ଓଡ଼ିଶାଲାଇଭ୍ ବ୍ୟୁରୋ

ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଏକ ଲୁବ୍ରିକାଣ୍ଟ କାରଖାନା ପ୍ରତିଷ୍ଠା କରିବ ଏକ୍ସନମୋବିଲ୍ କମ୍ପାନି। ଏନେଇ ମହାରାଷ୍ଟ୍ର ସରକାରଙ୍କ ସହ ଏକ୍ସନମୋବିଲ୍ ଏମଓୟୁ ସ୍ୱାକ୍ଷର କରିଛି। ଏହି ଶିଳ୍ପ ପ୍ରତିଷ୍ଠା ପାଇଁ ଏକ୍ସନମୋବିଲ୍ ପକ୍ଷରୁ ୯୦୦ କୋଟି ଟଙ୍କା ନିବେଶ କରାଯିବ।
ଏକ୍ସନମୋବିଲର କଣ୍ଟ୍ରି ମ୍ୟାନେଜର ମୋଣ୍ଟେ ଡୋବସନ ମହାରାଷ୍ଟ୍ର ସରକାରଙ୍କ ସହ ଏହି ଏମଓୟୁ ସ୍ଵାକ୍ଷର କରିଥିଲେ। ଏହି ଅବସରରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଉପସ୍ଥିତ ଥିଲେ।
“ଏହି ଲୁବ୍ରିକାଣ୍ଟ ପ୍ଳାଣ୍ଟ ଦ୍ଵାରା ଏହି ଅଞ୍ଚଳରେ ୧୨୦୦ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏଠାରେ ପ୍ରସ୍ତୁତ ହେବାକୁଥିବା ଲୁବ୍ରିକାଣ୍ଟ ଭାରତରେ ଘରୋଇ ଚାହିଦା ପୂରଣ କରିବ। ଦେଶର ବିଭିନ୍ନ ଉଦ୍ୟୋଗକୁ ଏଠାରୁ ଲୁବ୍ରିକାଣ୍ଟ ଯୋଗାଇ ଦିଆଯିବ”, କହିଛନ୍ତି ମୋଣ୍ଟେ ଡୋବସନ।
ଏକ୍ସନମୋବିଲର ଏହି ଲୁବ୍ରିକାଣ୍ଟ ପ୍ଳାଣ୍ଟ ୨୦୨୫ ମସିହା ସୁଦ୍ଧା କାର୍ଯ୍ୟକାରୀ ହେବ। ଏଠାରେ ବାର୍ଷିକ ୧ ଲକ୍ଷ ୫୯ ହଜାର କିଲୋଲିଟର ଇଞ୍ଜିନ୍ ଅଏଲ୍, ଗ୍ରିଜ୍ ଓ ଅନ୍ୟାନ୍ୟ ଲୁବ୍ରିକାଣ୍ଟ ପ୍ରସ୍ତୁତ କରାଯିବ।
ଏହି ଏମଓୟୁ ସ୍ଵାକ୍ଷର ବେଳେ ମହାରାଷ୍ଟ୍ରର ଶିଳ୍ପ ମନ୍ତ୍ରୀ ଉଦୟ ସାମନ୍ତ, ଏକ୍ସନମୋବିଲ୍ ଲୁବ୍ରିକାଣ୍ଟସ୍ ପ୍ରାଇଭେଟ ଲିମିଟେଡର ସିଇଓ ବିପିନ ରାଣା ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏକ୍ସନମୋବିଲ୍ ଲୁବ୍ରିକାଣ୍ଟ ଶିଳ୍ପରେ ବିଶ୍ଵରେ ଏକ ଜଣାଶୁଣା କମ୍ପାନି। ଏହି ଆମେରିକୀୟ କମ୍ପାନି ମୋବିଲ୍, ଇଞ୍ଜିନ ଅଏଲ୍ ଓ ଗ୍ରିଜ୍ ଭଳି ଅଟୋମୋବାଇଲ ଲୁବ୍ରିକାଣ୍ଟ ପ୍ରସ୍ତୁତ କରିଥାଏ। କମ୍ପାନି ଭାରତରେ ଅନେକ ଦିନ ଧରି କାର୍ଯ୍ୟ କରୁଛି। ଏକ୍ସନମୋବିଲ୍ ଲୁବ୍ରିକାଣ୍ଟ ବ୍ୟତୀତ ଅନେକ ଦେଶକୁ ପ୍ରାକୃତିକ ତୈଳ ଓ ଲିକୁଇଫାଏଡ୍ ନ୍ୟାଚୁରାଲ୍ ଗ୍ୟାସ (ସିଏନଜି) ଯୋଗାଇ ଥାଏ।
Tags: #ExxonMobil #LubricantPlant #Maharastra #Lubricants #Investment



















