ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ ବଂଶୋଦ୍ଭବ ଋଷି ସୁନକଙ୍କୁ ପଛରେ ପକାଇ ୟୁନାଇଟେଡ୍ କିଙ୍ଗଡମ (ୟୁକେ)ର ପ୍ରଧାନମନ୍ତ୍ରୀ ହୋଇଛନ୍ତି ଲିଜ୍ ଟ୍ରସ୍। କେହି କେବେ ଭାବିନଥିବେ ଯେ, ସ୍କୁଲ ମକ୍ ଇଲେକ୍ସନରେ ‘ଜିରୋ’ ଭୋଟ୍ ପାଇଥିବା ଲିଜ୍ ଟ୍ରସ୍ ଭବିଷ୍ୟତରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ହେବେ। ତେବେ ତାଙ୍କ ବ୍ୟକ୍ତିଗତ ଜୀବନ ଓ ରାଜନୈତିକ ଜୀବନର ଯାତ୍ରା କିଛି ଏପରି ଥିଲା।
ଲିଜ୍ ଟ୍ରସଙ୍କ ବ୍ୟକ୍ତିଗତ ଜୀବନ
୧୯୭୫ ମସିହାରେ ଅକ୍ସଫୋର୍ଡରେ ଲିଜ୍ ଟ୍ରସଙ୍କ ଜନ୍ମ ହୋଇଥିଲା। ତାଙ୍କର ପୂରାନାମ ମେରୀ ଏଲିଜାବେଥ୍ ଟ୍ରସ୍ । କଲେଜପଢ଼ା ପରେ ଲିଜ୍ ଟ୍ରସ୍ ଏକ ଘରୋଇ କମ୍ପାନିରେ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ୨୦୦୦ ମସିହାରେ ସହକର୍ମୀ ତଥା ହ୍ୟୁଗ୍ ଓ’ ଲେରୀଙ୍କୁ ବିହାହ କରିଥିଲେ। ଲିଜ୍ ଟ୍ରସ୍ ବର୍ତ୍ତମାନ ଦୁଇ ସନ୍ତାନଙ୍କ ଜନନୀ ଅଟନ୍ତି। ଲିଜ୍ ଟ୍ରସଙ୍କ ପିତା ଜଣେ ଗଣିତ ଅଧ୍ୟାପକ ଥିଲେ ଏବଂ ମା’ ଜଣେ ନର୍ସ ଥିଲେ। ଲିଜ୍ ଟ୍ରସ୍ ବର୍ତ୍ତମାନ କନର୍ଜଭେଟିବ୍ ପାର୍ଟିର ନେତୃତ୍ଵ ନେବାରେ ସବୁଠାରୁ ଆଗରେ ଥିଲେ ମଧ୍ୟ ଏକଦା ନିଜ ପିତାମାତଙ୍କୁ ସେ ବାମପନ୍ଥୀ ବୋଲି କହୁଥିଲେ।
ସ୍କୁଲରୁ ରାଜନୈତିକ ଜୀବନର ଆରମ୍ଭ
୧୯୮୧-୧୯୮୩ରେ ତାଙ୍କ ମା’ ପରମାଣୁ ନିରସ୍ତ୍ରୀକରଣ ଅଭିଯାନ ଆରମ୍ଭ କରିଥିଲେ। ପଶ୍ଚିମ ଲଣ୍ଡନରେ ଆମେରୀକୀୟ ପରମାଣୁ ଅସ୍ତ୍ର ସ୍ଥାପନ କରିବାକୁ ମାର୍ଗରେଟ୍ ଥେଚର ସରକାର ଅନୁମତି ଦେଇଥିବାବେଳେ ଲିଜ୍ ଟ୍ରସଙ୍କ ମା’ ଏହାକୁ ସେ ଦୃଢ଼ ବିରୋଧ କରିଥିଲେ। ଠିକ୍ ଏହି ସମୟରେ ୭ ବର୍ଷିୟ ଲିଜ୍ ଟ୍ରସ୍ ତାଙ୍କ ସ୍କୁଲ ମକ୍ ଇଲେକ୍ସନରେ ମାର୍ଗରେଟ୍ ଥେଚରଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ଏହି ମକ୍ ଇଲେକ୍ସନରେ ଲିଜ୍ ଟ୍ରସଙ୍କୁ ଗୋଟିଏ ମଧ୍ୟ ଭୋଟ୍ ମିଳିନଥିଲା। ଏପରିକି ସେ ନିଜେ ନିଜକୁ ମଧ୍ୟ ଭୋଟ ଦେଇନଥିଲେ।
ସେଦିନ ‘ଜିରୋ’ ଭୋଟ ପାଇଥିବା ଲିଜ୍ ଟ୍ରସ୍ ୩୯ ବର୍ଷ ପରେ ମାର୍ଗରେଟ୍ ଥେଚରଙ୍କୁ ଅନୁସରଣ କରିବା ପୂର୍ବକ କଞ୍ଜରଭେଟିଭ୍ ପାର୍ଟିର ନେତୃତ୍ଵ ନେବା ସହ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି।
ସ୍କୁଲ ପରେ ଲିଜ୍ ଟ୍ରସ୍ ଅକ୍ସଫୋର୍ଡ ୟୁନିଭରସିଟିରେ ଦର୍ଶନଶାସ୍ତ୍ର, ରାଜନୀତି ଏବଂ ଅର୍ଥନୀତି ବିଭାଗରେ ପାଠ ପଢ଼ିଥିଲେ। ସେତେବେଳେ ସେ ଲିବରାଲ ଡେମୋକ୍ରାଟିକ୍ ଦଳରୁ ଛାତ୍ର ରାଜନୀତିରେ ସକ୍ରିୟ ଥିଲେ। ୧୯୯୪ରେ ଡେମୋକ୍ରାଟିକ ପାର୍ଟି ଦ୍ୱାରା ଆୟୋଜିତ ସମ୍ମିଳନୀରେ ଲିଜ୍ ଟ୍ରସ୍ ଯୋଗ ଦେଇ ୟୁକେରୁ ରାଜଶାସନ ସମାପ୍ତ କରିବା ପାଇଁ ଯୁକ୍ତି ରଖିଥିଲେ। ସେ କହିଥିଲେ ଶାସନ କରିବାର ସୁଯୋଗ ସବୁ ବର୍ଗର ଲୋକଙ୍କୁ ମିଳିବା ଆବଶ୍ୟକ କେବଳ କିଛି ଲୋକଙ୍କୁ ଶାସନ କ୍ଷମତା ମିଳିବା ସୀମିତ ନରହୁ।
ତେବେ ପରବର୍ତ୍ତୀ ସମୟରେ ସେ ଲିବରାଲ ଡେମୋକ୍ରାଟିକ୍ ଦଳରୁ ଇସ୍ତଫା ଦେଇ କଞ୍ଜରଭେଟିଭ୍ ପାର୍ଟିରେ ଯୋଗ ଦେଇଥିଲେ।
ସାଧାରଣ ନିର୍ବାଚନରେ ପରାଜୟରୁ ପ୍ରଧାନମନ୍ତ୍ରୀ ହେବାର ଯାତ୍ରା
୨୦୦୧ରେ ବିଧବଦ୍ଧ ଭାବେ ସେ ରାଜନୈତିକ ଯାତ୍ରା ଆରମ୍ଭ କରିଥିଲେ। ଏହି ବର୍ଷ ସେ କଞ୍ଜରଭେଟିଭ୍ ପାର୍ଟିରୁ ପଶ୍ଚିମ ୟାର୍କସେୟାର ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ। ଏହି ନିର୍ବାଚନରେ ତାଙ୍କୁ ହାରିବାକୁ ପଡ଼ିଥିଲା। ପୁଣିଥରେ ୨୦୦୫ରେ କାଲଡ୍ର ଭ୍ୟାଲିରୁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ ଏଥର ମଧ୍ୟ ତାଙ୍କୁ ପରାଜୟର ସାମନା କରିବାକୁ ପଡ଼ିଥିଲା।
ତେବେ ପରବର୍ତ୍ତୀ ସମସ୍ୟାରେ ପାର୍ଟିର ସୁପ୍ରିମୋ ଡେଭିଡ୍ କ୍ୟାମରନ୍ ଲିଜ୍ ଟ୍ରସଙ୍କୁ ଦଳର ପ୍ରାଥମିକ ସଦସ୍ୟ ତାଲିକାର ଲିଷ୍ଟ-ଏରେ ରଖିଥିଲେ। ଏହାପରେ ପାର୍ଟି ପକ୍ଷରୁ ଲିଜ୍ ଟ୍ରଷ୍ଟଙ୍କୁ ଦକ୍ଷିଣ-ପଶ୍ଚିମ ନରଫକକୁ ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ। ଏଥର ଲିଜ୍ ଟ୍ରସ୍ ୧୩ ହଜାରରୁ ଅଧିକ ଭୋଟରେ ପ୍ରପ୍ରତିଦ୍ଵନ୍ଦୀଙ୍କ ଠାରୁ ବିଜୟ ହାସଲ କରିଥିଲେ।
ସାଂସଦ ହେବାର ୨ବର୍ଷ ପରେ ଅର୍ଥାତ୍ ୨୦୧୨ ମସିହାରେ ଲିଜ୍ ଟ୍ରସ୍ ଶିକ୍ଷାମନ୍ତ୍ରୀ ଭାବେ ବ୍ରିଟିଶ୍ ସରକାରରେ ସ୍ଥାନ ପାଇଥିଲେ। ପରେ ୨୦୧୪ରେ ସେ ପର୍ଯ୍ୟାବରଣ ସଚିବ ଭାବେ ଦାୟିତ୍ବ ତୁଲାଇଥଲେ। ଥେରେସା ମେ ପ୍ରଧାନମନ୍ତ୍ରୀ ଥିବା କାଳରେ ସେ ନ୍ୟାୟ ସଚିବ ଭାବେ ଦାୟିତ୍ଵ ତୁଲାଇଥିଲେ। ତେବେ୨୨୦୧୯ରେ ବୋରିସ୍ ଜନସନ ପ୍ରଧାନମନ୍ତ୍ରୀ ହେବା ପରେ ଲିଜ୍ ଟ୍ରସଙ୍କ ଅନ୍ତରାଷ୍ଟ୍ରୀୟ ବ୍ୟାପାର ସଚିବ ଭାବେ ଦାୟିତ୍ଵ ଦିଆଯାଇଥିଲା।
୨୦୨୧ରେ ସେ ମାତ୍ର ୪୬ ବର୍ଷ ବୟସରେ ସେ ଡୋମିନିକ ରାଓଙ୍କ ବଦଳରେ ବୈଦେଶିକ ସଚିବ ହୋଇଥିଲେ। ଅନ୍ୟପଟେ ଦୁର୍ନୀତିରେ ଛନ୍ଦି ହେବା ପରେ ବ୍ୟାପକ ଆକ୍ରୋଶ କାରଣରୁ ବୋରିସ୍ ଜନସନ ୨୦୨୨ ମସିହା ଜୁଲାଇରେ କଞ୍ଜରଭେଟିଭ୍ ପାର୍ଟିର ନେତା ପଦରୁ ଇସ୍ତଫା ଦେଇଥିଲେ ଏବଂ ବ୍ରିଟେନରେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ପଦ ପାଇଁ ଲିଜ୍ ଟ୍ରସଙ୍କ ପାଇଁ ବାଟ ଫିଟିଥିଲା। ବିଟ୍ରେନର ତୃତୀୟ ମହିଳା ପ୍ରଧାନମନ୍ତ୍ରୀ ଭାବେ ଲିଜ୍ ଟ୍ରସ୍ ନିର୍ବାଚିତ ହୋଇଛନ୍ତି।
Tags: #UKPrimeminister #LizTruss #BritainPM #ConservativeParty