ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ବୌଦ୍ଧ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି ସର୍ପାଘାତ ମାମଲା। ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁଯାୟୀ ବୌଦ୍ଧ ଜିଲ୍ଲାରେ ୨୦୨୦-୨୧ ବର୍ଷରେ ୭୫ଟି ମାମଲା ଆସିଛି। ଚଳିତ ବର୍ଷ ଅକ୍ଟୋବର ମାସ ପର୍ଯ୍ୟନ୍ତ ୪୮ଟି ସାପକାମୁଡ଼ା ମାମଲା ଡାକ୍ତରଖାନାକୁ ଆସିଛି। ପୂର୍ବ ବର୍ଷ ସାପକାମୁଡ଼ାରେ ୨୩ ଜଣଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ଚଳିତ ବର୍ଷ ସର୍ପାଘାତ ଜନିତ ମୃତ୍ୟୁର ସଠିକ୍ ରିପୋର୍ଟ୍ ଆସିପାରି ନାହିଁ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳଗୁଡ଼ିକରେ ଲୋକେ ସାପ କାମୁଡ଼ିଲେ ଡାକ୍ତରଖାନା ନଯାଇ ଗୁଣିଗାରେଡ଼ି ଉପରେ ବିଶ୍ବାସ କରନ୍ତି। ଯାହାର ଫଳରେ ଅଧିକଂଶ ଲୋକ ମୃତ୍ୟୁ ମୁଖରେ ପଡ଼ନ୍ତି ବୋଲି ଡାକ୍ତର କୁହନ୍ତି।

ସଚେତନତା ଅଭାବରୁ ଅଧିକାଂଶ ଲୋକ ସାପକାମୁଡ଼ିବା ପରେ ପରେ ଗୁଣିଆ ଏବଂ ଦେଶୀ ଚିକିତ୍ସା କରାଇଥାନ୍ତି। ସେଥିରେ ଭଲ ନହେଲ ଶେଷରେ ଡାକ୍ତରଖାନାକୁ ଆସିଥାନ୍ତି। ଯାହାଫଳରେ କିଛି ଲୋକ ସୁସ୍ଥ ହୁଅନ୍ତି ଏବଂ କିଛି ଲୋକ ପ୍ରାଣ ହରାଇଥାନ୍ତି ବୋଲି କହିଛନ୍ତି ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ଅରୁଣ ମେଣ୍ଡୁଳି।

ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକ ମଧ୍ୟରୁ ହରଭଙ୍ଗା ଓ ବୌଦ୍ଧ ବ୍ଲକର ଲୋକେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବାବେଳେ କଣ୍ଟାମାଳ ବ୍ଲକର ଲୋକେ ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଯାଇଥାନ୍ତି। ଫଳରେ ସାପକାମୁଡ଼ା ଓ ମୃତ୍ୟୁର ସଠିକ ରିପୋର୍ଟ ମିଳିପାରେ ନାହିଁ।

ଏବେବି  ଗ୍ରାମାଞ୍ଚଳର ଲୋକେ ସାପକାମୁଡ଼ିଲେ ଝଡ଼ାଫୁଙ୍କା କରି ଭଲ ହୋଇଯିବେ ବୋଲି ଆଶା କରିଥାନ୍ତି। ଏଭଳି ପରିସ୍ଥିତିରେ ପ୍ରଶାସନ ପକ୍ଷରୁ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ସତ୍ୟନାରାୟଣ ପାଣି ପ୍ରକାଶ କରିଛନ୍ତି।

ଆଷାଢ଼ ମାସର ପହିଲି ବର୍ଷାରେ ସାପମାନେ ୨୦-୨୫ଟି ଅଣ୍ଡା ଦେଇଥାନ୍ତି। ଅଣ୍ଡା ଦେଇଥିବା ଗାତରେ ବର୍ଷାପାଣି ପଶି ପ୍ରାୟ ୭୦ ଭାଗ ଅଣ୍ଡା ନଷ୍ଟ ହୋଇଯାଉଥିବାବେଳେ ୫-୬ ଅଣ୍ଡାରୁ ଛୁଆ ବାହାରି ବଂଶ ବିସ୍ତାର କରିଥାନ୍ତି। ଜଳବାୟୁରେ ପରିବର୍ତ୍ତନ ସାଙ୍ଗକୁ ଅଳ୍ପ ବର୍ଷା ହେଉଥିବାରୁ ପ୍ରାୟ ସବୁ ଅଣ୍ଡାରୁ ଛୁଆ ବାହାରୁଥିବା ଦେଖିବାକୁ ମିଳୁଛି।

ଏବେ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ସାପମାନେ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇ ଲୋକଙ୍କ ଘରେ ପଶି ଯାଉଛନ୍ତି। ବୌଦ୍ଧ ଜିଲ୍ଲା ଦେଇ ପ୍ରବାହିତ ମହାନଦୀ, ତେଲନଦୀ, ସାଲୁଙ୍କୁ ଓ ବାଘନଦୀ ସାପଙ୍କ ବାହକ ସାଜିଛି। ପ୍ରବଳ ବର୍ଷା ସମୟରେ ଜଙ୍ଗଲରୁ ସାପମାନେ ଭାସି ଆସି ନିକଟସ୍ଥ ନଦୀ କୂଳିଆ ଗାଁଗୁଡ଼ିରେ ରହି ସେମାନେ ବଂଶ ବିସ୍ତାର କରୁଛନ୍ତି।

ଜିଲ୍ଲାର ସମସ୍ତ ଡାକ୍ତରାନାରେ ପର୍ଯ୍ୟାପ୍ତ ପରିମାଣରେ ସାପକାମୁଡ଼ା ପାଇଁ ଔଷଧ ଏବଂ ଆଣ୍ଟିଭେନମ ଇଞ୍ଜେକ୍ସନ ରହିଥିବା ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସଂଘମିତ୍ରା ପଣ୍ଡା କହିଛନ୍ତି। ଦେଶୀ ଚିକିତ୍ସା ନକରି ସାପକାମୁଡ଼ିବା ସଙ୍ଗେ ସଙ୍ଗେ ଡାକ୍ତରଖାନାକୁ ଆଣିବା ଲାଗି ସେ ପରାମର୍ଶ ଦେଇଛନ୍ତି।

ରାଜ୍ୟ ସରକାର ସାପକାମୁପଡ଼ାରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ସମସ୍ତେ ସଚେତନ ରହିବା ସହିତ ଗୁଣିଗାରେଡ଼ିରୁ ଦୂରେଇ ରହିବାକୁ ଡାକ୍ତର ସଂଘମିତ୍ରା ପଣ୍ଡା କହିଛନ୍ତି।

LEAVE A REPLY

Please enter your comment!
Please enter your name here