ଓଡ଼ିଶାଲାଇଭ୍ ବ୍ୟୁରୋ

ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପରେ ଭାରତୀୟ ଦଳ ଭଲ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି। ସୋମବାର ଟିମ୍ ଇଣ୍ଡିଆ ନିଜ ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚରେ ଆୟର୍ଲାଣ୍ଡକୁ ପରାସ୍ତ କରି ଏହି ଯୋଗ୍ୟତା ଅର୍ଜନ କରିଛି। ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚରେ ଭଲ ପ୍ରଦର୍ଶନ ପାଇଁ ଭାରତର ସ୍ମୃତି ମନ୍ଧାନା ପ୍ଲେୟାର ଅଫ ଦି ମ୍ୟାଚ ହୋଇଛନ୍ତି।
ସୋମବାର ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପରେ ଟିମ୍ ଇଣ୍ଡିଆ ଆୟର୍ଲାଣ୍ଡ ବିପକ୍ଷରେ ଶେଷ ଗ୍ରୁପ୍ ମ୍ୟାଚ ଖେଳିବାକୁ ଆସିଥିଲା। ମ୍ୟାଚରେ ଟସ ଜିତି ଭାରତ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତୀୟ ଇନିଂସକୁ ଆରମ୍ଭ କରିଥିଲେ ଶେଫାଳି ବର୍ମା ଓ ସ୍ମୃତି ମନ୍ଧାନା। ପ୍ରଥମ ୱିକେଟ ପାଇଁ ଦୁହେଁ ୬୨ ରନର ପାର୍ଟନରସିପ କରିଥିଲେ।
ଶେଫାଳି ବର୍ମାଙ୍କ ଆଉଟ ହେବାପରେ ସ୍ମୃତି ମନ୍ଧାନା ଅନ୍ୟ ଖେଳାଳିଙ୍କ ସହ ମିଶି ଭଲ ବ୍ୟାଟିଂ କରିଥିଲେ। ମ୍ୟାଚରେ ତାଙ୍କର ୮୭ ରନର ଧୂଆଁଧାର ଇନିଂସ୍ ବଳରେ ଟିମ୍ ଇଣ୍ଡିଆ ୧୫୫ ରନ କରିଥିଲା।
ଏହାପରେ ଆୟର୍ଲାଣ୍ଡ ବ୍ୟାଟିଂ କରିବାକୁ ଆସିଥିଲା। ଦଳର ସ୍କୋର ୫୪ ରନ ହୋଇଥିବାବେଳେ ବର୍ଷା ଆରମ୍ଭ ହୋଇଥିଲା। ଏହାପରେ ଡକୱାର୍ଥ ଲୁଇସ୍ ପ୍ରଣାଳୀରେ ଭାରତ ୫ ରନରେ ଏହି ମ୍ୟାଚ ଜିତିଥିଲା।
୨୦୨୩ ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପରେ ଟିମ୍ ଇଣ୍ଡିଆ ଗ୍ରୁପ୍ ପର୍ଯ୍ୟାୟର ୪ଟି ମ୍ୟାଚରୁ ୩ଟି ମ୍ୟାଚ ଜିତିଛି। ଦଳ ଗ୍ରୁପ୍ ‘ବି’ରେ ୬ ପଏଣ୍ଟ ହାସଲ କରିଛି। ଏହାଫଳରେ ଟିମ୍ ଇଣ୍ଡିଆ ଗ୍ରୁପରେ ଇଂଲଣ୍ଡ ପଛକୁ ଦ୍ଵିତୀୟ ସ୍ଥାନରେ ରହି ବିଶ୍ଵକପ ସେମି ଫାଇନାଲରେ ସ୍ଥାନ ପକ୍କା କରିଛି।
ଚଳିତ ବର୍ଷ ମହିଳା ଟି-ଟ୍ୱେଣ୍ଟି ବିଶ୍ଵକପ ଦକ୍ଷିଣ ଆଫ୍ରିକାରେ ଖେଳାଯାଉଛି। ବିଶ୍ଵର ୧୬ଟି ଦଳ ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେଉଛନ୍ତି।
Tags: #ICCwomensT-20WorldCup #Semifinal #India #Cricket #SouthAfrica #ICC #BCCI



















