ଓଡ଼ିଶାଲାଇଭ୍ ବ୍ୟୁରୋ

‘ସ୍କିଲଡ ଇନ୍ ଓଡ଼ିଶା’ ବ୍ରାଣ୍ଡକୁ ଆହୁରି ଆଗକୁ ନେବା ପାଇଁ ‘ଓଡ଼ିଶା ସ୍କିଲ କନକ୍ଲେଭ-୨୦୨୩’ ଆୟୋଜନ କରାଯାଉଛି। ଏପ୍ରିଲ ୨୦ରୁ ୨୨ ତାରିଖ – ତିନି ଦିନ ପର୍ଯ୍ୟନ୍ତ ଏହି କନକ୍ଲେଭ୍ ଭୁବନେଶ୍ଵରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଚାଲିବ। ଏଥିରେ ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରର ଖ୍ୟାତିସମ୍ପନ୍ନ ବ୍ୟକ୍ତି, ବୁଦ୍ଧିଜୀବୀ ଏବଂ ଶିଳ୍ପ ପ୍ରତିନିଧିମାନେ ଅଂଶ ଗ୍ରହଣ କରିବେ।
ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ଆନୁକୂଲ୍ୟରେ ଏହି କନକ୍ଲେଭ ଆୟୋଜନ କରାଯାଉଛି। ଚଳିତ ବର୍ଷ ଏହି କନକ୍ଲେଭର ଥିମ୍ ରହିଛି ‘ନୂତନ ବିଶ୍ଵ ପାଇଁ ଦକ୍ଷତା ବିକାଶ’।
‘‘ଓଡ଼ିଶା ସ୍କିଲ କନଲେଭ ଭଳି ଅଭିନବ କାର୍ଯ୍ୟକ୍ରମ ଆୟୋଜନ କରିବାରେ ସାରା ଭାରତରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ। ରାଜ୍ୟର ଶିକ୍ଷିତ ଯୁବକ ଯୁବତୀଙ୍କ ଦକ୍ଷତା ବିକାଶ ସହିତ ସେମାନଙ୍କୁ ରାଜ୍ୟ ତଥା ଦେଶ ବିଦେଶରେ ନିଯୁକ୍ତି ସୁଯୋଗ ଯୋଗାଇ ଦେବା ଲକ୍ଷ୍ୟରେ ଏହିଭଳି କାର୍ଯ୍ୟକ୍ରମ କରାଯାଉଛି। ଏହି କନକ୍ଲେଭରେ ଭାରତକୁ ସ୍କିଲ କ୍ୟାପିଟାଲ ଭାବେ ଗଢ଼ି ତୋଳିବା, ଦକ୍ଷତା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା, ଡ୍ରୋନ ଟେକ୍ନୋଲୋଜି ସହ ସେକ୍ଟର ସ୍କିଲ କାଉନସିଲର ଭୂମିକା ଆଦି ଉପରେ ଆଲୋଚନା କରାଯିବା’’, କହିଛନ୍ତି ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ।
‘‘ଓଡ଼ିଶା ସ୍କିଲ କନକ୍ଲେଭ ମାଧ୍ୟମରେ ବିଭିନ୍ନ ଶିଳ୍ପ, ଶିକ୍ଷାନୁଷ୍ଠାନ, କ୍ଷେତ୍ରୀୟ ଦକ୍ଷତା ପରିଷଦ, ଅନ୍ତର୍ଜାତୀୟ ସଂଗଠନ, ରାଷ୍ଟ୍ରୀୟ ପ୍ରତିନିଧି ଏବଂ ସ୍କିଲ ଆମ୍ବାସାଡରମାନଙ୍କୁ ଯୋଡ଼ିବା ନିମନ୍ତେ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଏକ ନୂତନ ବିଶ୍ଵ ଗଠନ କରିବା ଦିଗରେ ଏକ ରୋଡମ୍ୟାପ ପ୍ରସ୍ତୁତ କରିବା ପାଇଁ ଏହା ଉପଯୁକ୍ତ ପ୍ଲାଟଫର୍ମ ହେବ। ଓଡ଼ିଶାର ଦକ୍ଷତା ପ୍ରଦର୍ଶନ ନିମନ୍ତେ ‘ଓଡ଼ିଶା ସ୍କିଲ କନକ୍ଲେଭ’ ଏକ ଅନନ୍ୟ ସୁଯୋଗ ହେବ’’, କହିଛନ୍ତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ।
ତିନି ଦିନ ଧରି ହେବାକୁ ଥିବା ‘ଓଡ଼ିଶା ସ୍କିଲ କନକ୍ଲେଭ’ କାର୍ଯ୍ୟକ୍ରମରେ ସ୍କିଲ ଇକୋସିଷ୍ଟମ, ଦକ୍ଷ ମାନବ ସମ୍ବଳ ଆଦି ପ୍ରସଙ୍ଗ ଉପରେ ଆଲୋଚନା ହେବ। ଏହାସହ ଦକ୍ଷତା ବିକାଶ ଉପରେ ସ୍ୱତନ୍ତ୍ର ଅଧିବେଶନ ଅନୁଷ୍ଠିତ ହେବ। ପ୍ରତି ସେସନରେ ଜଣେ ଲେଖାଏଁ ମୁଖ୍ୟ ବକ୍ତା ରହିବେ।
ଏହି କନକ୍ଲେଭରେ ବିଭିନ୍ନ ଶିଳ୍ପ ଅନୁଷ୍ଠାନର ପ୍ରତିନିଧିଙ୍କ ସହିତ ୨ ହଜାରରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ଏବଂ ସରକାରୀ କ୍ଷେତ୍ରରୁ ୧୦୦୦ରୁ ଅଧିକ ପ୍ରତିନିଧି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ଆଇଟିଆଇ, ପଲିଟେକ୍ନିକ, ଇଞ୍ଜିନିୟରିଂ କଲେଜ ଓ ବିଶ୍ଵବିଦ୍ୟାଳାୟ ଏବଂ ସରକାରଙ୍କ ବିଭିନ୍ନ ବିଭାଗ ପକ୍ଷରୁ ଏହି କନକ୍ଲେଭରେ ପ୍ରଦର୍ଶନୀ ଖୋଲାଯିବ। ତା’ଛଡ଼ା ରାଜ୍ୟରେ ଦକ୍ଷତା ସମ୍ବନ୍ଧରେ ଶିଳ୍ପ ସହଭାଗୀମାନଙ୍କ ସହ ଏମଓୟୁ ସ୍ଵକ୍ଷର ହେବ।
ଏହି କନକ୍ଲେଭକୁ ସଫଳ କରିବା ଉଦ୍ଦେଶ୍ୟରେ ଭୁବନେଶ୍ଵରରେ ‘ପଥପ୍ରାନ୍ତ ଉତ୍ସବ’ ଆୟୋଜନ କରାଯିବ। ଏହି କନକ୍ଲେଭରେ ୨୦ ଏବଂ ୨୧ ତାରିଖ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।
Tags: #SkillDevelopment #SkilledInOdisha #OdishaSkillConclave2023 #OdishaGovernment



















