ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ସରକାର ରାଜ୍ୟରେ ଆଇଏଏସ ଅଧିକାରୀଙ୍କ ସ୍ତରରେ ଅଦଳବଦଳ କରିଛନ୍ତି। ଏବେ ୧୯୯୩ ବ୍ୟାଚର ଆଇଏଏସ ନିକୁଞ୍ଜ ବିହାରୀ ଧଳ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ ହୋଇଛନ୍ତି। ସେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ସୁଶୀଲ କୁମାର ଲୋହାନୀଙ୍କ ସ୍ଥାନ ନେବେ। ଏନେଇ ଶୁକ୍ରବାର ଓଡ଼ିଶା ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ନିକୁଞ୍ଜ ବିହାରୀ ଧଳ କେବଳ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇବେ। ପୂର୍ବରୁ ସୁଶୀଲ ଲୋହାନୀ ନିର୍ବାଚନ କମିଶନ ସହିତ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗର ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳୁଥିଲେ। ଅନ୍ୟପଟେ ସୁଶୀଲ ଲୋହାନୀ ଏବେ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ସଚିବ ସହ ଅବକାରୀ ବିଭାଗର ମୁଖ୍ୟ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ।

ନିକୁଞ୍ଜ ବିହାରୀ ଧଳଙ୍କୁ ଚଳିତ ବର୍ଷ ଫେବ୍ରୁଆରି ମାସରେ ପ୍ରଦୀପ କୁମାର ଜେନାଙ୍କ ସ୍ଥାନରେ ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ଭାବେ ନିଯୁକ୍ତି ଦିଆଯାଇଥିଲା। ଏହାଛଡ଼ା ସେ ଶକ୍ତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ଵ ତୁଲାଉଥିଲେ। ଏବେ ୨୦୨୪ ମସିହା ସାଧରଣ ନିର୍ବାଚନ ସମୟରେ ସେ ରାଜ୍ୟରେ ନିର୍ବାଚନ ପରିଚାଳନା କରିବେ।

ଅନ୍ୟପଟେ ରାଜ୍ୟ ସରକାର ୧୯୯୧ ବ୍ୟାଚର ଆଇଏଏସ ଅଧିକାରୀ ତଥା ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ବିଭାଗର ସଚିବ ସତ୍ୟବ୍ରତ ସାହୁଙ୍କୁ ନୂତନ ଏସଆରସି ଭାବେ ନିଯୁକ୍ତ କରିଛନ୍ତି।

ସେହିପରି ସୂଚନା ଓ ଲୋକସମ୍ପର୍କ ବିଭାଗ ସଚିବ ସଞ୍ଜୟ କୁମାର ସିଂହଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର (ଓସଡମା) କାର୍ଯ୍ୟନିର୍ବାହୀ ନିର୍ଦେଶକ ଜ୍ଞାନରଞ୍ଜନ ଦାସଙ୍କୁ କର୍ତ୍ତୃପକ୍ଷର ପରିଚାଳନା ନିର୍ଦେଶକ ଭାବେ ପଦୋନ୍ନତି ଦିଆଯାଇଛି।

Tags: #ChiefElectionOfficer #IAS #GeneralAdministrationDept #Odisha

LEAVE A REPLY

Please enter your comment!
Please enter your name here