ଓଡ଼ିଶାଲାଇଭ୍ ବ୍ୟୁରୋ

ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦୁବାଇକୁ ଆରମ୍ଭ ହେବ ସିଧାସଳଖ ବିମାନସେବା। ବିମାନ ଉଡ଼ାଣ କମ୍ପାନି ଇଣ୍ଡିଗୋ ପକ୍ଷରୁ ମାର୍ଚ୍ଚ ୫ ତାରିଖରୁ ଏହି ସେବା ଆରମ୍ଭ କରାଯିବ। ଏହି ଦିନ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ହୋଇଥିବାରୁ ସେହି ଦିନକୁ ବିମାନସେବା ଆରମ୍ଭ କରିବା ପାଇଁ ଧାର୍ଯ୍ୟ କରାଯାଇଛି। ଏହି ବିମାନ ଚଳାଚଳ ଯୋଗେ ଓଡ଼ିଶା ପ୍ରଥମଥର ପାଇଁ ସିଧାସଳଖ ମଧ୍ୟପୂର୍ବ ଦେଶଙ୍କ ସହ ଯୋଡ଼ି ହେବ।
ମାର୍ଚ୍ଚ ୫ ତାରିଖ ଦିନ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ପ୍ରଥମେ ଦୁବାଇରୁ ଆସି ଅପରାହ୍ଣ ୫ଟା ବେଳେ ଭୁବନେଶ୍ୱରରେ ପହଞ୍ଚିବ। ଏହାପରେ ବିମାନଟି ସାନ୍ଧ୍ୟା ୬ଟା ବେଳେ ଯାତ୍ରୀଙ୍କୁ ନେଇ ପୁଣି ଦୁବାଇ ଅଭିମୁଖେ ଯାତ୍ରା କରିବ। ସପ୍ତାହରେ ଦୁଇ ଦିନ ଏହି ବିମାନ ଚଳାଚଳ କରିବ। ଏନେଇ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି।
୨୦୨୨ ଡିସେମ୍ବର ୨୭ ତାରିଖରେ ଓଡ଼ିଶା ସରକାର ବିମାନ ଉଡ଼ାଣ ପାଇଁ ଇଣ୍ଡିଗୋ ଏୟାରଲାଇନ୍ସର ଟେଣ୍ଡରକୁ ଅନୁମୋଦନ କରିଥିଲେ। ଏହା ମାଧ୍ୟମରେ ଭୁବନେଶ୍ୱରରୁ ଏୟାରଲାଇନ୍ସକୁ ଦୁବାଇ,ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ଉଡ଼ାଣ ଲାଗି ଅନୁମତି ମିଳିଥିଲା।
ଏବେ କେବଳ ଭୁବନେଶ୍ୱରରୁ ଦୁବାଇକୁ ବିମାନସେବା ଆରମ୍ଭ ହେବାକୁ ଯାଉଥିବାବେଳେ ଆଗକୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ମଧ୍ୟ ଉଡ଼ାଣ ଆରମ୍ଭ କରିବ ଇଣ୍ଡିଗୋ।
Tags: #IndigoAirlines #DirectFlightService #Bhubaneswar #Dubai #BijuPatnaikInternationalAirport #Odisha #India



















