ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାରେ ଫେବ୍ରୁଆରି ୧୮ ତାରିଖରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା। ଏହି ପରୀକ୍ଷା ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ। ୧୦ଟାରୁ ଦିନ ୧ଟା ଯାଏଁ ପରୀକ୍ଷା ଚାଲିବ। ପରୀକ୍ଷାର ୪୫ ଦିନ ପରେ ଫଳାଫଳ ପ୍ରକାଶ ପାଇବ। ଏ ନେଇ ମଙ୍ଗଳବାର ଦିନ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ପକ୍ଷରୁ ସୂଚନା ଦିଆଯାଇଛି।
ଯୁକ୍ତ ୨ ପରୀକ୍ଷାକୁ ନେଇ ସିଏଚଏସଇ ବୈଠକ ବସିଥିଲା। ବୈଠକର ନିଷ୍ପତ୍ତି ଅନୁସାରେ ଫେବ୍ରୁଆରି ୧୮ରୁ ଆସନ୍ତା ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ଯୁକ୍ତ ୨ ପରୀକ୍ଷା ଚାଲିବ। କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ।
ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷା ଦେବେ ରାଜ୍ୟର ପ୍ରାୟ ୩ ଲକ୍ଷ ୯୩ ହଜାର ୬୧୮ ଜଣ ଛାତ୍ରଛାତ୍ରୀ। ରାଜ୍ୟର ୧,୨୭୬ଟି କେନ୍ଦ୍ରରେ ପରୀକ୍ଷା ହେବ।
ସମସ୍ତ ପରୀକ୍ଷା କେନ୍ଦ୍ରରେ ସିସିଟିଭି ବ୍ୟବସ୍ଥା କରାଯାଇଛି। ପରୀକ୍ଷା ପରିଚାଳନା ନିମନ୍ତେ ସିଏଚଏସଇ ମୁଖ୍ୟାଳୟରେ ଏକ ସ୍ଵତନ୍ତ୍ର କଣ୍ଟ୍ରୋଲ ରୁମ କରାଯିବ। ସେଠାରୁ ସବୁ ପରୀକ୍ଷା କେନ୍ଦ୍ର ଉପରେ ନଜର ରଖାଯିବ।
ପରୀକ୍ଷାର ୪୫ ଦିନ ପରେ ଫଳାଫଳ ପ୍ରକାଶ କରିବାକୁ ପରିଷଦ ପକ୍ଷରୁ ଲକ୍ଷ୍ୟ ରହିଛି।
Tags: #PlusTwoExam #Education #Science #Arts #Commerce #Education #CHSE #GovtofOdisha