ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ରାଜନୀତିରେ ଘଟିଗଲା ବଡ଼ ଅଘଟଣ। ନବ ଦାସ ଜିନ୍ଦାବଦ… ଜିନ୍ଦାବାଦ ଶବ୍ଦରେ କମ୍ପି ଉଠୁଥିଲା ବ୍ରଜରାଜନଗର। ହଠାତ ‘ଠୋ’ କିନା ଶବ୍ଦ ହେଲା ଏବଂ ଟଳି ପଡ଼ିଲେ ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।
ରବିବାର ଦିନ ବ୍ରଜରାଜନଗର ଥାନା ଛକଠାରେ ନିର୍ମିତ ନୂତନ ଜନଶୁଣାଣି କାର୍ଯ୍ୟାଳୟ ଉଦଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବାକୁ ଯାଇଥିବା ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଜଣେ ପୋଲିସ ଏଏସଆଇଙ୍କ ଗୁଳି ମାଡ଼ରେ ପ୍ରାଣ ହରାଇଛନ୍ତି। ଏହି ଘଟଣାର କ୍ରାଇବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର। ମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀବନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ଵାସ୍ଥ୍ୟମନ୍ତ୍ରୀଙ୍କ ବିୟୋଗରେ ୩ ଦିନିଆ ଶୋକ ପାଳନ କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର।
କେମିତି ଘଟିଲା ଘଟଣା?
ରବିବାର ଦିନ ପ୍ରାୟ ୧୨ଟା ୧୫ ମିନିଟ, କାର ଯୋଗେ ବ୍ରଜରାଜନଗର ଗାନ୍ଧୀଛକଠାରେ ପହଞ୍ଚିଥିଲେ ନବ କିଶୋର ଦାସ। ନୂତନ ଜନଶୁଣାଣି କାର୍ଯ୍ୟାଳୟ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ଯାଇଥିଲେ। ଆଗରେ ଯାଉଥିବା ପାଇଲଟିଂ ଜିପ୍ କିଛି ଦୂରରେ ଅଟକି ଥିବାବେଳେ ନବ ଦାଶଙ୍କ କାରଟି କିଛି ମିଟର ଦୂରରେ ରହିଥିଲା। ନବ ଦାସ ଜିନ୍ଦାବାଦ ଧ୍ଵନୀରେ କମ୍ପିଉଠୁଥିଲା ମଇଦାନ। କର୍ମୀମାନେ ଦୌଡ଼ି ଆସି ମନ୍ତ୍ରୀଙ୍କ ବେକରେ ଫୁଲମାଳ ପକାଇ ସ୍ଵାଗତ କରିଥିଲେ।
ମନ୍ତ୍ରୀଙ୍କ କାରର ସମ୍ମୁଖ ପାର୍ଶ୍ଵରୁ କର୍ମୀମାନଙ୍କ ସହ ଅସିଥିଲେ ଗାନ୍ଧୀ ଛକ ଫାଣ୍ଡି ଏଏସଆଇ ଗୋପାଳ କୃଷ୍ଣ ଦାସ। ଅଣ୍ଟାରେ ଥିବା ସର୍ଭିସ ବନ୍ଧୁକକୁ କାଢ଼ି ହଠାତ ମନ୍ତ୍ରୀ ନବ ଦାସଙ୍କ ଛାତିକୁ ଲକ୍ଷ୍ୟ କରି ଗୁଳି ମାରିଥିଲେ। କେହି କିଛି ବୁଝିବା ପୂର୍ବରୁ କାର ସିଟରେ ବସି ଥିବା ନବ କିଶୋର ଦାସ ସିଟରୁ ତଳକୁ ଟଳିପଡ଼ିଲେ। ସେଠାରୁ ତାଙ୍କୁ ଏୟାରଲିଫ୍ଟ କରାଯାଇ ଭୁବନେଶ୍ଵର ଅଣାଗଣା। ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରାଗଲା।
ଛାତ୍ର ରାଜନୀତିରୁ କ୍ୟାବିନେଟ ମନ୍ତ୍ରୀ
ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ହେଉଛନ୍ତି ନବ କିଶୋର ଦାସ। ତାଙ୍କ ବିୟୋଗରେ କେବେଳ ପଶ୍ଚିମ ଓଡ଼ିଶା ନୁହେଁ ବରଂ ରାଜ୍ୟ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଛାତ୍ର ଜୀବନରୁ ରାଜନୀତିରେ ସକ୍ରିୟ ଥିବା ନବ କିଶୋର ଦାସ ନିଜର ଦକ୍ଷତା ଏବଂ ଅଭିଜ୍ଞତା ଯୋଗୁଁ କ୍ୟାବିନେଟ ମନ୍ତ୍ରୀ ହୋଇପାରିଥିଲେ। ସ୍ଵାସ୍ଥ୍ୟ ବିଭାଗ ଭଳି ଏକ ଗୁରୁତ୍ଵପୂର୍ଣ୍ଣ ବିଭାଗର ସେ ମନ୍ତ୍ରୀ ଥିଲେ। ୧୯୬୨ ମସିହା ଜାନୁ଼ଆରି ୭ ତାରିଖରେ ସମ୍ବଲପୁର ସହରର ମୁଦିପଡ଼ାଠାରେ ତାଙ୍କର ଜନ୍ମ। ପିଲାଟି ବେଳରୁ ହିଁ ତାଙ୍କ ଭିତରେ ନେତୃତ୍ଵ ନେବାର ଇଚ୍ଛା ଦେଖିପାରିଥିଲେ ବାପା।
ନବ ଦାଶଙ୍କ ଶେଷଯାତ୍ରା
ଶେଷଯାତ୍ରାରେ ସ୍ଵାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ। ଝାରସୁଗୁଡ଼ାରେ ତାଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ସେଠାରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ମରଶରୀରକୁ ସରବାହାଲ ବାସଭବନକୁ ନିଆଯାଇଛି। ସ୍ଵର୍ଗତଙ୍କ ଶେଷ ଦର୍ଶନ କରିବାକୁ ବିମାନ ବନ୍ଦରଠାରୁ ଆରମ୍ଭ କରି ତାଙ୍କ ବାସଭବନରେ ପ୍ରବଳ ଭିଡ଼ ଲାଗିଛି। ନବ ଦାସ ଅମର ରହେ ଧ୍ୱନିରେ ପ୍ରକମ୍ପିତ ହେଉଛି ପରିବେଶ। ତାଙ୍କର ଶେଷ ଦର୍ଶନ କରିବା ପାଇଁ ତାଙ୍କ ବାସଭବନରେ ବିଭିନ୍ନ ଦଳର ରାଜନେତା ମଧ୍ୟ ପହଞ୍ଚିଛନ୍ତି।
ନବ ଦାସଙ୍କୁ ତାଙ୍କ ବାସଭବନରେ ଶେଷ ଦର୍ଶନ କରିବା ପରେ ସେଠାରୁ ତାଙ୍କ ପାର୍ଥିବ ଶରୀରକୁ ମନମୋହନ ଏମ୍ ଇ ସ୍କୁଲ ପଡ଼ିଆ ଶେଷ ଦର୍ଶନ ପାଇଁ ରଖାଯିବ। ପରେ ତାଙ୍କ ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ଖେରୁଆଲ ନିଆଯାଇ ରାଷ୍ଟ୍ରୀୟ ମର୍ଯ୍ୟାଦର ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ।
Tags: #Politics #OdishaPolitics #HealthMinisterNabaKishorDash #Death #Murder

















