ଓଡ଼ିଶାଲାଇଭ୍ ବ୍ୟୁରୋ
(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ସହର ଉପଖଣ୍ଡ ଝୁଲାବ୍ରିଜ ନିକଟ ନାଗାବଳୀ ନଦୀ ମଝିରେ ଫସି ରହିଥିବା ଦୁଇ ଯୁବକଙ୍କୁ ଉଦ୍ଧାର କରାଯାଇଛି। ରବିବାର ଦିନ ଦୁଇ ଜଣ ଯୁବକ ନାଗାବଳୀ ନଦୀ ମଝିରେ ଫସି ଜୀବନ-ମରଣ ସହ ସଙ୍ଘର୍ଷ କରୁଥିଲେ। ଶେଷର ସେମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଏହି ଖବର ପ୍ରସାର ହେବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ସାହସିକତାକୁ ଉଚ୍ଚ ପ୍ରଶଂସା କରିଛନ୍ତି।
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ପୋଡ଼ାପାଡ଼ି ଅଞ୍ଚଳର ଦୁଇ ଯୁବକ ସୁମନ ନାୟକ ଏବଂ ସୁଧିର ନାୟକ ରବିବାର ଦିନ ଝୁଲାବ୍ରିଜ ନିକଟ ନାଗାବଳୀ ନଦୀକୁ ଗାଧୋଇବାକୁ ଯାଇଥିଲେ। ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଥିଲା। ପ୍ରଖର ସ୍ରୋତରେ ଭାସି ଯାଇଥିଲେ ସୁମନ ଏବଂ ସୁଧିର।
ଦୁଇ ଯୁବକ ନଦୀ ମଝିରେ ଥିବା ଚଟାଣ ଉପରକୁ ଜୀବନ ବିକଳରେ ପହଞ୍ଚି ଯାଇଥିଲେ। ସେଠାରୁ ଉଦ୍ଧାର ପାଇବା ପାଇଁ ଅପେକ୍ଷା କରି ରହିଥିଲେ। ଘଟଣା ଜଣାପଡ଼ିବା ପରେ ଆଖପାଖ ଅଞ୍ଚଳରୁ ଲୋକେ ଝୁଲାବ୍ରିଜ ନିକଟରେ ରୁଣ୍ଡ ହୋଇଥିଲେ। ଖବର ପାଇ ରାୟଗଡ଼ା ଏବଂ କଲନରା ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଦୀର୍ଘ ୪ ଘଣ୍ଟାର ପ୍ରୟାସ ପରେ ଦୁଇ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଥିଲେ ଅଗ୍ନିଶମ ବିଭାଗ କର୍ମଚାରୀ।
Tags: #People #Problem #Rayagada #Nagabalinadi