ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଣ୍ଡଳିକୁ ଆସୁଥିବା ବନ୍ୟାଜଳ ବିଭିନ୍ନ ନଦୀରେ ପହଞ୍ଚିବା ଫଳରେ ଜଳସ୍ତର ବିପଦ ସଙ୍କେତ ଟପିଛି। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ଦୟା, ଭାର୍ଗବୀ, ରାଜୁଆ, ମଲାଗୁଣି ଏବଂ କୁଶଭଦ୍ରା ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ତଳିଆ ଅଞ୍ଚଳର ଅନେକ ଗାଁ ଜଳଘେରରେ ରହିଥିବାବେଳେ ହନ୍ତସନ୍ତ ହେଉଛନ୍ତି ଲୋକେ।
ଦୟାନଦୀରେ ଜଳସ୍ତର ବିପଦ ସଙ୍କେତ ଟପିଥିବାବେଳେ କଣାସ, ଗୋପ, ଅସ୍ତରଙ୍ଗ, ପିପିଲି, ସତ୍ୟବାଦୀ ଓ ନିମାପଡ଼ା ଆଦି ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ହୋଇଛି। ବିଶେଷକରି କଣାସ ଅଞ୍ଚଳ ପ୍ରତି ବିପଦ ଦେଖାଦେଇଛି। ଅନେକ ଗାଁରେ ପାଣି ପଶିବା ଯୋଗୁଁ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଅଞ୍ଚଳବାସୀ।
କଣାସ ଓ ଜଙ୍କିଆ ମଧ୍ୟରେ ଯୋଗାଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଛି। କଣାସର ପ୍ରାୟ ୬ଟି ଗାଁ ଜଳଘେରରେ ରହିଛି। ଏହା ସହିତ ୬ଟି ପଞ୍ଚାୟତର ହଜାର ହଜାର ଏକର ଚାଷଜମି ଜଳମଗ୍ନ ହୋଇରହିଛି।
ଗଡ଼ବଡ଼ପୁଟ ପଞ୍ଚାୟତ ବେହେଣ୍ଟବାସୀ ଜଳଘେରରେ ରହିଛନ୍ତି। ରାସ୍ତା ଉପରେ ୩ ଫୁଟ ଉଚ୍ଚରେ ପାଣି ଚାଲିଛି। ଜଳ ଘେରରେ ରହିଥିବା ଅନେକ ପରିବାରକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଉଦ୍ଧାର କରାଯାଇ ପଞ୍ଚାୟତ କାର୍ଯ୍ୟାଳୟ ଓ ବହୁମୁଖୀ ଆଶ୍ରାୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି।
ପରିସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ରନ୍ଧାଖାଦ୍ୟ ଯୋଗାଇଦେବା ଲାଗି ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଅନ୍ୟପଟେ କେତେକ ସ୍ଥାନରେ ବାଲିବସ୍ତା, ନଡ଼ିଆଗଛ ଓ ତାଳଗଛ ଆଦି ପକାଇ ଗଳିଆ ବନ୍ଦ କରିବାକୁ ପ୍ରୟାସ କରାଯାଉଛି। ପରିସ୍ଥିତିର ମୁକାବିଲା ପାଇଁ ଓଡ୍ରଫ୍, ଏନଡିଆରଏଫ୍ ଏବଂ ଅଗ୍ନିଶମ ବାହିନୀ ପ୍ରସ୍ତୁତ ରହିଛନ୍ତି।
Tags: #FloodSituation #FloodInOdisha #FloodAffectArea #FloodInKanas #Mahanadi