ଓଡ଼ିଶାଲାଇଭ୍ ବ୍ୟୁରୋ

ପରିବର୍ତ୍ତିତ ଜୀବନଶୈଳୀ, ବିଭିନ୍ନ ଜଟିଳ ରୋଗ ଏବଂ ଦୁର୍ଘଟଣାଜନିତ ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କୁ ମାଗଣାରେ ଅତ୍ୟାଧୁନିକ ଥେରାପି ଓ ପୁନର୍ବାସ ସେବା ଯୋଗାଇଦେବା ଲାଗି ସୁନ୍ଦରଗଡ଼ ଜିଲ୍ଲାରେ ରହିଛି ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର। ବର୍ଷକ ଭିତରେ ବିଭିନ୍ନ ବର୍ଗ ଓ ବୟସର ରୋଗୀଙ୍କୁ ୧ ଲକ୍ଷରୁ ଅଧିକ ସେସନ ଚିକିତ୍ସା ସେବା ଦିଆଯାଇଛି।

ଏହି ଅତ୍ୟାଧୁନିକ ଥେରାପି ସେବା ଫଳରେ ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳ ରୋଗୀମାନେ ବିଶେଷ ଉପକୃତ ହେଉଛନ୍ତି। ଏହି ସେବା ଯୋଗାଇଦେବା ଲାଗି ବିଭିନ୍ନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଏହା ସ୍ଥାପନ କରାଯାଉଛି। ବର୍ତ୍ତମାନ ଜିଲ୍ଲାରେ ୨୦ଟି ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର କାର୍ଯ୍ୟକ୍ଷମ ହେଉଛି। ଏଥିପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠିରୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି।

‘‘ସୁନ୍ଦରଗଡ଼ ଜିଲ୍ଲାରେ ସମନ୍ୱିତ ଭୌତିକ ଚିକିତ୍ସା ସେବା ବେଶ୍ ଲୋକପ୍ରିୟ ହୋଇପାରିଛି। ବିଶେଷକରି ଗ୍ରାମାଞ୍ଚଳର ରୋଗୀମାନେ ଏହି ଆଧୁନିକ ସେବା ପାଇପାରୁଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କର ସହଯୋଗ ଯୋଗୁଁ ୧ ଲକ୍ଷରୁ ଅଧିକ ସେସନ କରାଯାଇ ବିଭିନ୍ନ ବର୍ଗର ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯାଇପାରିଛି’’, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।

ସେ ଆହୁରି କହିଛନ୍ତି ଯେ, ‘‘ଭିନ୍ନକ୍ଷମମାନଙ୍କୁ ଆବଶ୍ୟକ ଚିକିତ୍ସା ଓ ପୁନର୍ବାସ ସେବା ଯୋଗାଇ ଦେଇ ସେମାନଙ୍କ ଭିତରେ ସକ୍ଷମତା ଭରିଦେବା ବର୍ତ୍ତମାନ ସମୟରେ ବଡ଼ ଆହ୍ୱାନ। ତେଣୁ ଏ ଦିଗରେ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଭିନ୍ନକ୍ଷମ ବ୍ୟକ୍ତିମାନଙ୍କୁ ସମାଜରେ ସମ୍ମାନର ସହ ବଞ୍ଚିବାର ସୁଯୋଗ ଦେବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।’’

ସୁନ୍ଦରଗଡ଼ ଜିଲ୍ଲାରେ ୨୦୨୨ ଜାନୁଆରିରୁ ସମନ୍ୱିତ ଭୌତିକ ଚିକିତ୍ସା ସେବା ଆରମ୍ଭ କରାଯାଇଛି। ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ ପରିସରରେ ରହିଛି ଅତ୍ୟାଧୁନିକ ‘ଥେରାପ୍ୟୁଟିକ୍ ସେଣ୍ଟର’। ତା’ଛଡ଼ା ଗ୍ରାମାଞ୍ଚଳର ରୋଗୀଙ୍କ ପାଇଁ ସମନ୍ୱିତ ଭୌତିକ ଚିକିତ୍ସା ସେବା ଓ ଆରୋଗ୍ୟ କେନ୍ଦ୍ର କରାଯାଇଛି।

ସେଠାରେ ରହିଥିବା ଅତ୍ୟାଧୁନିକ ଫିଜିଓଥେରାପି ସେବାରୁ ଭିନ୍ନକ୍ଷମ, ବରିଷ୍ଠ ନାଗରିକ, କର୍ମଜୀବୀ, ମହିଳା, ଶିଶୁ ତଥା ବିଭିନ୍ନ ବର୍ଗର ଲୋକେ ଉପକୃତ ହେଉଛନ୍ତି। ଏଥିପାଇଁ ବିଭିନ୍ନ ଆଧୁନିକ ଚିକିତ୍ସା ଉପକରଣ ରହିଛି। ସେଠାରେ ତାଲିମପ୍ରାପ୍ତ ଥେରାପିଷ୍ଟମାନେ ରୋଗୀଙ୍କୁ ଦେଖି ସେମାନଙ୍କର ଆବଶ୍ୟକତା ଅନୁଯାୟୀ ଥେରାପି ଓ ପରାମର୍ଶ ଦେଉଛନ୍ତି। ସମସ୍ତ କେନ୍ଦ୍ରରେ ଶିଶୁଙ୍କ ସୁବିଧା ପାଇଁ ଅଲଗା ଚିକିତ୍ସା କକ୍ଷର ବ୍ୟବସ୍ଥା କରାଯାଇଛି।

ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସ୍ତରରେ ଚାଲିଥିବା ଏହି ଚିକିତ୍ସା ପାଇଁ ଭିନ୍ନକ୍ଷମ ବ୍ୟକ୍ତି ଓ ଜରାଗ୍ରସ୍ତ ବରିଷ୍ଠ ନାଗରିକଙ୍କ ସୁବିଧା ଲାଗି ବିଶେଷ ଧ୍ୟାନ ଦିଆଯାଉଛି। ସେମାନଙ୍କୁ ସମନ୍ୱିତ ଭୌତିକ ଚିକିତ୍ସା କେନ୍ଦ୍ରକୁ ମାଗଣାରେ ନେବା ଆଣିବା ଲାଗି ପରିବେଶ ଅନୁକୂଳ ’ଇ-ଆମ୍ବୁଲାନ୍ସ’ ବ୍ୟବସ୍ଥା କରାଯାଇଛି। ସେହିପରି ଯେଉଁ ଶଯ୍ୟାଶାୟୀ ରୋଗୀମାନେ ଚିକିତ୍ସା କେନ୍ଦ୍ରକୁ ଆସିପାରୁ ନାହାନ୍ତି ଫୋନ୍ କଲ ପାଇ ଥେରାପିଷ୍ଟମାନେ ସେମାନଙ୍କ ଘରେ ପହଞ୍ଚି ସେମାନଙ୍କୁ ମାଗଣାରେ ସେବା ଯୋଗାଇ ଦେଉଛନ୍ତି।

Tags: #IntegratedPhysiotherapyUnit&TherapeuticCenters #IPUTC #Sundargarh #1Lakhtherapysessions

LEAVE A REPLY

Please enter your comment!
Please enter your name here