ଓଡ଼ିଶାଲାଇଭ୍ ପଲିଟିକାଲ୍ ବ୍ୟୁରୋ
ସଂଯୋଗ ହେଉ କି ସମୀକରଣ, ନିର୍ବାଚନ ପରୀକ୍ଷାରେ ସଫଳ ହୋଇଛି ପ୍ରାୟ ସବୁ ରାଜନୈତିକ ପଦଯାତ୍ରା।
ଭାରତୀୟ ଗଣତନ୍ତ୍ର, ରାଜନୀତି ଚମତ୍କାର। ନିର୍ବାଚନ ଏଠି ସବୁଠାରୁ ବଡ଼ ପର୍ବ ଓ ନେତାଙ୍କ ପାଇଁ ନିର୍ବାଚନ ସମୟରେ ଭୋଟର ହିଁ ଭଗବାନ। ଭୋଟରଙ୍କ ଆଶୀର୍ବାଦ, ସମର୍ଥନ ଯୋଗାଡ଼ କରିବା ପାଇଁ ନେତା, ଦଳ ବିଭିନ୍ନ ବାଟ ବାହାର କରିଥାନ୍ତି।
ଭୋଟ୍ ପାଇବାକୁ ଅନେକ ଡ୍ରାମା ଓ ନାଟକ ହୁଏ। ଭାଷଣର ବାତ୍ୟା, ପ୍ରତିଶ୍ରୁତିର ବନ୍ୟା ଦେଖିବାକୁ ମିଳେ ନିର୍ବାଚନ ସମୟରେ। ପଦଯାତ୍ରା ବି ହୁଏ। ଲୋକଙ୍କୁ ଯୋଡ଼ିବାକୁ ଚେଷ୍ଟା କରାଯାଏ। ସଂଯୋଗ ହେଉ କି ସମୀକରଣ ଏହି ପଦଯାତ୍ରା କିନ୍ତୁ ଭାରତୀୟ ରାଜନୀତିରେ ସୁପରହିଟ୍ ସାବ୍ୟସ୍ତ ହୋଇଛି। ବିଫଳ ହେବାର ଉଦାହରଣ ବହୁତ ବହୁତ କମ୍ ରହିଛି।
ପଦଯାତ୍ରାର ଅନେକ ପ୍ରଭାବ ରହିଛି। ଏଥିରେ ଲୋକଙ୍କ ସହ ସିଧାସଳଖ ଯୋଡ଼ି ହେବାର ସୁଯୋଗ ଅଧିକ ମିଳିଥାଏ। ତେଣୁ ରାଜନେତାଙ୍କ ପରବର୍ତ୍ତୀ ଉଦ୍ଦେଶ୍ୟ ସାଧିତ ହୋଇଥାଏ ବୋଲି ରାଜନୀତି ସମୀକ୍ଷକମାନେ କୁହନ୍ତି। କିନ୍ତୁ ସରକାର ବିରୋଧୀ ଜନସ୍ରୋତ ଥିଲେ ଏହି ପଦଯାତ୍ରାକୁ ଆହୁରି ବଳ ମିଳିଥାଏ।
ସ୍ଵାଧୀନତା ପୂର୍ବରୁ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଥର ପଦଯାତ୍ରା ହୋଇଛି। ଏହାର ଫଳ ବି ମିଳିଛି ପଦଯାତ୍ରାରେ ଯାଇଥିବା ନେତାମାନଙ୍କୁ। ଉଭୟ ଗାନ୍ଧିଜୀ ଓ ସ୍ଵାଧୀନତା ସଂଗ୍ରାମକୁ ଶକ୍ତି ଦେଇଥିଲା ଦାଣ୍ଡି ପଦଯାତ୍ରା। ସାବରମତି ଆଶ୍ରମରୁ ଦାଣ୍ଡି ଯାଏଁ ୨୪୦ କିଲୋମିଟର ପଦଯାତ୍ରାରେ ଯାଇ ଗାନ୍ଧିଜୀ ଆଇନ ଅମାନ୍ୟ କରି ଲୁଣ ମାରିଥିଲେ।
ଏହି ଯାତ୍ରାକୁ ଅଦ୍ଭୂତ ସଫଳତା ମିଳିଥିଲା। ଅନେକ ଲୋକ ଏଥିରେ ଯୋଡ଼ି ହୋଇଥିଲେ। ଏଠାରୁ ହିଁ ଆଇନ ଅମାନ୍ୟ ଆନ୍ଦୋଳନର ସୂତ୍ରପାତ ହୋଇଥିଲା। ଇଂରେଜ ସରକାରଙ୍କ ବିରୋଧରେ ଏହା ବଡ଼ ଅସ୍ତ୍ର ଭାବେ କାମ କରିଥିଲା। ନିକଟରେ କର୍ଣ୍ଣାଟକରେ କଂଗ୍ରେସକୁ ବିରାଟ ସଫଳତା ମିଳିବା ପଛରେ ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାର ମଧ୍ୟ ଭୂମିକା ରହିଥିବା ପ୍ରମାଣିତ ହେବା ପରେ ପୁଣି ପଦଯାତ୍ରାର ପ୍ରାସଂଗିକତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ଏନ୍ଟି ରାମାରାଓଙ୍କ ରଥଯାତ୍ରା
ପଦଯାତ୍ରାରୁ ଅନୁପ୍ରାଣିତ ହୋଇ ଲୋକଙ୍କ ସହ ଯୋଡ଼ି ହେବାକୁ ଯାତ୍ରା ଆରମ୍ଭ କରିଥିଲେ ଆନ୍ଧ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦକ୍ଷିଣ ସିନେମାର ପ୍ରସିଦ୍ଧ ଅଭିନେତା ଏନ୍ଟି ରାମାରାଓ। ଏହିଯାତ୍ରାକୁ ଆଧୁନିକ ଭାରତର ସବୁ ପଦଯାତ୍ରା, ରାଜନୈତିକ ରଥଯାତ୍ରାର ଆରମ୍ଭ ବୋଲି କୁହାଯାଏ।
୧୯୮୨ ମସିହା ମାର୍ଚ୍ଚ ମାସରେ ତେଲୁଗୁ ଦେଶମ ପାର୍ଟି ଗଠନ କରିବା ସହ ପଦଯାତ୍ରା ବା ରଥଯାତ୍ରାରେ ବାହାରି ଥିଲେ ଏହାର ପ୍ରତିଷ୍ଠାତା ସଭାପତି ଏନ୍ଟି ରାମାରାଓ। ଜାନୁଆରି ୧୯୮୩ରେ ନିର୍ବାଚନ ତାରିଖ ଘୋଷଣା ହେବା ଯାଏଁ ସେ ଦୀର୍ଘ ୯ ମାସ ଧରି ଅବିଭକ୍ତ ଆନ୍ଧ୍ର ପ୍ରଦେଶର ବିଭିନ୍ନ ଜିଲ୍ଲା, ପଞ୍ଚାୟତ ଓ ଗାଁଖଉ ଗାଁ ବୁଲିଥିଲେ। ତାଙ୍କର ଏହି ୪୦ ହଜାର କିଲୋମିଟର ଯାତ୍ରାରେ ଲକ୍ଷ ଲକ୍ଷ ଲୋକ ତାଙ୍କୁ ଭେଟିବା ପାଇଁ ରାସ୍ତାକଡ଼ରେ ତମ୍ବୁ ଲଗାଇ ଅପେକ୍ଷା କରୁଥିଲେ।
ଏହି ପଦଯାତ୍ରାର ପ୍ରଭାବ ଏତେ ମାତ୍ରାରେ ଥିଲା ଯେ, ପ୍ରଥମ ଥରର ନିର୍ବାଚନରେ ତେଲୁଗୁ ଦେଶମ ପାର୍ଟି ୨୯୪ ଆସନ ବିଶିଷ୍ଟ ଆନ୍ଧ୍ର ବିଧାନସଭାରେ ୨୦୧ଟି ଆସନରେ ବିଜୟୀ ହୋଇଥିଲା। ପ୍ରଥମ ଅଣ କଂଗ୍ରେସ ମୁଖ୍ୟମନ୍ତ୍ରୀ ହୋଇଥିଲେ ଏନ୍ଟି ରାମାରାଓ।
ଚନ୍ଦ୍ରଶେଖରଙ୍କ ଭାରତ ଯାତ୍ରା
ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜନତା ଦଳ ନେତା ଚନ୍ଦ୍ରଶେଖର ୧୯୮୩ରେ ଏକ ପଦଯାତ୍ରା ‘ଭାରତ ଯାତ୍ରା’ର ଶୁଭାରମ୍ଭ କରିଥିଲେ। କନ୍ୟା କୁମାରୀରୁ ନୂଆଦିଲ୍ଲୀ ଯାଏଁ ଚାଲିଥିବା ଏହି ପଦଯାତ୍ରାକୁ ବହୁତ ଲୋକଙ୍କ ସମର୍ଥନ ମିଳିଥିଲା। ଲୋକେ ସ୍ଵତଃ ସମର୍ଥନ କରିଥିଲେ। ଏ ପରିକି ଅର୍ଥଦାନ ମଧ୍ୟ କରିଥିଲେ।
୧୯୮୪ରେ ସାଧାରଣ ନିର୍ବାଚନ ଥିଲା। ଏଥର ଜନତା ଦଳ ସରକାର ଗଠନ କରିବ ବୋଲି ସମସ୍ତେ ଭାବୁଥିଲେ। କାରଣ ଏହି ଭାରତ ଯାତ୍ରାର ଅଭୂତପୂର୍ବ ସଫଳତା ଦେଖି ଚନ୍ଦ୍ରଶେଖର ସରକାର କରିବେ ବୋଲି ଚାରିଆଡ଼େ ହାଓ୍ଵା ବହୁଥିଲା। କିନ୍ତୁ ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ଘଟଣା ଚନ୍ଦ୍ରଶେଖରଙ୍କର ଏହି ପରିଶ୍ରମକୁ ବିଫଳ କରି ଦେଇଥିଲା। କଂଗ୍ରେସ ୪୦୩ ଆସନରେ ବିଜୟୀ ହୋଇଥିଲା ଏବଂ ଚନ୍ଦ୍ରଶେଖରଙ୍କ ଦଳକୁ ମାତ୍ର ୧୦ଟି ଆସନ ମିଳିଥିଲା।
ଲାଲକ୍ରିଷ୍ଣା ଆଡଭାନୀଙ୍କ ରଥଯାତ୍ରା
ପଦଯାତ୍ରାରୁ ଅନୁପ୍ରାଣିତ ୧୯୯୧ର ଲାଲ୍କ୍ରିଷ୍ଣ ଆଡଭାନୀଙ୍କ ରଥଯାତ୍ରା ମଧ୍ୟ ବିଜେପିକୁ ବହୁତ ବଳ ଦେଇଥିଲା। ଭୋଟର ବହୁତ ମାତ୍ରାରେ ବିଜେପି ସହିତ ଯୋଡ଼ି ହୋଇଥିଲେ। ଏହାର କିଛି ବର୍ଷ ପରେ ବିଜେପି ସରକାର ଗଠନ କରିବା ପାଇଁ ରାସ୍ତା ପାଇଥିଲା।
ଆଡଭାନୀଙ୍କ ଏହି ରଥଯାତ୍ରା ଦେଶର ଧର୍ମନିରପେକ୍ଷତାର ଛବି ବଦଳାଇ ଦେଇଥିଲା। ଧୀରେ ଧୀରେ ରାଜନୀତିର ଧର୍ମୀୟ ଧ୍ରୁବୀକରଣ ହୋଇଥିଲା। ଏହି ରଥଯାତ୍ରାର ପ୍ରଭାବରେ ୧୯୯୧ ସାଧାରଣ ନିର୍ବାଚନରେ ବିଜେପିର ଆସନ ସଂଖ୍ୟା ୧୨୦କୁ ବୃଦ୍ଧି ପାଇଥିଲା। ବିଜେପିର ରାମମନ୍ଦିର ଆନ୍ଦୋଳନକୁ ଜନସ୍ଵୀକୃତି ମିଳିବାରେ ସହଯୋଗ କରିଥିଲା ଏହି ରଥଯାତ୍ରା। ଅବଶ୍ୟ ଏହି ରଥଯାତ୍ରା ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରିନଥିଲା। କାରଣ ତାଙ୍କୁ ବିହାରରେ ଗିରଫ କରାଯାଇଥିଲା।
ମୋଦୀଙ୍କ ଗୁଜରାଟ ଗୌରବ ଯାତ୍ରା
ଗୁଜରାଟ ବିଧାନସଭାର କାର୍ଯ୍ୟକାଳ ପୂରିବାର ୮ ମାସ ପୂର୍ବରୁ ଅର୍ଥାତ ୨୦୦୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରିମଣ୍ଡଳ ଭାଙ୍ଗିବା ସହ ଆଗୁଆ ନିର୍ବାଚନ ପାଇଁ ସୁପାରିସ କରିଥିଲେ। ଏହି ସମୟରେ ସେ ଗୁଜରାଟ ଗୌରବ ଯାତ୍ରାର ଆୟୋଜନ କରିବା ସହ ଜନସମର୍ଥନ ଯୋଗାଡ଼ କରିଥିଲେ। ଏହି ଯାତ୍ରାର ଫଳତା ସ୍ଵରୂପ ବିଜେପିକୁ ବହୁମତ ମିଳିଥିଲା। ନରେନ୍ଦ୍ର ମୋଦୀ ଦ୍ଵିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୧୭ ମସିହାରେ ମଧ୍ୟ ବିଜେପି ସେମିତି ଏକ ଯାତ୍ରା କରି ପୁଣି ଜନସମର୍ଥନ ଜୁଟାଇବାରେ ସଫଳ ହୋଇଥିଲା।
ଓ୍ଵାଇଏସ୍ଆରଙ୍କ ପଦଯାତ୍ରା
ଆନ୍ଧ୍ରପ୍ରଦେଶର ବରିଷ୍ଠ କଂଗ୍ରେସ ନେତା ଓ୍ଵାଇଏସ୍ ରାଜଶେଖର ରେଡ୍ଡିଙ୍କ ପଦଯାତ୍ରା ଭାରତୀୟ ରାଜନୀତିକୁ ଦୋହଲାଇ ଦେଇଥିଲା। ଟିଡିପି ସରକାରଙ୍କ ବିରୋଧରେ ଚାଷୀଙ୍କୁ ଅବହେଳାର ଅଭିଯୋଗ ଆଣି ସେ ପଦଯାତ୍ରା କରିଥିଲେ। ୬୦ ଦିନର ପଦଯାତ୍ରାରେ ସେ ଚାଷୀଙ୍କ ସହ ଯୋଡ଼ି ହୋଇଥିଲେ। ୨୦୦୩ର ଏହି ପଦଯାତ୍ରା ୨୦୦୪ରେ କଂଗ୍ରେସକୁ ପୁଣି ଶାସନକୁ ଫେରିବା ପାଇଁ ରାସ୍ତା ସଫା କରିଦେଇଥିଲା।
ଜଗନ ମୋହନ ରେଡ୍ଡୀଙ୍କ ପଦଯାତ୍ରା
ଓ୍ଵାଇଏସ୍ଆରଙ୍କ ଅକାଳ ମୃତ୍ୟୁ ପରେ ପୁଅ ଜଗନ ମୋହନ ରେଡ୍ଡୀ କଂଗ୍ରେସଠାରୁ ଅଲଗା ହୋଇ ନିଜର ଦଳ କରିସାରିଥିଲେ। ଆନ୍ଧ୍ର ମଧ୍ୟ ବିଭାଜିତ ହୋଇସାରିଥିଲା। ୨୦୧୯ ବିଧାନସଭା ଓ ସାଧାରଣ ନିର୍ବାଚନ ପୂର୍ବରୁ ଜଗନ ଏକ ପଦଯାତ୍ରାରେ ପୂରା ଆନ୍ଧ୍ରପ୍ରଦେଶ ବୁଲିଥିଲେ। ଏହାର ପ୍ରଭାବରୁ ଜଗନଙ୍କ ଓ୍ଵାଇଏସ୍ଆର୍ କଂଗ୍ରେସ ୧୭୫ ବିଧାନସଭା ଆସନରୁ ୧୫୧ଟି ଓ ୨୫ ଲୋକସଭା ଆସନରୁ ୨୨ଟି ଜିତିବାରେ ସଫଳ ହୋଇଥିଲା।
ରାହୁଲଙ୍କ ‘ଭାରତ ଯୋଡ଼ୋ’ ଯାତ୍ରା
ନିକଟରେ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସରିଛି। କଂଗ୍ରେସର ବିପୁଳ ବିଜୟ ସପକ୍ଷରେ ଏକାଧିକ କାରଣ ମଧ୍ୟରୁ ରାହୁଲଙ୍କ ‘ଭାରତ ଯୋଡ଼ୋ’ ପଦଯାତ୍ରାକୁ ଶ୍ରେୟ ଦିଆଯାଉଛି। କର୍ଣ୍ଣାଟକରେ ମଧ୍ୟ ରାହୁଲ ଗାନ୍ଧୀ ତାଙ୍କ ପଦଯାତ୍ରା କରିଥିଲେ। ପଦଯାତ୍ରାରେ ରାହୁଲ କର୍ଣ୍ଣାଟକର ପାଖାପାଖି ୨୦ଟି ନିର୍ବାଚନ ମଣ୍ଡଳୀ ଦେଇ ଅତିକ୍ରମ କରିଥିଲା। ଏହି ନିର୍ବାଚନ ମଣ୍ଡଳୀଗୁଡ଼ିକ ମଧ୍ୟରୁ ୧୫ଟି ଆସନରେ କଂଗ୍ରେସ ହିଁ ବିଜୟୀ ହୋଇଛି। ଏହି ଭାରତ ଯୋଡ଼ୋ ଯାତ୍ରା କେବଳ କଂଗ୍ରେସକୁ ଫାଇଦା ଦେଇଛି ତାହା ନୁହଁ, ବରଂ ରାହୁଲଙ୍କ ଆତ୍ମବିଶ୍ଵାସ ମଧ୍ୟ ବୃଦ୍ଧି କରିଛି। ରାହୁଲ ବିରୋଧୀ ଦଳକୁ ମୁକାବିଲା କରିବାରେ ସଫଳ ହୋଇଛନ୍ତି। ମୋଦୀ ଯେଉଁ ଅଞ୍ଚଳରେ ପ୍ରଚାର କରିଥିଲେ, ସେ ଅଞ୍ଚଳରେ ରାହୁଲ ପ୍ରଚାର କରିବା ସହ ବିଜେପିର ଆସନ ମଧ୍ୟ ଛଡ଼ାଇ ନେବାରେ ସଫଳ ହୋଇଛନ୍ତି।
ଆମ ଆଧ୍ୟାତ୍ମିକ ସଂସ୍କୃତିରେ ବି ପଦଯାତ୍ରାର ମହତ୍ତ୍ଵ ରହିଛି। ପଦଯାତ୍ରା ଲୋକଙ୍କୁ ଲୋକଙ୍କ ସହ ଯୋଡ଼ିଥାଏ। ପୁରୁଣା ରାଜନୀତିରୁ ଆଧୁନିକ ରାଜନୀତିରେ ବି ପଦଯାତ୍ରା ତା’ର ପ୍ରାସଂଗିକତା ପ୍ରମାଣିତ କରିବାରେ ସଫଳ ହୋଇଛି।
Tags: #Politics #IndianPolitics #Padajatra #March #MahatmaGandhi #RahulGandhi #NarendraModi #PadajataPolitics