ଓଡ଼ିଶାଲାଇଭ୍ ବ୍ୟୁରୋ
ମହିଳା ଜୁନିୟର ଏସିଆ କପ ହକି ପ୍ରରିଯୋଗିତାରେ ପ୍ରଥମଥର ପାଇଁ ଚାମ୍ପିୟନ ହୋଇଛି ଭାରତ। ଚଳିତବର୍ଷ ଜାପାନର କାକାମିଗାହାରାରେ ଅନୁଷ୍ଠିତ ଏହି ଏସିୟ ପ୍ରତିଯୋଗିତାରେ ଭାରତୀୟ ଜୁନିୟର ମହିଳା ଦଳ ୨-୧ ଗୋଲରେ ଦକ୍ଷିଣ କୋରିଆକୁ ହରାଇ ଟାଇଟଲ ହାସଲ କରିଛି। ଏଥିସହ ଦଳ ଚଳିତବର୍ଷ ଚିଲିରେ ହେବାକୁଥିବା ଏଫଆଇଏଚ ମହିଳା ଜୁନିୟର ୱାର୍ଲ୍ଡକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି।
ରବିବାର ଫାଇନାଲ ମ୍ୟାଚ ଆରମ୍ଭରୁ ଉଭୟ ଦଳ ଆକ୍ରମଣାତ୍ମକ ଖେଳ ଆରମ୍ଭ କରିଥିଲେ। ଉଭୟ ଦଳର ଫରୱାର୍ଡ ଓ ଡିଫେନ୍ସ ବହୁତ ଭଲ ଥିଲା। ମ୍ୟାଚର ପ୍ରଥମ କ୍ଵର୍ଟର ଗୋଲଶୂନ୍ୟ ରହିଥିବାବେଳେ ଦ୍ଵିତୀୟ କ୍ଵର୍ଟରରେ ଭାରତର ଫରୱାର୍ଡ ଖେଳାଳି ଅନୁ ପେନାଲ୍ଟି କର୍ଣ୍ଣରରୁ ଗୋଲ ଦେଇ ଖାତା ଖୋଲିଥିଲେ। ଏହାର ୩ ମିନିଟ ପରେ କୋରିଆ ମଧ୍ୟ ଏକ ଫିଲ୍ଡ ଗୋଲ ଦେଇ ମ୍ୟାଚ ବରାବର କରିଥିଲା।
ଏହାପରେ ତୃତୀୟ କ୍ଵର୍ଟରରେ ନୀଲମ ଚମତ୍କାର ଢଙ୍ଗରେ ଏକ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ଭାରତକୁ ୨-୧ରେ ଆଗୁଆ କରିଥିଲେ। ଶେଷରେ ଚତୁର୍ଥ କ୍ଵର୍ଟର ଯାକ ଭାରତ ରକ୍ଷଣାତ୍ମକ ଖେଳି ବଲ ନିଜ ଅକ୍ତିଆରରେ ରଖିବାରୁ କୋରିଆ ଗୋଲ କରିବାରେ ବିଫଳ ହୋଇ ପରାଜୟ ବରଣ କରିଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଷ୍ଟ୍ରାଇକର ଅନୁ ସର୍ବାଧିକ ୯ଟି ଗୋଲ ଦେଇ ଟପ୍ ସ୍କୋରର ହୋଇଛନ୍ତି।
୨୦୨୩ ମହିଳା ଜୁନିୟର ଏସିଆ କପ ବିଜୟୀ ଦଳରେ ଓଡ଼ିଶାର ୫ ଜଣ ଖେଳାଳି ସାମିଲ ଥିଲେ। ଏମାନେ ହେଲେ ସୁନେଲିତା ଟପ୍ପୋ, ସୁଜାତା କୁଜୁର, ମାଧୁରୀ କିଣ୍ଡୋ, ଅଞ୍ଜଳି ବରୱା ଓ ଜ୍ୟୋତି ଛତ୍ରୀ। ଏସିଆ କପରେ ମହିଳା ଦଳର ଏହି ଐତିହାସିକ ପ୍ରଦର୍ଶନ ପାଇଁ ଏବେ ସବୁ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର ଖେଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ସେହିପରି ହକି ଇଣ୍ଡିଆ ସଭପତି ଜୁନିୟର ମହିଳା ଦଳକୁ ପ୍ରଥମ ଏସିଆ କପ ଟାଇଟଲ ପାଇଁ ଶୁଭେଚ୍ଛା ଜଣାଇବା ସହ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୨ ଲକ୍ଷ ଟଙ୍କା ଓ ସାପୋର୍ଟ ଷ୍ଟାଫଙ୍କ ପାଇଁ ୧ ଲକ୍ଷ ତାଙ୍କର ପୁରସ୍କାର ଘୋଷଣା କରିଛନ୍ତି।
ଏହାପୂର୍ବରୁ ୨୦୧୨ ମସିହା ଜୁନିୟର ଏସିଆ କପରେ ମହିଳା ଦଳ ଫାଇନାଲରେ ଚୀନଠାରୁ ପରାସ୍ତ ହୋଇ ଉପବିଜେତା ହୋଇଥିଲା। ଏହାଛଡ଼ା ଚଳିତବର୍ଷ ଓମାନରେ ହୋଇଥିବା ପୁରୁଷ ଜୁନିୟର ଏସିଆ କପ ହକିରେ ମଧ୍ୟ ଭାରତୀୟ ଦଳ ଚାମ୍ପିୟନ ହୋଇଥିଲା। ଦଳ ଫାଇନାଲରେ ପାକିସ୍ତାନକୁ ୨-୧ ଗୋଲରେ ହରାଇ ଏହି ସଫଳତା ହାସଲ କରିଥିଲା।
Tags: #JuniorAsiaCup2023 #IndianJuniorWomensHockeyTeam #HockeyIndia