ଓଡ଼ିଶାଲାଇଭ୍ ବ୍ୟୁରୋ

ଇତିହାସ ବଦଳେ ନି, କିନ୍ତୁ ରାଜନୀତି ପାଇଁ ବଦଳିଯାଏ ଇତିହାସ ବହି।

ପାଠକୁ ନେଇ ବି ଆରମ୍ଭ ହୁଏ ରାଜନୀତି। ଖାସ କରି ଇତିହାସକୁ ନେଇ। ଇତିହାସ ବଦଳେ ନି, କିନ୍ତୁ ରାଜନୀତି ପାଇଁ ଇତିହାସ ବହି ବଦଳୁ ଥିବା ବିଭିନ୍ନ ସମୟରେ ଦେଖିବାକୁ ମିଳେ। ଗୋଟିଏ ପିଢ଼ି ପଢ଼ିଥିବା ଇତିହାସ ଆର ପିଢ଼ିକୁ ନ ଥାଏ। ଏମିତି କି ପ୍ରତି ଦଶନ୍ଧିରେ ଇତିହାସ ବହିର ପାଠ ବଦଳିଯାଏ।

ରାଜନୈତିକ ଆଦର୍ଶବାଦକୁ ସମାଜ ଉପରେ ଥୋପିବା ପାଇଁ ଇତିହାସ ବହିକୁ ହିଁ ଟାର୍ଗେଟ କରାଯାଏ। ରାଜନୀତି ପାଇଁ ବଦଳିଯାଏ ଇତିହାସ ବହି। ଏବେ ବି ଏହି ଘଟଣା ଦେଖିବାକୁ ମିଳେ। ସେତେବେଳେ କଂଗ୍ରେସ ସରକାରରେ ବି ହେଉଥିଲା। ଏନ୍‌ସିଇଆର୍‌ଟିର ଇତିହାସ ବହି ପରିବର୍ତ୍ତନକୁ ନେଇ ଏବେ ପୁଣି ଚର୍ଚ୍ଚା ଜୋର ଧରିଛି।

କିଛି ଦିନ ହେଲା ସିବିଏସ୍‌ଇ ଇତିହାସ ବହିରୁ କିଛି ବିଷୟକୁ ବାଦ ଦିଆଯାଇଛି। ଗତ ବର୍ଷ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ପିଲାଏ ସେ ଇତିହାସକୁ ପଢ଼ିଥିଲେ। କିନ୍ତୁ ଚଳିତ ଶିକ୍ଷା ବର୍ଷରୁ ଆଉ ସେହି ଇତିହାସ ପଢ଼ାଯିବ ନାହିଁ। ଭାରତର ଇତିହାସ ଶିକ୍ଷାରେ ଏମିତି ବାରମ୍ବାର ହୋଇଛି। ସ୍ଵୟଂଶାସିତ ଏନ୍‌ସିଇଆର୍‌ଟି ଏକ ଆଦର୍ଶ ଶିକ୍ଷା ବ୍ୟବସ୍ଥା ଓ ପୁସ୍ତିକାର ବିକାଶ ପାଇଁ କାମ କରୁଥିବା ବେଳେ ବିଭିନ୍ନ ସମୟରେ ସରକାରୀ ଚାପ ପାଇଁ ବିବାଦୀୟ ମଧ୍ୟ ହୋଇଛି। ଏବେ ବିଜେପି ପ୍ରଭାବରେ ଏନ୍‌ସିଆର୍‌ଟି ବିବାଦୀୟ ନିଷ୍ପତ୍ତି ନେଉଥିବା ବିଭିନ୍ନ ମହଲରେ ଅଭିଯୋଗ ହେଉଛି।

ଦେଶ ସ୍ଵାଧୀନ ହେବାର ମାତ୍ର କିଛି ବର୍ଷ ଯାଇଥାଏ। ରାଜତନ୍ତ୍ରରୁ ଗଣତନ୍ତ୍ରକୁ ରୂପାନ୍ତରଣ ବେଶୀ ଦିନ ହୋଇ ନଥାଏ। ଅଖଣ୍ଡ ଭାରତର ମିଶ୍ରଣ ପ୍ରକ୍ରିୟା ପୂରା ଶେଷ ହୋଇ ନଥାଏ। ନୂତନ ଭାରତରେ ବିଭିନ୍ନ ଧର୍ମର ଲୋକଙ୍କୁ ଏକାଠି କରି ରଖିବା ପାଇଁ ସରକାରୀସ୍ତରରେ ଉଦ୍ୟମ ଚାଲିଥିବା ବେଳେ ଶିକ୍ଷା ବ୍ୟବସ୍ଥା ହିଁ ଏହାକୁ ମଜବୁତ କରିବ ବୋଲି ବିଶ୍ଵାସ ହେବା ପରେ ଏ ଦିଗରେ କାମ ଆରମ୍ଭ ହୋଇଥିଲା। ୧୯୬୦ରେ ଇତିହାସ ଶିକ୍ଷାର ପରିସର ନିର୍ଦ୍ଧାରଣ କରିବା ପାଇଁ ଏକ କମିଟି ଗଠନ ହୋଇଥିଲା। ତାରା ଚାନ୍ଦ, ନୀଳକାନ୍ତ ଶାସ୍ତ୍ରୀ, ମହମ୍ମଦ ହବିବ, ବିଶ୍ଵେଶର ପ୍ରସାଦ, ବିପି ସକ୍ସେନା ଓ ପିସି ଗୁପ୍ତା ଏହାର ସଦସ୍ୟ ଥିଲେ।

ଏହି କମିଟି ଦ୍ଵାରା ଅନୁଶୀଳନ ପରେ ଏକାଧିକ ଇତିହାସ ପୁସ୍ତକ ପ୍ରକାଶିତ ହୋଇଥିଲା। ୧୯୬୬ ମସିହାରେ ଷଷ୍ଠ ଶ୍ରେଣୀ ପାଇଁ ରୁମିଲା ଥାପ୍ପରଙ୍କ ସଂକଳିତ ପୁରାତନ ଇତିହାସ ପୁସ୍ତକ ପ୍ରକାଶିତ ହୋଇଥିଲା। ତା’ ପର ବର୍ଷ ମଧ୍ୟଯୁଗ ଇତିହାସକୁ ନେଇ ଏକ ବହି ପ୍ରକାଶ ପାଇଥିଲା। ରାମ ଶରଣ ଶର୍ମାଙ୍କ ପୁରାତନ ଇତିହାସ, ସତିଶ ଚନ୍ଦ୍ରାଙ୍କ ମଧ୍ୟଯୁଗ ଇତିହାସ, ବିପନ ଚନ୍ଦ୍ରାଙ୍କ ଆଧୁନିକ  ଭାରତ ଇତିହାସ, ଅରୁଣ ଦେବଙ୍କ ଦ୍ଵାରା ସଂକଳିତ ଭାରତ ଓ ବିଶ୍ଵ ଇତିହାସ ପୁସ୍ତକ ପ୍ରକାଶ ପାଇଥିଲା। ଏଥିରେ ଧର୍ମ ନିରପେକ୍ଷତାକୁ ଗୁରୁତ୍ଵ ଦିଆଯାଇଥିଲା।

ନେହେରୁଙ୍କ ବିୟୋଗ ପରେ ଏ ସବୁ ବହି ପ୍ରକାଶିତ ହୋଇଥିଲେ ମଧ୍ୟ ନେହେରୁଙ୍କ ଇଛା ଏଥିରେ ପ୍ରତିଫଳିତ ହୋଇଥିଲା ବୋଲି କୁହାଯାଏ। ନେହେରୁ ମାର୍କସବାଦକୁ ଗୁରୁତ୍ଵ ଦେଉଥିବା ବେଳେ ଏହି ଇତିହାସ ପୁସ୍ତକରେ ମାର୍କ୍ସବାଦକୁ ଗୁରୁତ୍ଵ ଦିଆଯାଇଥିଲା ବୋଲି ଅଭିଯୋଗ ହୁଏ। ଭାରତୀୟ ସଭ୍ୟତା ଓ ହିନ୍ଦୁ ଜାତୀୟତାବାଦକୁ ନେଇ ଏଥିରେ ଦ୍ଵନ୍ଦ୍ଵ ଥିଲା ବୋଲି ସବୁ ବେଳେ ଅଭିଯୋଗ ହୁଏ। ଏନ୍‌ସିଆର୍‌ଟି ଓ ଇତିହାସ ଶିକ୍ଷା କମିଟି ଗଠନ ଆରମ୍ଭରୁ ଇତିହାସ ବହି ସବୁବେଳେ ସାଂଘାତିକ ରାଜନୈତିକ ଆକ୍ରୋଶର ଶିକାର ହୋଇଆସୁଛି।

୧୯୬୯ ମସିହାରେ ପାଠ୍ୟକ୍ରମରେ ସାମିଲ ହୋଇଥିବା ଇତିହାସ ବହି ମୂଳରୁ ହିଁ ବିବାଦରେ ଫସିଥିଲା। ହିନ୍ଦୁ, ଶିଖ ଧର୍ମକୁ ଏଥିରେ ଯେତିକି ସମ୍ମାନ ଦିଆଯିବା କଥା ସେତିକି ଦିଆଯାଇ ନ ଥିଲା। ହିନ୍ଦୁ, ଶିଖ ସଂଗଠନ ଏହାକୁ ନେଇ ଆପତ୍ତି ଜଣାଇଥିଲେ ମଧ୍ୟ ଏହାକୁ କମିଟି ଅଗ୍ରାହ୍ୟ କରିଦେଥିଲା। ଏହା ପରେ ବାରମ୍ବାର ଇତିହାସ ବହିକୁ ହିଁ ନେଇ ଆପତ୍ତି ଅଭିଯୋଗ ହୋଇଛି। ହିନ୍ଦୁ ଜାତୀୟତାବାଦକୁ ଇତିହାସ ବହିରେ ଗୁରୁତ୍ଵ ଦିଆଯାଇ ନଥିବା ନେଇ ବାରମ୍ବାର ବିଭିନ୍ନ ସଂଗଠନ ପକ୍ଷରୁ ଅଭିଯୋଗ ହେବା ସହ ବିରୋଧ ମଧ୍ୟ ହୋଇଛି। ବିଜେପି ସରକାର ବିରୋଧରେ ଇତିହାସରେ ଗୈରିକବାଦ ଭର୍ତ୍ତି କରାଯାଉଥିବା ଅଭିଯୋଗ ହୋଇଛି।

୧୯୭୭ରୁ ୨୦୮୦ ମସିହା ମଧ୍ୟ ଜନତା ସରକାର ଥିବା ସମୟରେ ଜନସଂଘର ନାନାଜୀ ଦେଶମୁଖ ଇତିହାସ ବହିକୁ ନେଇ ପ୍ରଧାନମନ୍ତ୍ରୀ ମୋରାର୍ଜୀ ଦେଶାଇଙ୍କୁ ଏକ ଦାବିପତ୍ର ଦେଇଥିଲେ। ରୁମିଲା ଥାପରଙ୍କ ସଂକଳିତ ମଧ୍ୟଯୁଗ ଇତିହାସ, ବିପନ ଚନ୍ଦ୍ରଙ୍କ ଆଧୁନିକ ଇତିହାସ ସମେତ ଅନ୍ୟ ୨ ଇତିହାସ ବହିକୁ ଏଥିରେ କଡ଼ା ସମାଲୋଚନା କରିଥିଲେ ନାନାଜୀ ଦେଶମୁଖ। ଏହି ବହିକୁ ମଧ୍ୟ ଅପସାରଣ କରି ନେବା ପାଇଁ ସରକାର ନିଷ୍ପତ୍ତି ନେଇଥିଲେ।

୧୯୭୭ ମସିହାରେ ପ୍ରକାଶିତ ଆଧୁନିକ ଇତିହାସ ବହି ମଧ୍ୟ ବିରୋଧର ସମ୍ମୁଖୀନ ହୋଇଥିଲା। ଏ ସମସ୍ତ ଇତିହାସ ବହିକୁ ଭାରତ ବିରୋଧୀ ଓ ଦେଶ ବିରୋଧୀ ବୋଲି ନାମ ଦିଆଯାଇଥିଲା। କାରଣ ଏଥିରେ କିଛି ନିର୍ଦିଷ୍ଟ ଧର୍ମର ଆକ୍ରମଣକାରୀଙ୍କୁ ସମାଲୋଚନା କରାଯାଇ ନଥିଲା। ତେଣୁ ଏହା ହିନ୍ଦୁବାଦୀ ସଂଗଠନକୁ ଅସନ୍ତୁଷ୍ଟ କରିଥିଲା। ଏ ବହିଗୁଡ଼ିକୁ ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ତା’ର ପତ୍ରିକା ଅର୍ଗାନାଇଜରରେ କଠୋର ସମାଲୋଚନାମୂଳକ କ୍ୟାମ୍ପେନ ଆରମ୍ଭକ କରିଥିଲେ। ୧୯୭୭ ମସିହାରେ ସରକାରଙ୍କ ଦ୍ଵାରା ଗଠିତ କେମିତି ଏହି ପୁସ୍ତକ ସପକ୍ଷରେ ମତ ଦେଇଥିଲେ ମଧ ଶେଷରେ ୧୯୭୮ ମସିହାରେ ସଂସଦରେ ଏକ ଆଇନ ଆସିବା ପରେ ଆର୍‌ଏସ୍ ଶର୍ମାଙ୍କ ସଂକଳିତ ଆଧୁନିକ ଇହିହାସ ବହିକୁ ସିଲାବସ୍‌ରୁ ବାଦ୍‌ ଦିଆଯାଇଥିଲା।

୨୦୦୨ ମସିହାରେ କେନ୍ଦ୍ରରେ ବିଜେପି ସରକାର ନ୍ୟାସନାଲ କରିକୁଲମ ଫ୍ରେମଓ୍ଵାର୍କ ଅଧୀନରେ ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକରେ ପରିବର୍ତ୍ତନ ପାଇଁ ପ୍ରୟାସ କରିଥିଲେ। କିନ୍ତୁ କିଛି ନିର୍ଦିଷ୍ଟବାଦର ଐତିହାସିକମାନେ ଏହି  ଉଦ୍ୟମକୁ ବିରୋଧ କରିଥିଲେ। ଏଥିରେ ହିନ୍ଦୁତ୍ଵକୁ ଅଧିକ ଗୁରୁତ୍ଵ ଦିଆଯାଉଛି ବୋଲି ସେମାନେ ଅଭିଯୋଗ କରିଥିଲେ। କିନ୍ତୁ ତତ୍କାଳୀନ କେନ୍ଦ୍ର ସରକାର ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଏକ ସତ୍ୟ ଆଧାରିତ ଇତିହାସ ପିଲାମାନଙ୍କୁ ଜଣାଇବାକୁ ଉଦ୍ୟମ ହେଉଛି ବୋଲି ଦାବି କରିଥିଲେ। ବାମପନ୍ଥୀମାନେ ମଧ୍ୟ ଏହି ଇତିହାସ ପୁସ୍ତକ ପରିବର୍ତ୍ତନ ଉଦ୍ୟମକୁ ବିରୋଧ କରିଥିଲେ।

୨୦୦୪ ମସିହାରେ ୟୁପିଏ ସରକାରକୁ ଆସିବା ପରେ ପୁଣି ଇତିହାସ ବଦଳାଇବାକୁ ଚେଷ୍ଟା କରାଯାଇଥିଲା। ଧର୍ମନିରପେକ୍ଷତା ଆଧାରିତ ଇତିହାସ ବହି ପ୍ରସ୍ତୁତିକୁ ପ୍ରୋତ୍ସାହିତ କରିଥିଲା। ସିବିଏସ୍‌ଇ ପକ୍ଷରୁ ନୂଆ ପାଠ୍ୟପୁସ୍ତକ ପ୍ରଚଳନ ଆରମ୍ଭ ହୋଇଥିଲା। ଏହାକୁ ବିଜେପି ପକ୍ଷରୁ ଘୋର ବିରୋଧ କରାଯାଇଥିଲା।

୨୦୧୪ ମସିହାରେ କଂଗ୍ରେସକୁ କ୍ଷମତାରୁ ହଟାଇ କେନ୍ଦ୍ରରେ ବିଜେପି ସରକାର କରିଥିଲା। ସେବେଠାରୁ ଆଜି ପର୍ଯ୍ୟନ୍ତ ଇତିହାସ ବହିରେ ବିଭିନ୍ନ ପରିବର୍ତ୍ତନ କରାଯାଇଛି। ୨୦୧୭ ମସିହାରେ ଏନ୍‌ସିଇଆର୍‌ଟି ଏକାଦଶ ଶ୍ରେଣୀର ବହିରେ ଥିବା ‘ଗୁଜରାଟ ମୁସଲିମ୍ ବିରୋଧୀ ଦଙ୍ଗାକୁ କେବଳ ଗୁଜରାଟ ଦଙ୍ଗା’ ଭାବେ ପରିବର୍ତ୍ତନ କରାଯାଇଛି। ଏବେ ୨୦୨୩-୨୪ ଶିକ୍ଷା ବର୍ଷ ପାଇଁ ସିବିଏସ୍‌ଇ ପୁସ୍ତକରେ ପରିବର୍ତ୍ତନ କରାଯାଇଛି। ମୋଗଲ ଶାସନ ସମୟର କିଛି ବିଷୟକୁ ବାଦ୍ ଦିଆଯାଇଛି।

ଦ୍ଵାଦଶ ଶ୍ରେଣୀ ସହ ଦଶମ ଓ ଏକାଦଶ ଶ୍ରେଣୀର ବହିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏକାଦଶ ଶ୍ରେଣୀର ଓ୍ଵାର୍ଲ୍ଡ ହିଷ୍ଟ୍ରି ବିଷୟରୁ ସେଣ୍ଟ୍ରାଲ ଇସଲାମିକ ଲ୍ୟାଣ୍ଡସ, କନଫ୍ରଣ୍ଟେସନ ଅଫ୍ କଲଚର୍ ଓ ଇଣ୍ଡଷ୍ଟ୍ରିଆଲ ରିଭୋଲ୍ୟୁସନକୁ ବାଦ୍‌ ଦିଆଯାଇଛି। ଦଶମ ଶ୍ରେଣୀ ଡେମୋକ୍ରାଟିକ ପଲିଟିକ୍ସ ବହିରୁ ବିଭିନ୍ନ ଚର୍ଚ୍ଚିତ ସଂଘର୍ଷ ଓ ଆନ୍ଦୋଳନକୁ ବାଦ ଦିଆଯାଇଛି।

ଇତିହାସ ପ୍ରେରଣା ଦିଏ ଏବଂ ଭୁଲର ପୁନରାବୃତ୍ତି ନକରିବା ଲାଗି ଶିକ୍ଷା ଦିଏ। ପରବର୍ତ୍ତୀ ପିଢ଼ିକୁ ପୂର୍ବ ପିଢ଼ି ସମ୍ପର୍କରେ ତଥ୍ୟ ଯୋଗାଏ। ବେଳେବେଳେ ଗୋଟିଏ ପିଢ଼ିର ଶାସନ ସମୟରେ ଲେଖାଥିବା ଇତିହାସ ପରବର୍ତ୍ତୀ ପିଢ଼ିରେ ଆସୁଥିବା ଶାସକକୁ ଅଡୁଆରେ ପକାଏ। ଖାସ୍ ଏଥିପାଇଁ ବିଭିନ୍ନ ସମୟରେ ଇତିହାସ ବହିକୁ ନେଇ ରାଜନୀତି ହୁଏ ବୋଲି ବିଶେଷଜ୍ଞମାନେ ମତ ଦିଅନ୍ତି।­

Tags: #Politics #History #HistoryBooks #PoliticalParty #Education #Government

LEAVE A REPLY

Please enter your comment!
Please enter your name here