ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ବର୍ଷ ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହେବ ଗ୍ରାମୀଣ ହସ୍ତଶିଳ୍ପ ସାମଗ୍ରୀର ମେଳା ‘ଶିଶିର ସରସ’। ଏଥର ଭୁବନେଶ୍ୱରର ୟୁନିଟ୍-୩ ଇଡ୍କୋ ପ୍ରଦର୍ଶନୀ ପଡ଼ିଆ ବଦଳରେ ବରମୁଣ୍ଡା ସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆ ଏହି ମେଳା ଅନୁଷ୍ଠିତ ହେବ। ପ୍ରଦର୍ଶନୀ ପଡ଼ିଆରେ ହକି ବିଶ୍ୱକପ୍ ଉପଲକ୍ଷେ ଡଟ୍ ଫେଷ୍ଟ୍ ଆୟୋଜନ ହେବାକୁଥିବାରୁ ‘ଶିଶିର ସରସ’ ମେଳାର ସ୍ଥାନ ପରିବର୍ତ୍ତନ କରାଯାଇଛି।
ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଅଧୀନ ଓରମାସ୍ ଦ୍ୱାରା ଏହି ମେଳା ଆୟୋଜିତ ହେବ। ମିଶନ ଶକ୍ତି, ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ, ହସ୍ତଶିଳ୍ପ ଓ କୁଟୀରଶିଳ୍ପ ନିର୍ଦ୍ଦେଶାଳୟ ସହ ଅନ୍ୟ ବିଭାଗ ଏହି ମେଳାର ଆୟୋଜନରେ ସହଯୋଗ କରିବେ।
‘ଶିଶିର ସରସ’ ମେଳାରେ ଓଡ଼ିଶାର ସମସ୍ତ ଜିଲ୍ଲାର ସ୍ୱୟଂ ସହାୟକ ଗୋଷ୍ଠୀ ତଥା ଉତ୍ପାଦକ ଗୋଷ୍ଠୀମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ, ଘରକରଣା ଜିନିଷ ଓ ବନଜାତ ଦ୍ରବ୍ୟ ବିକ୍ରି ହେବ। ବିଭିନ୍ନ ରାଜ୍ୟର ହସ୍ତଶିଳ୍ପର ପ୍ରଦର୍ଶନୀ ଏଠାରେ କରାଯିବ। ଏ ବର୍ଷ ମେଳରେ ପାଖାପାଖି ୪୦୦ ଷ୍ଟଲ ଲାଗିବ। ମେଳାରେ ଫୁଡକୋର୍ଟ ସହ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯିବ।
Tags: #SISIRASARAS #Exhibitionground #January15 #Baramundaplayground #Bhubaneswar #Odisha


















