ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ନିମନ୍ତେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଛି। ରାଜେନ୍ଦ୍ରାଭିଷେକ ନୀତିଠାରୁ ଆରମ୍ଭ କରି ନିଳାଦ୍ରୀବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ନେଇ ବୈଠକରେ ଆଲୋଚନା ହୋଇଛି। ସ୍ନାନ ଯାତ୍ରା, ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରା ବ୍ୟବସ୍ଥା ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଛି। ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ନୀତି ସହ ଅନ୍ୟ ନୀତି ସମୟରେ ଶ୍ରଦ୍ଧାଳୁମାନେ ଯେପରି ଭଲ ଭାବେ ମହାପ୍ରଭୁଙ୍କ ସମସ୍ତ ନୀତି ଦେଖିପାରିବେ ସେଥିଲାଗି ସୁବ୍ୟବସ୍ଥା କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କ ହାତୀବେଶ ପରେ ୩ରୁ ୪ ଘଣ୍ଟା ପାଇଁ ସାଧାରଣ ଭକ୍ତଙ୍କ ନିମନ୍ତେ ଦର୍ଶନ ସୁଯୋଗ ରହିବ। ଏନେଇ ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇଛି। କରୋନା କଟକଣା ପୂର୍ବରୁ ଭକ୍ତମାନଙ୍କ ପାଇଁ ଯେଉଁଭଳି ଦର୍ଶନ ବ୍ୟବସ୍ଥା ରହିଥିଲା, ଚଳିତ ଘୋଷଯାତ୍ରା ସମୟରେ ସେହି ବ୍ୟବସ୍ଥା ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସୂଚନା ଦେଇଛନ୍ତି।

ଅନ୍ୟପଟେ ରଥଖଳାରେ ରଥ ନିର୍ମାଣ କାମ ଆଗେଇ ଚାଲିଛି। ଚଳଚଞ୍ଚଳ ରହିଛି ରଥ ଖଳା। ମଙ୍ଗଳବାର ତିନିରଥର ଚକା ଡେରା ହୋଇଛି। ଆଜି ରଥ ଖଳାରେ ୩ ରଥର ନିର୍ମାଣ କାମ ବୁଲି ଦେଖିଛନ୍ତି ଗଜପତି ମହାରାଜ। ଶ୍ରୀମନ୍ଦିର ପରିଚାଳନା କମିଟିର ମୁଖ୍ୟ ମହାରଣା ସେବାୟତମାନଙ୍କ ସହ ରଥ ନିର୍ମାଣ କାମର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିଛନ୍ତି ଗଜପତି ମହାରାଜ।

ଦୁଇବର୍ଷ ଧରି କୋଭିଡ ମହାମାରୀ ଯୋଗୁଁ ରଥଯାତ୍ରାରୁ ବଞ୍ଚିତ ହୋଇଥିଲେ ଭକ୍ତ। ଦୁଇବର୍ଷ ପରେ ରଥ ଯାତ୍ରାରେ ଭକ୍ତମାନେ ସାମିଲ ହେବାକୁ ଯାଉଥିବାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ରଥଯାତ୍ରାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ପୁରୀ ସହରର।

Tags: #PuriJagannath #ShreeMandir #JagannathTemple #RathaYatra #HathiBesha

Comment