ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଦେଶକୁ ମିଳିବେ ନୂଆ ରାଷ୍ଟ୍ରପତି। ସଂସଦ ଭବନର ୬୩ ନମ୍ଵର କକ୍ଷରେ ଏଥିପାଇଁ ଭୋଟ୍ ଗଣନା ଚାଲିଛି। ସମ୍ପୂର୍ଣ୍ଣ ଭୋଟ୍ ଗଣତି ହେବା ପରେ ଦେଶର ପଞ୍ଚଦଶ ରାଷ୍ଟ୍ରପତି କିଏ ହେବେ ତାହା ସ୍ପଷ୍ଟ ହେବ। ତେବେ ପ୍ରଥମ ରାଉଣ୍ଡରେ ଏନ୍‌ଡିଏ ପ୍ରାର୍ଥୀ ଦୌପଦୀ ମୁର୍ମୁ ରାଷ୍ଟ୍ରପତି ରେସ୍‌ରେ ଆଗୁଆ ଅଛନ୍ତି।

ପ୍ରଥମ ରାଉଣ୍ଡ ଭୋଟ୍ ଗଣନାରେ ଦ୍ରୌପଦୀ ମୁର୍ମୁଙ୍କୁ ୫୪୦ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଯଶୱନ୍ତ ସିହ୍ନାଙ୍କୁ ୨୦୮ ଭୋଟ୍ ମିଳିଛି। ସେହିପରି ପ୍ରଥମ ରାଉଣ୍ଡ ସୁଦ୍ଧା ୧୫ଟି ଭୋଟ୍ ନାକଚ ହୋଇଥିବା ଜଣାପଡ଼ିଛି।ଜୁଲାଇ ୧୮ରେ ରାଷ୍ଟ୍ରପତି ପଦବୀ ଲାଗି ନିର୍ବାଚନ ହୋଇଥିଲା। ଏଥିରେ ସାଂସଦ ଏବଂ ବିଧାୟକମାନଙ୍କୁ ମିଶାଇ ମୋଟ୍ ୪,୭୯୬ ଇଲେକ୍ଟର ଭୋଟ୍ ଦେଇଥିଲେ। ଗୁରୁବାର ସକାଳ ୧୧ଟାରୁ ସଂସଦ ଭବନରେ ରାଷ୍ଟ୍ରପତି ନିର୍ବାଚନର ବାଲାଟ ବକ୍ସରୁ ଭୋଟ୍ ଗଣତି ଆରମ୍ଭ ହୋଇଛି। ଅପରାହ୍‌ଣ ୪ଟା ସୁଦ୍ଧା ଭୋଟ୍ ଗଣତି ଶେଷ ହୋଇପାରେ। ଏହାପରେ ଦେଶର ସର୍ବୋଚ୍ଚ ପଦବୀରେ କିଏ ବସିବାକୁ ଯାଉଛନ୍ତି ତାହା ଜଣାପଡ଼ିଯିବ।

ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଏନ୍‌ଡିଏ ପକ୍ଷରୁ ଓଡ଼ିଆ ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ରହିଥିବା ବେଳେ ବିରୋଧୀ ମେଣ୍ଟ ୟୁପିଏର ପାର୍ଥୀ ରହିଛନ୍ତି ଯଶଓ୍ଵନ୍ତ ସିହ୍ନା। ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଅଧିକ ଦଳ ସମର୍ଥନ ଦେଇଥିବାରୁ ତାଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ ହୋଇଯାଇଛି। ଖାଲି ଔପଚାରିକ ଭାବେ ଘୋଷଣା ହେବା ବାକି ରହିଛି।ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ଆସିବା ପୂର୍ବରୁ ବିଜୟ ଉତ୍ସବ ପାଳନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବିଜୟ ଉତ୍ସବ ପାଳନ ପାଇଁ ମୟୂରଭଞ୍ଜର ରାଇରଙ୍ଗପୁର ସହର ଉତ୍ସବ ମୁଖର ହୋଇ ଉଠିଛି। ସେଠାକାର ରଙ୍ଗଲାଲ ଧର୍ମଶାଳାରେ ୨୦ ହଜାର ଲଡୁ ପ୍ରସ୍ତୁତି କରାଯାଇଛି। ଫଳାଫଳ ଆସିବା ପରେ ଏହି ଲଡୁ ବଣ୍ଟାଯିବ। ଏହାବ୍ୟତୀତ ସହରର ବିଭିନ୍ନ ସ୍ଥାନକୁ ଆଲୋକମାଳାରେ ସଜ୍ଜିତ କରାଯାଇଛି। ଦ୍ରୋପଦୀ ମୁର୍ମୁ ବିଜୟୀ ହେଲେ ଆସନ୍ତା ୨୫ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ।

Comment