ଓଡ଼ିଶାଲାଇଭ୍ ବ୍ୟୁରୋ

ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସଙ୍କୁ ଝାରସୁଗୁଡ଼ା ଉପକାରାଗାରରୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର କରାଯାଉଛି। ସୁରକ୍ଷା ଦୃଷ୍ଟିରୁ ଗୋପାଳଙ୍କୁ ଚୌଦ୍ୱାର ଜେଲକୁ ସ୍ଥାନାନ୍ତର ପାଇଁ କୋର୍ଟଙ୍କ ଅନୁମତି ପରେ ମଙ୍ଗଳବାର ଦିନ ତାଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ କଟକ ଅଣାଯାଉଛି। ଗୋପାଳ ନିଜେ ସ୍ଥାନାନ୍ତର ହେବାକୁ ଚାହିଁଥିଲେ ବୋଲି ସୂଚନା ଦେଇଛନ୍ତି ପୋଲିସ ଡିଜି ସୁନୀଲ ବଂଶଲ।

ବ୍ରଜାରନଗର ଗାନ୍ଧୀଛକଠାରେ ଘଟିଥିବା ମନ୍ତ୍ରୀ ନବଦାସଙ୍କ ହତ୍ୟା ଘଟଣାକୁ ଆଜି ୧୭ ଦିନ ହୋଇଥିଲେ ମଧ୍ୟ ହତ୍ୟାକାଣ୍ଡ ପଛର କାରଣ ଏବେ ବି ଉନ୍ମୋଚନ ହୋଇପାରିନି। ନବ ଦାସଙ୍କ ହତ୍ୟାକାଣ୍ଡର ରହସ୍ୟ ଖୋଜିବାକୁ ଅଭିଯୁକ୍ତ ଗୋପାଳଙ୍କୁ କ୍ରାଇମବ୍ରାଞ୍ଚ ବାରମ୍ବାର ରିମାଣ୍ଡରେ ନେଇ ତନାଘନା କରିଥିଲେ ମଧ୍ୟ ସେଭଳି କିଛି ସଫଳତା ହାସଲ ହୋଇନଥିବା କୁହାଯାଉଛି। ରିମାଣ୍ଡ ଅବଧି ସରିବା ପରେ ଗୋପାଳଙ୍କୁ ସୋମବାର ଦିନ ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ ଝାରସୁଗୁଡ଼ା ଉପକାରାଗାରକୁ ପଠାଇ ଦିଆଯାଇଥିଲା।

ଆଜି ଅଭିଯୁକ୍ତ ଗୋପାଳଙ୍କୁ ପୁଣି ଝାରସୁଗୁଡ଼ା ଜେଏମଏଫସି କୋର୍ଟରେ ହାଜର କରାଯାଇ ବୟାନ ରେକର୍ଡ କରାଯାଇଥିଲା। କୋର୍ଟଙ୍କ ଅନୁମତି କ୍ରମେ ସୁରକ୍ଷା ଦୃଷ୍ଟିରୁ ଗୋପାଳଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ସ୍ଥାନାନ୍ତର କରାଯାଇଛି। ଚୌଦ୍ୱାର ଜେଲରେ ହାଇସିକ୍ୟୁରିଟି ବ୍ୟବସ୍ଥା ସହ ୨୪ ଘଣ୍ଟିଆ ମନିଟିରିଂ ପାଇଁ ବନ୍ଦୋବସ୍ତ କରାଯାଇଥିବା ଜେଲ ପକ୍ଷରୁ କୁହାଯାଇଛି।

Tags: #NabaDasMurderCase #GopalDas #Politics #Murder

LEAVE A REPLY

Please enter your comment!
Please enter your name here