ଓଡ଼ିଶାଲାଇଭ୍ ବ୍ୟୁରୋ
ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଶୁକ୍ରବାର ଦିନ ଶ୍ରୀଗୁଣ୍ଡିଚା ଯାତ୍ରା ପାଳିତ ହୋଇଛି। ସାଗାୟାଠାରେ ଥିବା ଇସ୍କନ ମନ୍ଦିର ଆନୁକୁଲ୍ୟରେ ମହାପ୍ରଭୁଙ୍କର ଏହି ପବିତ୍ର ଯାତ୍ରାକୁ ବେଶ୍ ଧୁମ୍ଧାମ୍ରେ ପାଳନ କରିଛନ୍ତି ବାହାରିନ ଓଡ଼ିଆ ସମାଜର ସଦସ୍ୟମାନେ।
କରୋନା କଟକଣା ପାଇଁ ଗଲା ଦୁଇ ବର୍ଷ ବାହାରିନରେ ଶ୍ରୀଗୁଣ୍ଡିଚା ଯାତ୍ରା ନିରାଡମ୍ଵର ଭାବେ ପାଳନ ହେଉଥିଲା। ତେବେ ଚଳିତ ବର୍ଷ ବିନା କୌଣସି ବାଧାରେ ମହାପ୍ରଭୁଙ୍କ ରଥ ଟାଣି ବାହାରିନରେ ଥିବା ଓଡ଼ିଆ ସମାଜର ସଦସ୍ୟମାନେ ବେଶ୍ ଆନନ୍ଦିତ ହୋଇଛନ୍ତି। “ବହୁ ଉତ୍ସାହର ସହିତ ଆମେ ଏବର୍ଷ ମହାପ୍ରଭୁଙ୍କ ଘୋଷଯାତ୍ରା ପାଳନ କରିଛୁ। ପ୍ରାୟ ୬ ହଜାର ଭକ୍ତ ଘୋଷଯାତ୍ରାରେ ସାମିଲ ହୋଇ ରଥ ଟାଣିବା ସହ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ଏହି ଶୁଭ ଦିନରେ ପୂରା ବାହାରିନରେ ଏକ ଈଶ୍ଵରୀୟ ପରିବେଶ ସୃଷ୍ଟି ହୋଇଥିଲା”, କହିଛନ୍ତି ବାହାରିନ ଓଡ଼ିଆ ସମାଜର ଅଧ୍ୟକ୍ଷ ଡକ୍ଟର ଅରୁଣ ପ୍ରହରାଜ। ଇସ୍କନ ମନ୍ଦିରରେ ପ୍ରଥମେ ମହାପ୍ରଭୁଙ୍କର ସମସ୍ତ ନୀତିକାନ୍ତି କରାଯାଇ ରଥଟଣା ନୀତି ଆରମ୍ଭ ହୋଇଥିଲା। ଭକ୍ତମାନେ ଶ୍ରୀଜୀଉଙ୍କ ରଥକୁ ଟାଣି ମନାମାସ୍ଥିତ ଶ୍ରୀନାଥଜୀ ମନ୍ଦିରକୁ ନେଇଥିଲେ। ସେଠାରେ ଚତୁର୍ଦ୍ଧା ମୂରତୀଙ୍କ ସ୍ଵାଗତ ପାଇଁ ଶ୍ରୀଜଗନ୍ନାଥ ସହସ୍ରନାମ ପାଠ କରାଯାଇଥିଲା। ଏହି ଅବସରରେ ନେପାଳର ରାଜଦୂତ ଅରୁଣା ଘିସିଂଗ ଯୋଗ ଦେଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ।ଶ୍ରୀଗୁଣ୍ଡିଚା ଯାତ୍ରା ପାଳନ ଅବସରରେ ସନ୍ଧ୍ୟାରେ ଏକ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଏଥିରେ ବାହାରିନ ଓଡ଼ିଆ ସମାଜର ମହିଳା ସଦସ୍ୟମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବାହାରିନଠାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଶେଖ ଅଲଜାୱାର ଯୋଗ ଦେଇଥିଲେ।
ଶେଷରେ ବାହାରିନ ଓଡ଼ିଆ ସମାଜ ପକ୍ଷରୁ ଉପସ୍ଥିତ ସମସ୍ତ ଭକ୍ତଙ୍କ ଲାଗି ମହାପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା।
Tags: #RathYatra #RathYatra2022 #Bahrain #BahrainOdiaSociety #ବାହାରିନଓଡ଼ିଆସମାଜ #ବାହାରିନ