ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦୁଝର ଜିଲ୍ଲା ରାଜପଥର କୁଡ଼ିଆଘାଟି ଷଠୀଘର ନିକଟରେ କନିଆ ଘର ଆଗରେ ନାଚୁଥିବାବେଳେ ବରଯାତ୍ରୀଙ୍କ ଉପରେ ଟ୍ରକ୍ ଚଢ଼ିଯିବାରୁ ମଙ୍ଗଳବାର ବିଳମ୍ବିତ ରାତିରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ନିମନ୍ତେ ଘୋଷଣା କରିଛନ୍ତି ରାଜ୍ୟ ସରକାର।

କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ଜଙ୍ଘିରା ନିକଟ ମାନପୁର ଗାଁରୁ ମଙ୍ଗଳବାର ରାତିରେ ବରଯାତ୍ରୀ ବାହାରି ଥିଲେ ଷଠୀଘର ସାହିସ୍ଥିତ କନ୍ୟା ଘର ଅଭିମୁଖେ। ବାଜା ବଜାଇ ବାଣଫୁଟାଇ ନାଚି ନାଚି ଯାଉଥିଲେ ବର ପକ୍ଷର ଯାତ୍ରୀମାନେ। ହସ ଖୁସିରେ କମ୍ପୁଥିଲା କନିଆଘର ଗାଁ। ଦେଖୁ ଦେଖୁ ସବୁ ହସଖୁସି ନିମିଷକରେ ଧୂଳିସାତ୍ ହେଇଗଲା।

ଶୁଆକାଟୀ ପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ ବରଯାତ୍ରୀଙ୍କ ଉପରେ ମାଡ଼ିଯାଇଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣାରେ ୯ ଜଣ ଗୁରୁତର ଆହତ ହୋଇଥିଲେ। ମୃତକମାନେ ହେଲେ ମାନପୁର ଗାଁର ଜିତ ପାତ୍ର, କାଳିଆ ମହାନ୍ତ, ଲକ୍ଷ୍ମୀପାଦର ରତି ମୁଣ୍ଡା ଓ ଷଠୀଘରର ଅମିତ ପାତ୍ର ଏବଂ କେଉଟସାହିର ବାପୁନ ଦେହୁରୀ। ଏତେ ବଡ଼ ଅଘଟଣ ଯୋଗୁଁ ବନ୍ଦ ହୋଇଗଲା ବାହାଘର।

Tags: #Accident #Death #Kendujhar #MarriageFunction #CMOdisha #NaveenPatnaik

LEAVE A REPLY

Please enter your comment!
Please enter your name here