ଓଡ଼ିଶାଲାଇଭ୍ ବ୍ୟୁରୋ

ଜୁନ ୪ ତାରିଖରେ କେରଳ ଉପକୂଳ ଛୁଇଁବ ମୌସୁମୀ ବାୟୁ। ଏ ବର୍ଷ ସାମାନ୍ୟ ବିଳମ୍ବରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳ ପହଞ୍ଚିବ। ଏନେଇ ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

କେରଳ ଉପକୂଳରେ ସାଧାରଣତଃ ଜୁନ ୧ ତାରିଖରେ ମୌସୁମୀ ବାୟୁ ପ୍ରବେଶ କରିଥାଏ। କିଛି ସମୟରେ ଏଥିରେ ସାମାନ୍ୟ ବିଳମ୍ବ ଦେଖାଯାଇଥାଏ। କେରଳ ପହଞ୍ଚିବାର ଗୋଟେ ସପ୍ତାହ ପରେ ମୌସୁମୀ ବାୟୁ ଓଡ଼ିଶାକୁ ଆସିଥାଏ। ତେବେ ଚଳିତ ବର୍ଷ ଜୁନ ମାସ ଦ୍ଵିତୀୟ ସପ୍ତାହରେ ମୌସୁମୀ ବାୟୁ ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି।

ଅନ୍ୟପଟେ ଏବେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ ହୋଇନାହିଁ। ଏହାଫଳରେ ଓଡ଼ିଶାର ଚାଷୀମାନେ କ୍ଷେତରେ ଧାନ ବୁଣିବା ଆରମ୍ଭ କରିନାହାନ୍ତି। ବର୍ଷା ହେଲେ ଧାନ ବୁଣା ହେବ। ବର୍ଷା ହେବା ଫଳରେ ଗ୍ରୀଷ୍ମ ପ୍ରବାହ ଉପରେ ମଧ୍ୟ ରୋକ ଲାଗିବ।

ସେହିପରି ୨୦୨୩ ମସିହାରେ ମୌସୁମୀ ବାୟୁ ପ୍ରଭାବରେ ଭାରତରେ ସ୍ଵାଭାବିକ ବର୍ଷା ହେବ ବୋଲି ପୂର୍ବରୁ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା। ମୌସୁମୀ ବର୍ଷାର ପରିମାଣ ୯୬ ପ୍ରତିଶତ ରହିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି, ଯାହା ଚାଷୀଙ୍କୁ ଆଶ୍ଵସ୍ତ କରିଛି।

୨୦୦୫ ମସିହାରୁ ଭାରତୀୟ ପାଣିପାଗ ବିଭାଗ ମୌସୁମୀ ବାୟୁ କେରଳ ଛୁଇଁବା ନେଇ ପୂର୍ବାନୁମାନ କରିଆସୁଛି। କେବଳ ୨୦୧୫ ମସିହାକୁ ଛାଡ଼ି ମୌସୁମୀ ଆସିବାକୁ ନେଇ ପାଣିପାଗ ବିଭାଗର ଆକଳନ ସବୁବେଳେ ସଠିକ୍ ରହିଛି। ୨୦୨୨ ମସିହାରେ ମେ’ ୨୯ ତାରିଖରେ ମୌସୁମୀ ବାୟୁ କେରଳ ଛୁଇଁଥିଲା।

Tags: #South-WestMonsoon #MonsoonRain #Kerela #IndianMeteorologicalDept

 

Comment