ଓଡ଼ିଶାଲାଇଭ୍ ବ୍ୟୁରୋ

୭୬ ବର୍ଷ ପୂର୍ଣ୍ଣ କରି ୭୭ ବର୍ଷରେ ପାଦଥାପିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟବାସୀ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ତାଙ୍କର ଦୀର୍ଘାୟୁ କାମନା କରିଛନ୍ତି। ରବିବାର ଦିନ ମୁଖ୍ୟମନ୍ତ୍ରୀଙ୍କର ହାଇଦ୍ରବାଦ ଗସ୍ତ କାର୍ଯ୍ୟକ୍ରମ ଥିବାରୁ ଜନ୍ମଦିନରେ ନବୀନ ନିବାସ ନଆସିବାକୁ ଅନୁରୋଧ କରିବା ସହ ଓଡ଼ିଶାବାସୀଙ୍କ ସ୍ନେହ ଓ ଆଶୀର୍ବାଦ ପାଇଁ ସେ ସବୁବେଳେ ଋଣି ବୋଲି କହିଥିଲେ।
ଦଳୀୟ କର୍ମୀ ଓ ନେତା ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିବସକୁ ସେବାର ଦିନ ଭାବେ ପାଳନ କରିଛନ୍ତି। ସାରା ରାଜ୍ୟରେ ରକ୍ତଦାନ ଶିବିରର ଆୟୋଜନ କରାଯିବା ସହ ୧୦ ହଜାର ୟୁନିଟ୍ ରକ୍ତ ସଂଗ୍ରହ ଲକ୍ଷ୍ୟ ରଖାଯାଇଥିଲା। ଏହି ଅବସରରେ ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା। କ୍ରମାଗତ ୫ ଥର ମୁଖ୍ୟମନ୍ତ୍ରୀ ଭାବେ ନିର୍ବାଚିତ ହୋଇଛନ୍ତି ନବୀନ ପଟ୍ଟନାୟକ। ବାପା ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ୧୯୯୭ ମସିହା ଡିସେମ୍ବର ୨୬ ତାରିଖରେ ବିଜୁ ଜନତା ଦଳ ଗଠନ ହୋଇଥିଲା। ଯାହାର ନେତୃତ୍ୱ ନେଇଥିଲେ ନବୀନ ପଟ୍ଟନାୟକ। ସେବେଠାରୁ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ି ଆଗକୁ ଆଗକୁ ବଢ଼ି ଚାଲିଛନ୍ତି ନବୀନ।
ପ୍ରଥମେ ସାଂସଦ, ପରେ କେନ୍ଦ୍ରମନ୍ତ୍ରୀ ଏବଂ ତା’ପରେ ମୁଖ୍ୟମନ୍ତ୍ରୀ ହୋଇ ଓଡ଼ିଶାର ଶାସନ ଭାର ହାତକୁ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରାଜନୈତିକ କ୍ୟାରିୟରରେ ଗୋଟିଏ ପରେ ଗୋଟିଏ ଜନକଲ୍ୟାଣକାରୀ ଯୋଜନା ପ୍ରଣୟନ କରି ଲୋକଙ୍କ ଆହୁରି ନିକଟତର ହୋଇପାରିଛନ୍ତି।
Tags: #CMOdisha #NaveenPatnaik #BirthDay #Celebration


















