ଓଡ଼ିଶାଲାଇଭ୍ ବ୍ୟୁରୋ

ଚାଷୀଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର। ମରୁଡ଼ି ପ୍ରଭାବିତ ଚାଷୀଙ୍କୁ ମିଳିବ ସହାୟତା। ମଙ୍ଗଳବାର ଦିନ ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ୨୦୦ କୋଟି ଟଙ୍କାର ଇନପୁଟ ସବସିଡି ଘୋଷଣା କରିଛନ୍ତି ମଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ରାଜକୋଷରୁ ଏହି ଅର୍ଥ ବ୍ୟୟ କରାଯିବ। ମରୁଡ଼ି ଯୋଗୁଁ ଚାଷ ଉପରେ ନିର୍ଭର କରି ଚଳୁଥିବା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିପଡ଼ିଥିବାବେଳେ ଏହି ସହାୟତା କିଛି ମାତ୍ରରେ ସେମାନଙ୍କୁ ସହଯୋଗ କରିବ ବୋଲି ଆଶା କରିଛନ୍ତି ସରକାର।
ମରୁଡ଼ି ଯୋଗୁଁ ରାଜ୍ୟର ୧୨ଟି ଜିଲ୍ଲାର ୬୪ ବ୍ଲକ ଓ ୧୫ ସହରାଞ୍ଚଳର ୨,୬୩୫୬୦ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଛି। ବର୍ତ୍ତମାନ ସୁଦ୍ଧା କ୍ଷତିଗ୍ରସ୍ତ ଚାଷୀଙ୍କୁ ଫସଲ ବୀମା ମିଳିନାହିଁ। ରାଜ୍ୟ ସରକାର କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରାଳୟ ଅଧୀନ ବୈଷୟିକ ଉପଦେଷ୍ଟା କମିଟିକୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। କ୍ଷତିଗ୍ରସ୍ତ ଚାଷୀଙ୍କ ଦାବି ଏବଂ ଜିଲ୍ଲାପାଳଙ୍କ ଫସଲହାନୀ ରିପୋର୍ଟକୁ ବିଚାର କରି ମୁଖ୍ୟମନ୍ତ୍ରୀ ଆଜି ଏହି ଘୋଷଣା କରିଛନ୍ତି।
କ୍ଷତିଗ୍ରସ୍ତ ଜିଲ୍ଲାର ଜିଲ୍ଲାପାଳମାନେ କ୍ଷତିପୂରଣ ରିପୋର୍ଟ ସହ ଆବଶ୍ୟକ ଅର୍ଥ ସମ୍ପର୍କରେ ଏସଆରସିଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ରିପୋର୍ଟ ଆଧାରରେ ମରୁଡ଼ି କ୍ଷତିଗ୍ରସ୍ତ ଚାଷୀଙ୍କୁ ଇନପୁଟ ସହାୟତା ପ୍ରଦାନ କରାଯିବ।
Tags: #CModisha #Farmer #InputAssistance #DroughtAffectedArea


















