିତି କ’ଣ ରହିଥିଲା? କୋଉ ଗୁମର ଖୋଲିବା ଭୟରେ ମାନସକୁ ହତ୍ୟା କରାଗଲା ବୋଲି ପ୍ରଶ୍ନ ଉଠୁଛି। ଏହି ଚିପ୍‌କୁ ନେଇ ଗଣମାଧ୍ୟମରେ ଭିନ୍ନ ଭିନ୍ନ ମତ ଶୁଣିବାକୁ ମିଳିଛି। ଏହି ମେମୋରି ଚିପ୍‌ରେ ଅଶ୍ଳୀଳ ଚିତ୍ର ଥିବା କିଏ କହୁଛିତ, ଦୟାଲ ଆଶ୍ରମରେ ଚାଲିଥିବା କିଛି କଳାକାରନାମା ଏହି ଚିପ ଭିତରେ ଆବଦ୍ଧ ରହିଥିବା ମଧ୍ୟ କୁହାଯାଉଛି।

ପୁଣି ଶୁଣିବାକୁ ମିଳିଛି ମାନସ ହତ୍ୟାକାଣ୍ଡରେ ଗିରଫ ହୋଇଥିବା ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ(ଟେକ୍ନିକାଲ) ନିରଞ୍ଜନ ସେଠୀଙ୍କ ଅଭିନୀତ ଏକ ଫିଲ୍ମ ଏହି ମେମୋରି ଚିପ୍‌ରେ ରହିଛି।

ବର୍ତ୍ତମାନ ପ୍ରଶ୍ନ ଉଠିଛି ଏହି ମେମୋରି ଚିପ୍ କାହା ପାଖରେ? ଶର୍ମିଷ୍ଠା ତ ଧରାପଡ଼ିଲେ, ମେମୋରି ଚିପ୍ ପୋଲିସ୍ କିମ୍ବା କ୍ରାଇମବ୍ରାଞ୍ଚ ହାତରେ ଲାଗିଛି କି? ଯଦି କ୍ରାଇମବ୍ରାଞ୍ଚକୁ ଏହି ମେମୋରି ଚିପ୍ ମିଳିଛି ତେବେ ସେଥିରେ କୋଉ ଗୁମର ରହିଛି ବୋଲି ପ୍ରଶ୍ନ ଉଠିଛି। ଯଦି ଚିପ୍‌ ମିଳିନାହିଁ ତେବେ କାହାପାଖରେ ରହିଛି ? ଚିପ୍ ଖୋଜିବାକୁ ପୋଲିସ୍ ଏବଂ କ୍ରାଇମବ୍ରାଞ୍ଚର ମିଳିତ ଟିମ୍ ପକ୍ଷରୁ କି ପଦକ୍ଷେପ ରହିବ ସେ ବିଷୟରେ ଜାଣିବାକୁ ମଧ୍ୟ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।

ଦୀପ ତଳ ଅନ୍ଧାର

ମାନସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତା କୁହାଯାଉଥିବା ଶର୍ମିଷ୍ଠାଙ୍କୁ ଧରିବା ପାଇଁ ପୋଲିସ୍ ନାକେଦମ ହେବା ପରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ଦିଆଗଲା। ଇତି ମଧ୍ୟରେ ପୋଲିସ୍‌ର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଥିଲା। ଜାଣିଶୁଣି ପୋଲିସ୍ ଶର୍ମିଷ୍ଠାଙ୍କୁ ଧରୁନାହିଁ ବୋଲି ଅଭିଯୋଗ ମଧ୍ୟ ଉଠିଲା। ଗତ ମାର୍ଚ୍ଚ ୨୩ ତାରିଖରେ କ୍ରାଇମବ୍ରାଞ୍ଚ ହାତକୁ ଏହି ମାମଲା ଗଲାପରେ ଦୁଇଟି ଟିମ୍ ଗଠନ କରାଗଲା। ଗୋଟିଏ ଟିମ୍ ଶର୍ମିଷ୍ଠାଙ୍କୁ ଠାବ କରିବାକୁ ରାଜ୍ୟ ବାହାରକୁ ଯାଇଥିବାବେଳେ ଆଉ ଗୋଟିଏ ଟିମ୍ ରାଜ୍ୟ ଭିତରେ ତଦନ୍ତ କରୁଥିଲା।

ଏତେ ଦିନ ହେଲା ପୋଲିସକୁ ଚକ୍‌ମା ଦେଇ ଲୁଚି ରହିଥିବା ଶର୍ମିଷ୍ଠା ନାଟକୀୟ ଢ଼ଙ୍ଗରେ ସେ ପୁଣି ଭଦ୍ରକ ଜିଲ୍ଲାରୁ ଧରାପଡ଼ିବା, ଏହାକୁ ନେଇ ମଧ୍ୟ ବିଭିନ୍ନ ମହଲରେ ଭିନ୍ନ ମତ ପ୍ରକାଶ ପାଉଛି। କ୍ରାଇମବ୍ରାଞ୍ଚ ଟିମ୍ ଶର୍ମିଷ୍ଠାଙ୍କୁ ଧରିବାକୁ ରାଜ୍ୟ ବାହାରକୁ ଯାଇଥିବାବେଳେ ଶର୍ମିଷ୍ଠା ଏବଂ ତାଙ୍କ ସହଯୋଗୀ ଝୁନା ଭଦ୍ରକରୁ ଧରା ପଡ଼ିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ମାନସଙ୍କ ହତ୍ୟା ପଛରେ ଦୀପକର ହାତ ରହିଛି- ମାନସଙ୍କ ପରିବାର

କ୍ୟାମେରାମ୍ୟାନ ମାନସ ହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା ୭ ଜଣ ଗିରଫ ହୋଇଛନ୍ତି। ଆଜି ଶର୍ମିଷ୍ଠା ଧରାପଡ଼ିବା ପରେ ମାନସଙ୍କ ଭାଇ ଆଉ ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ମାନସଙ୍କ ହତ୍ୟା ପଛରେ ଦୀପକର ହାତ ରହିଛି ବୋଲି ସେ ଅଭିଯୋଗ କରିଛନ୍ତି। ମାନସ କୁଆଡେ ଯାଏ, କ’ଣ କରେ ସବୁ ଟିକିନିଖି ଖବର ଦୀପକ ଶର୍ମିଷ୍ଠାଙ୍କୁ ଦେଉଥିଲେ। ଏପରିକି ମେମୋରି ଚିପ୍ ସମ୍ପର୍କରେ ମଧ୍ୟ ଦୀପକ ଶର୍ମିଷ୍ଠାଙ୍କୁ କହିଥିବା ସେ ଅଭିଯୋଗ କରିବା ସହ ତୁରନ୍ତ ଦୀପକକୁ ଗିରଫ କଲେ ସବୁ ସତ ଜଣାପଡ଼ିବ ବୋଲି ମଧ୍ୟ କହିଛନ୍ତି।

ଦୀପକ ଶର୍ମିଷ୍ଠାଙ୍କ ସହ ଦୟାଲ ଆଶ୍ରମରେ କାମ କରୁଥିଲେ। ସେ ସହଯୋଗୀ କ୍ୟାମେରାମ୍ୟାନ ଭାବେ ଚାକିରି କରୁଥିଲେ। କିନ୍ତୁ ମାନସଙ୍କ ଜାଗା ନେବାକୁ ସବୁବେଳେ ଚେଷ୍ଟା କରୁଥିଲେ ବୋଲି ମୃତ ମାନସଙ୍କ ଭାଇ ରାକେଶ କୁମାର କହିଛନ୍ତି।

ରିମାଣ୍ଡରେ ଯିବା ପରେ ମାନସ ହତ୍ୟା ଉପରୁ ପରଦା ହଟିବକି?

ଉଭୟ ଶର୍ମିଷ୍ଠା ଏବଂ ଝୁନାଙ୍କୁ ସୋମବାର ସାକାଳେ ଗିରଫ କରାଯିବା ପରେ ସନ୍ଧ୍ୟାରେ ଚାନ୍ଦବାଲି ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯାଇଛି। ଉଭୟଙ୍କ ଜାମିନ ଆବେଦନ କୋର୍ଟ ଖାରଜ କରିଦେଇଛନ୍ତି। ଏବେ ୫ ଦିନ ପାଇଁ ଶର୍ମିଷ୍ଠାଙ୍କୁ ରିମାଣ୍ଡରେ ନେବ କ୍ରାଇମବ୍ରାଞ୍ଚ। ଝୁନା, ନିରଂଜନ ଏବଂ ରଂଜନ ମଧ୍ୟ ରିମାଣ୍ଡରେ ଯିବେ। ଶର୍ମିଷ୍ଠାଙ୍କୁ ରିମାଣ୍ଡରେ ନେବା ପରେ ମାନସ ହତ୍ୟାକାଣ୍ଡ ଉପରୁ ପରଦା ହଟି ପାରିବକି? ଅଭିଯୁକ୍ତଙ୍କ ତାଲିକାରେ ଏଇଠି ପୂର୍ଣ୍ଣଚ୍ଛେଦ ପଡ଼ିବ ନା ଘଟଣା ନୂଆ ମୋଡ଼ ନେବ ତାକୁ ନେଇ ଏବେ ବଡ଼ ପ୍ରଶ୍ନ।

Tags: #CameramanManasMurderCase #SarmithaRout #Arrested #CrimeBranch #JhunaBhoi #Remand

Comment