ଓଡ଼ିଶାଲାଇଭ୍ ବ୍ୟୁରୋ

ଆଜି ଅନ୍ତିମ ବିଦାୟ ନେବେ ବିଶିଷ୍ଟ ସାହିତ୍ୟିକ ପଦ୍ମଭୂଷଣ ରମାକାନ୍ତ ରଥ। ପୁରୀ ସ୍ଵର୍ଗଦ୍ଵାରରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସଂପନ୍ନ ହେବ। ତାଙ୍କ ପରଲୋକରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳି ଯାଇଛି।

ରବିବାର ଶେଷନିଶ୍ଵାସ ତ୍ୟାଗ କରିଥିଲେ ପଦ୍ମଭୂଷଣ ରମାକାନ୍ତ ରଥ। ଅନେକ ଦିନରୁ ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା।  

ରମାକାନ୍ତ ରଥଙ୍କ ବିୟୋଗରେ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି। ଅନେକ ବ୍ୟକ୍ତି ବିଶେଷ ଭୁବନେଶ୍ଵର ସ୍ଥିତ ବାସଭବନରେ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।  

ରମାକାନ୍ତ ରଥ ଜଣେ ବରିଷ୍ଠ ପ୍ରଶାସକ ଥିଲେମଧ୍ୟ ସାହିତ୍ୟ ପ୍ରତି ତାଙ୍କର ନିଷ୍ଠା ଥିଲା ଅନନ୍ୟ। ‘ଶ୍ରୀରାଧା’ର କବି ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ରମାକାନ୍ତ ରଥ ପାଠକଙ୍କ ମହଲରେ ବେଶ୍‌ ଲୋକପ୍ରିୟ ଥିଲେ। ‘କେତେ ଦିନର’, ‘ଅନେକ କୋଠରୀ’, ‘ସନ୍ଦିଗ୍ଧ ମୃଗୟା’, ‘ସପ୍ତମ ଋତୁ’, ‘ସଚିତ୍ର ଅନ୍ଧାର’, ‘ଶ୍ରୀପଳାତକ’ ତଥା ‘ସୀମାନ୍ତବାସ’ ଭଳି ତାଙ୍କ ଦ୍ଵାରା ରଚିତ କବିତା ଗ୍ରନ୍ଥ ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଛି। 

ରମାକାନ୍ତ ରଥ ପ୍ରଥମ ଓ ଏକମାତ୍ର ଓଡ଼ିଆ ଭାବେ କେନ୍ଦ୍ର ସାହିତ୍ୟ ଅକାଦେମିର ସଭାପତି ଦାୟିତ୍ଵ ତୁଲାଇଥିଲେ। କବିତା ସଂକଳନ ‘ସପ୍ତମ ଋତୁ’ ପାଇଁ ୧୯୭୮ ମସିହାରେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ। ‘ସଚିତ୍ର ଅନ୍ଧାର’ ପାଇଁ ୧୯୮୪ରେ ଶାରଳା ପୁରସ୍କାର ଓ ୧୯୯୨ ମସିହାରେ ‘ଶ୍ରୀରାଧା’ ପାଇଁ ସମ୍ମାନଜନକ ସରସ୍ୱତୀ ସମ୍ମାନରେ ସମ୍ମାନିତ ହୋଇଥିଲେ।

ଅନ୍ୟପଟେ ଜଣେ ଦକ୍ଷ ପ୍ରଶାସକ ଭାବେ ରମାକାନ୍ତ ରଥ  ରାଜ୍ୟ ଓ କେନ୍ଦ୍ରରେ ବହୁ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ତୁଲାଇଥିଲେ। ସେ ୧୯୯୧ ଅଗଷ୍ଟ ମାସରୁ ୧୯୯୨ ନଭେମ୍ବର ମାସ ଯାଏଁ ଓଡ଼ିଶାର ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରି ଚାକିରିରୁ ଅବସର ନେଇଥିଲେ। ୨୦୦୬ରେ ସେ ଦେଶର ତୃତୀୟ ସର୍ବୋଚ୍ଚ ନାଗରିକ ସମ୍ମାନ ‘ପଦ୍ମଭୂଷଣ’ରେ ସମ୍ମାନିତ ହୋଇଥିଲେ।  

Tags: #RamakantaRath #Poet #OdiaLiterature #IAS #Odisha

LEAVE A REPLY

Please enter your comment!
Please enter your name here