ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜାଦୀ କା ଅମୃତ ମହୋତ୍ସବ ଏବଂ ୧୫୩ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଓଡ଼ିଶାର ବିଭିନ୍ନ ଐତିହାସିକ ସ୍ଥଳରୁ ପବିତ୍ର ଜଳ ଓ ମାଟି ସଂଗ୍ରହ କରାଯାଉଛି। ଏହି କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ବେଦବ୍ୟାସ ପୀଠର ତ୍ରିବେଣୀ ସଙ୍ଗମରୁ ପବିତ୍ର ଜଳ ଏବଂ ଐତିହାସିକ ଆମକୋ ସିମକୋ ସହିଦ ସ୍ମୃତିପୀଠରୁ ପବିତ୍ର ମାଟି ନିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ସଂଗୃହୀତ ଏହି ପବିତ୍ର ଜଳ ଓ ମାଟିକୁ ବ୍ୟବହାର କରି ଗାନ୍ଧୀ ଜୟନ୍ତୀ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାରାରୋପଣ କରିବେ।
ମହାତ୍ମା ଗାନ୍ଧୀ ଅନେକଥର ଓଡ଼ିଶା ଭ୍ରମଣରେ ଆସିଥିଲେ। ସେ ଭ୍ରମଣ କରିଥିବା ବିଭିନ୍ନ ସ୍ଥାନ ସହ ଓଡ଼ିଶାର ଅନ୍ୟ ଐତିହ୍ୟସମ୍ପନ୍ନ ସ୍ଥାନରୁ ପବିତ୍ର ଜଳ ଓ ମାଟି ସଂଗ୍ରହ କରାଯାଉଛି। ଏହାକୁ ଚାରାରୋପଣରେ ବ୍ୟବହାର କରି ଗାନ୍ଧୀ ଜୟନ୍ତୀରେ ମହାତ୍ମାଙ୍କ ପ୍ରତି ବିଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ।
ସୁନ୍ଦରଗଡ଼ ଜିଲ୍ଲାର ଲାଠିକଟା ବ୍ଲକ ବେଦବ୍ୟାସଠାରେ ରହିଛି ତ୍ରିବେଣୀ ସଙ୍ଗମ ସ୍ଥଳ। ବ୍ରାହ୍ମଣୀ ନଦୀରେ ଥିବା ଏହି ସଙ୍ଗମ ସ୍ଥଳରୁ ବୁଧବାର ଦିନ ପବିତ୍ର ଜଳ ସଂଗ୍ରହ କରାଯାଇଛି। ସେହିପରି କୁଆରମୁଣ୍ଡା ବ୍ଲକ ରାଏବଗା ଗ୍ରାମପଞ୍ଚାୟତରେ ରହିଛି ଐତିହାସିକ ସହିଦ ସ୍ମୃତି ପୀଠ ‘ଆମକୋ ସିମକୋ’। ଜୋରଜବରଦସ୍ତ କର ଆଦାୟ ବିରୋଧରେ ଆନ୍ଦୋଳନ କରି ବ୍ରିଟିଶ ଗୁଳିରେ ୪୯ ଜଣ ଜନତା ସହିଦ ହୋଇଥିଲେ। ସେମାନଙ୍କ ଆତ୍ମ ବଳିଦାନର ସାକ୍ଷୀ ଥିବା ଏହି ସ୍ମାରକୀ ପୀଠରେ ପୂଜାର୍ଚ୍ଚନା ସହ ପବିତ୍ର ମାଟି ସଂଗ୍ରହ କରାଯାଇଛି।
ପ୍ରଶାସନ ପକ୍ଷରୁ ଶୋଭାଯାତ୍ରାରେ ଯାଇ ଉପରୋକ୍ତ ଦୁଇଟି ସ୍ଥାନରୁ ପୂଜାର୍ଚ୍ଚନା ସହ ପବିତ୍ର ଜଳ ଓ ମାଟି ଅଣାଯାଇଛି। ଏହାକୁ ସୁନ୍ଦରଗଡ଼ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିଆଯାଇ ସେଠାରୁ ରାଜ୍ୟ ହେଡ୍ କ୍ଵାର୍ଟରକୁ ପଠାଯିବ।
ଏହି କାର୍ଯ୍ୟକ୍ରମ ଅବସରରେ ଲାଠିକଟା ବ୍ଲକ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଖେସ୍, କୁଆରମୁଣ୍ଡା ବ୍ଲକ ଅଧ୍ୟକ୍ଷା ଜ୍ୟୋତି କେରକେଟା, କୁଆରମୁଣ୍ଡା ବିଡିଓ ତୃପ୍ତି ବାରା, ଲାଠିକଟା ଅତିରିକ୍ତ ତସିଲଦାର ସୁଶ୍ରୀ ରେଖା ମହାନ୍ତ, ଗର୍ଜନ ସରପଞ୍ଚ ସଚିନ ଏକ୍କା, ରାଏବଗା ସରପଞ୍ଚ ପ୍ରଦୀପ କୁଲୁ, ଆମକୋ ସିମକୋ ସହିଦ କମିଟିର ସେକ୍ରେଟାରୀ ଫ୍ଲାବିଆନୁସ ଏକ୍କା, ରାଉରକେଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୀମା ଫାତିମା ଏକ୍କା ପ୍ରମୁଖ ଉପସ୍ଥିତ ଥିଲେ।
Tags: #Sundargarh #WaterAndSoil #HistoricSites #Plantation #GandhiJayanti
















