ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ ତାଙ୍କର ପ୍ରିୟ ‘ଡାକୋଟା ଡିସି-୩’ ବିମାନକୁ ଲୋକର୍ପଣ କରାଯାଇଛି। ରବିବାର ସକାଳେ ଭୁବନେଶ୍ଵର ବିମାନବନ୍ଦରର ଟର୍ମିନାଲ-୧ ସମ୍ମୁଖରେ ଏହି ବିମାନଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିଲେ। ଏବେ ଏହାକୁ ସାଧାରଣ ଲୋକ ବୁଲି ଦେଖିପାରିବେ।

“ଏହି ବିମାନ ଆଗାମୀ ସମୟରେ ଓଡ଼ିଶା ତଥା ଦେଶର ଲୋକମାନଙ୍କୁ ସାହସ, ବିରତ୍ୱ ଓ ଦେଶ ପାଇଁ ସମର୍ପଣ ଭାବର ବାର୍ତ୍ତା ଦେବ। ଏହି ବିମାନ ବିଜୁବାବୁଙ୍କ ସାହସିକତାର ପ୍ରତୀକ ଭାବେ ଅନ୍ୟମାନଙ୍କୁ ପ୍ରେରଣା ଦେବ। ଏହା ବିଶ୍ଵବାସୀଙ୍କ ସମ୍ମୁଖରେ ଓଡ଼ିଶାର ମର୍ଯ୍ୟାଦାକୁ ଆହୁରି ବଢ଼ାଇବ”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଏହି ଡାକୋଟା ବିମାନରେ ବିଜୁ ପଟ୍ଟନାୟକଙ୍କର ବୀରତ୍ଵ ଓ ପରାକାଷ୍ଠାର କାହାଣୀ ରହିଛି। ଏହି ବିମାନ ଯୋଗେ ବିଜୁ ବାବୁ ଇଣ୍ଡୋନେସିଆ ଯାଇ ସେଠାକାର ସ୍ଵାଧୀନତା ସଂଗ୍ରାମରେ ବଡ଼ ଭୂମିକା ବହନ କରିଥିଲେ।

ଏହି ବିମାନ ଜରିଆରେ ବିଜୁ ବାବୁ ଇଣ୍ଡୋନେସିଆର ରାଜା ସୁକର୍ଣ୍ଣୋ ଓ ଅନ୍ୟାନ୍ୟ ସ୍ଵାଧୀନତା ସଂଗ୍ରାମୀଙ୍କୁ ଡଚମାନଙ୍କ କବଳରୁ ମୁକ୍ତ କରି ଭାରତ ଆଣିଥିଲେ। ଏବେ ଏହି ଐତିହାସିକ ଘଟଣାର ଜୀବନ୍ତ ସାକ୍ଷୀକୁ ଲୋକମାନେ ଦେଖିବାକୁ ସୁଯୋଗ ପାଇବେ।

ଏହି ଡାକୋଟା ବିମାନଟି କୋଲକତା ବିମାନବନ୍ଦରରେ ଅନେକ ବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ରହିଥିଲା। ଓଡ଼ିଶା ସରକାରଙ୍କ ଉଦ୍ୟମରେ ଏହାକୁ ଭୁବନେଶ୍ଵର ବିମାନବନ୍ଦରକୁ ଆଣି ମରାମତି କରିବା ପରେ ନୂଆ ରୂପ ଦିଆଯାଇଛି। ଏବେ ବିଜୁବାବୁଙ୍କ ନାମରେ ହୋଇଥିବା ଭୁବନେଶ୍ଵର ବିମାନବନ୍ଦରରେ ତାଙ୍କର ବୀରତ୍ଵର ଗାଥା ବହନ କରୁଥିବା ଏହି ବିମାନ ଅନ୍ୟମାନଙ୍କୁ ପ୍ରେରଣା ଦେବ।

Tags: #DakotaDC-3Plane #Bijupatnaik #BijupatnaikinternationalAirport #Bhubaneswar #Odisha

LEAVE A REPLY

Please enter your comment!
Please enter your name here