ଓଡ଼ିଶାଲାଇଭ୍ ବ୍ୟୁରୋ

(ବୌଦ୍ଧରୁ ଦେବବ୍ରତ ଦାଶ): ପୁରୁଷ ହକି ବିଶ୍ଵକପ୍ ୨୦୨୩ର ଆୟୋଜନ କରୁଛି ଓଡ଼ିଶା। ହକି ମହାକୁମ୍ଭ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଜୋରସୋର ପ୍ରସ୍ତୁତି କରାଯାଇଛି। ହକି ବିଶ୍ଵକପ ପୂର୍ବରୁ ଗତ ଡିସେମ୍ବର ୫ ତାରିଖରୁ ଆରମ୍ଭ ହୋଇଛି ହକି ଟ୍ରଫି ଟୁର। କ୍ରୀଡ଼ା ବିଭାଗ ପକ୍ଷରୁ ହକି ଟ୍ରଫି ରାଜ୍ୟର ସମସ୍ତ ଜିଲ୍ଲା ପରିକ୍ରମା କରୁଥିବାବେଳେ ମଙ୍ଗଳବାର ଦିନ ବୌଦ୍ଧ ଜିଲ୍ଲାରେ ପହଞ୍ଚିଛି। ପାରମ୍ପରିକ ନାଚ ଗୀତରେ ହକି ଟ୍ରଫିକୁ ସ୍ଵାଗତ କରାଯାଇଛି।

ଏଥିପାଇଁ ବୌଦ୍ଧ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କର ଏକ ମାରାଥନ୍ ଏବଂ ବାଇକ୍ ରାଲି କୃଷକ ବଜାରଠାରୁ ବାହାରି କଚେରି ପଡ଼ିଆ, ହତିସାଲ ଛକ, ବାଘଗୁଡ଼ା ଛକ ଦେଇ ପୁଣି କୃଷକ ବଜାରଠାରେ ପହଞ୍ଚିଥିଲା। ପରେ ସ୍ଥାନୀୟ କଚେରିଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ୧୦୮ ଫୁଟର ହକି ବ୍ୟାଟକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଉଦଘାଟନ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ଏସପି ପ୍ରହ୍ଲାଦ ସହାଇ ମିନାଙ୍କ ସମେତ ଜିଲ୍ଲାର ବହୁ ଅଧିକାରୀ ଯୋଗ ଦେଇଥିଲେ।

ଟ୍ରଫିକୁ ସ୍ଵାଗତ କରିବା ଅବସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଟ୍ରଫିକୁ ଏକ ଶୋଭାଯାତ୍ରାରେ ବୌଦ୍ଧ ସହର ପରିକ୍ରମା କରିବା ପରେ ସୋନପୁର ଜିଲ୍ଲା ଅଭିମୁଖେ ବାହାରିଛି ଏହି ହକି ଟ୍ରଫି।

ଆସନ୍ତା ୧୩ରୁ ୨୯ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ଏବଂ ରାଉରକେଲାରେ ଅନୁଷ୍ଠିତ ହେବାକୁ ଯାଉଛି ପୁରୁଷ ବିଶ୍ଵକପ୍ ୨୦୨୩। ଦ୍ଵିତୀୟ ଥର ପାଇଁ ଓଡ଼ିଶା ହକି ବିଶ୍ଵକପ୍ ଆୟୋଜନ କରିବାକୁ ଯାଉଛି।

Tags: #HockeyIndia #HockeyTrophy #HockeyTrophyTour #HockeyTrophyinBoudh

Comment