ଆଶିଷ କୁମାର ରାୟ

ମାଇକେଲ କିଣ୍ଡୋଙ୍କୁ ଯଦି ଓଡ଼ିଶା ହକିର ପ୍ରଥମ ହିରୋ କିମ୍ଵା ପଥ ପ୍ରଦର୍ଶକ ଆଖ୍ୟା ଦିଆଯାଏ ତେବେ ସେଥିରେ କିଛି ଭୁଲ୍ ହେବ ନାହିଁ। ସେ ଓଡ଼ିଶାରେ ଜନ୍ମଗ୍ରହଣ କରିନଥିଲେ ମଧ୍ୟ ଆମ ରାଜ୍ୟରେ ହକି ଖେଳର ଉନ୍ନତି ନିମନ୍ତେ ସେ ଯାହା କରିଯାଇଛନ୍ତି ତାହା ଆଦୌ ଭୁଲିଯିବା ଭଳି ନୁହେଁ।

୧୯୭୭ରେ ରାଉରକେଲା ଇସ୍ପାତ କାରଖାନାରେ ଅବସ୍ଥାପିତ ହେବା ପରେ ସେଠାରେ ତଥା ସାମଗ୍ରିକ ଭାବେ ସୁନ୍ଦରଗଡ଼ ଜିଲ୍ଲାରେ ହକି ଖେଳର ଭିତ୍ତିଭୂମି ସଜାଡ଼ିବା ସହିତ ଏହି ଖେଳର ବିକାଶ ତଥା ପ୍ରସାର ଦିଗରେ ସେ ପାରୁ ପର୍ଯ୍ୟନ୍ତ ଚେଷ୍ଟିତ ଥିଲେ। ପ୍ରଥମେ ଓଡ଼ିଶା ହକି ଦଳର ଅଧିନାୟକ ଭାବେ, ପରବର୍ତ୍ତୀ ସମୟରେ ଜଣେ ପ୍ରଶିକ୍ଷକ ଭାବେ ସେ ଅନେକ ଖେଳାଳିଙ୍କ ମାର୍ଗଦର୍ଶନ କରିଛନ୍ତି। ଆଜି ଯେଉଁ ସୁନ୍ଦରଗଡ଼କୁ ହକିର ଗଡ଼ କୁହାଯାଉଛି, ସେଥିପାଇଁ ମାଇକେଲ କିଣ୍ଡୋଙ୍କର ଯଥେଷ୍ଟ ଅବଦାନ ରହିଛି।

ପ୍ରାରମ୍ଭିକ ଜୀବନ

୧୯୪୭ ମସିହାର ଜୁନ ୨୦ ତାରିଖ ଦିନ ଝାଡ଼ଖଣ୍ଡ (ତତ୍କାଳୀନ ବିହାର) ରାଜ୍ୟର ସିମଡେଗା ଭଳି ଏକ ଜନଜାତି ଅଧ୍ୟୁଷିତ ଜିଲ୍ଲା ଅନ୍ତର୍ଗତ କୁରଡେଗା ଗ୍ରାମରେ ମାଇକେଲ କିଣ୍ଡୋଙ୍କ ଜନ୍ମ। ସେତେବେଳେ ଖେଳ କହିଲେ ଦୌଡ଼କୁଦ, ଫୁଟବଲ ଓ ହକିକୁ ବୁଝାଉଥିଲା। ତୀର ଚାଳନା ଭଳି କିଛି ପାରମ୍ପରିକ ଖେଳ ମଧ୍ୟ ଥିଲା। ତେବେ ମାଇକେଲ ପିଲାଟି ଦିନରୁ ହକି ପ୍ରତି ଆକର୍ଷିତ ହୋଇଥିଲେ, ଗାଁ ପଡ଼ିଆରେ ଗଛ ଡାଳରୁ ତିଆରି ହକି ଷ୍ଟିକ୍ ବ୍ୟବହାର କରି ସାଙ୍ଗସାଥୀମାନଙ୍କ ସହିତ ଖେଳୁଥିଲେ ସେ।

ପରବର୍ତ୍ତୀ ସମୟରେ ହକି ଖେଳ ତାଙ୍କ ପାଇଁ ଏକ ନିଶାରେ ପରିଣତ ହୋଇଗଲା। ଖୁବଶୀଘ୍ର ବିହାର ଦଳ ସକାଶେ ଖେଳିବାର ସୁଯୋଗ ମଧ୍ୟ ମିଳିଲା ଏହା ପରେ ନିଜର କ୍ରୀଡ଼ା ପ୍ରତିଭା ବଳରେ ସେ ଭାରତୀୟ ନୌସେନାରେ ନିଯୁକ୍ତି ଲାଭ କରିବା ସହିତ ସର୍ଭିସେସ୍ ଦଳ ସକାଶେ ଖେଳିବା ଆରମ୍ଭ କଲେ।ଅନ୍ତର୍ଜାତୀୟ ସ୍ତରରେ ସଫଳତା

ଜାତୀୟ ହକି ପ୍ରତିଯୋଗିତା ରଙ୍ଗା ସ୍ଵାମୀ କପ୍ ତଥା ଅନ୍ୟାନ୍ୟ ଟୁର୍ଣ୍ଣାମେଣ୍ଟମାନଙ୍କରେ କ୍ରମାଗତ ଭାବେ ଉନ୍ନତ ପ୍ରଦର୍ଶନ କରି ୧୯୬୭-୬୮ରେ ଭାରତୀୟ ଦଳରେ ସାମିଲ ହୋଇଥିଲେ ମାଇକେଲ। ୧୯୨୮ର ଆମଷ୍ଟରଡାମ୍ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଅଧିନାୟକ ଥିଲେ ଜୟପାଲ ସିଂହ ମୁଣ୍ଡା। ତାଙ୍କ ପରେ ଭାରତୀୟ ହକି ଦଳରେ ସାମିଲ ହେବା ଦିଗରେ ମାଇକେଲ କିଣ୍ଡୋ ଥିଲେ ଦ୍ୱିତୀୟ ଆଦିବାସୀ ଖେଳାଳି। ୧୯୬୮ ମସିହାରେ ମେକ୍ସିକୋ ନଗରୀରେ ଅନୁଷ୍ଠିତ ଅଲିମ୍ପିକ୍ସ ସକାଶେ କିନ୍ତୁ ତାଙ୍କୁ ଦଳରେ ସ୍ଥାନ ମିଳିଲା ନାହିଁ।ଏଥିରେ ହତୋତ୍ସାହିତ ନ ହୋଇ ନିଜ ଖେଳ ଉପରେ ଅଧିକ ଧ୍ୟାନ ଦେଲେ ମାଇକେଲ। ଫଳସ୍ଵରୂପ ୧୯୭୧ରେ ସ୍ପେନ୍‌ର ବାର୍ସିଲୋନାରେ ଆୟୋଜିତ ପ୍ରଥମ ହକି ବିଶ୍ୱକପ୍ ସକାଶେ ଭାରତୀୟ ଦଳରେ ତାଙ୍କର ଚୟନ ହୋଇଗଲା। ଏହି ବିଶ୍ୱକପର ପ୍ରାରମ୍ଭିକ ଲିଗ୍ ପର୍ଯ୍ୟାୟରେ ଭାରତ ଉନ୍ନତ ପ୍ରଦର୍ଶନ କରିଥିଲେ ହେଁ ପାକିସ୍ତାନ ଓ ସ୍ପେନର ପଛକୁ ରହି ବ୍ରୋଞ୍ଜ ପଦକ ଲାଭ କରିଥିଲା। ଏହାର ସେମି ଫାଇନାଲରେ ପାକିସ୍ତାନଠାରୁ ୨-୧ ଗୋଲରେ ପରାଜିତ ହେବା ଥିଲା ଅତ୍ୟନ୍ତ ଦୁଃଖଦାୟକ। ଏହାପରେ ଅଜିତ ପାଲ ସିଂହଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ  ବ୍ରୋଞ୍ଜ ପଦକ ପାଇଁ ମୁକାବିଲାରେ କେନିୟାକୁ ସେହି ୨-୧ ଗୋଲର ବ୍ୟବଧାନରେ ପରାସ୍ତ କରିଥିଲା।

ଏହାପରେ ଆସିଲା ୧୯୭୨ର ମ୍ୟୁନିକ୍ ଅଲିମ୍ପିକ୍ସ। ଏମ.ପି. ଗଣେଶଙ୍କ ନେତୃତ୍ୱରେ ଭାରତ ଏହି ଅଲିମ୍ପିକ୍ସରେ ପଶ୍ଚିମ ଜର୍ମାନୀ ଓ ପାକିସ୍ତାନ ପଛକୁ ରହିବା ଫଳରେ ଏଠାରେ ମଧ୍ୟ ଭାରତକୁ ମିଳିଥିଲା ବ୍ରୋଞ୍ଜ ପଦକ। ସେମି ଫାଇନାଲରେ ପାକିସ୍ତାନଠାରୁ ହାରିବା ପରେ ବ୍ରୋଞ୍ଜ ପଦକ ପାଇଁ ପ୍ଲେ-ଅଫ୍ ମୁକାବିଲାରେ ନେଦରଲାଣ୍ଡସ୍‌କୁ ୨-୧ରେ ହରାଇଥିଲା ଭାରତ। ଏହି ବ୍ରୋଞ୍ଜ ପଦକଟି ମାଇକେଲ କିଣ୍ଡୋଙ୍କ ପାଇଁ ଥିଲା ପ୍ରଥମ ତଥା ଏକମାତ୍ର ଅଲିମ୍ପିକ୍ସ ପଦକ।କ୍ରମାଗତ ଦୁଇଟି ବିଶ୍ୱକପରେ ଚମତ୍କାର ସଫଳତା

୧୯୭୩ରେ ନେଦରଲାଣ୍ଡସ୍‌ର ଆମଷ୍ଟରଡାନ୍‌ରେ ଅନୁଷ୍ଠିତ ଦ୍ୱିତୀୟ ହକି ବିଶ୍ୱକପରେ ଭାରତ ଚମତ୍କାର ପ୍ରଦର୍ଶନ କରି ସ୍ଵର୍ଣ୍ଣ ପଦକ ଜିଣିବାର ସୁଯୋଗ ସୃଷ୍ଟି କରିଥିଲା। ସେମି ଫାଇନାଲରେ ପାକିସ୍ତାନକୁ ହରାଇଥିବା ଭାରତୀୟ ଦଳ ଫାଇନାଲରେ ନେଦରଲାଣ୍ଡ  ବିରୁଦ୍ଧରେ ପ୍ରଥମ ଆଠ ମିନିଟରେ  ଦୁଇଟି ଗୋଲ୍ ଦେଇ ଅଗ୍ରଣୀ ରହିଥିଲା। କିନ୍ତୁ ପରିଶେଷରେ ମ୍ୟାଚ ଅମୀମାଂସିତ ରହିଲା। ତେଣୁ ଟାଇବ୍ରେକର୍‌ରେ ପରାଜିତ ହେବା ଫଳରେ ଭାରତକୁ ରୌପ୍ୟ ପଦକରେ ହିଁ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା। ଏହି ବିଶ୍ୱକପରେ ଅଧିନାୟକ ଏମ.ପି. ଗଣେଶ, ସୁରଜିତ ସିଂହ, ବି.ପି. ଗୋବିନ୍ଦା, ଅଜିତପାଲ ସିଂହ, ବଲଦେବ ସିଂହ ଆଦିଙ୍କ ସହିତ ମାଇକେଲ କିଣ୍ଡୋଙ୍କ ପ୍ରଦର୍ଶନ ଥିଲା ଅତ୍ୟନ୍ତ ଉଚ୍ଚକୋଟୀର।

ସ୍ଵର୍ଣ୍ଣ ବିଜୟର ଯେଉଁ ସୁଯୋଗ ୧୯୭୩ରେ ହାତଛଡ଼ା ହୋଇ ଯାଇଥିଲା ତାହା ୧୯୭୫ର ବିଶ୍ୱକପରେ ମିଳିଗଲା। ମାଲେସିଆର ରାଜଧାନୀ କ୍ଵାଲା ଲୁମ୍ପୁରରେ ଅନୁଷ୍ଠିତ ସେହ ହକି ବିଶ୍ୱକପରେ ଭାରତ ହାସଲ କଲା ସ୍ଵର୍ଣ୍ଣ ପଦକ। ସେମି ଫାଇନାଲରେ ମାଲେସିଆକୁ ୩-୨ ଗୋଲରେ ଏବଂ ଫାଇନାଲରେ ପାକିସ୍ତାନକୁ ୨-୧ରେ ପରାସ୍ତ କରି ଭାରତ ହେଲା ହକି ଜଗତର ବିଶ୍ୱବିଜେତା। ୧୯୬୪ର ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣପଦକ ବିଜୟ ପରେ ୧୯୭୫ର ବିଶ୍ୱକପ ବିଜୟ ଭାରତୀୟ ହକି ନିମନ୍ତେ  ଥିଲା ସର୍ବାଧିକ ସ୍ମରଣୀୟ ଘଟଣା। ଏହି ସ୍ମରଣୀୟ ବିଜୟରେ ଅଧିନାୟକ ଅଜିତପାଲ ସିଂହଙ୍କ ସହିତ ସୁରଜିତ ସିଂହ, ଅଶୋକ କୁମାର, ଭି.ଜେ. ଫିଲିପ୍ସ, ହରଚରଣ ସିଂହ, ମୋହିନ୍ଦର ସିଂହ, ବି.ପି. ଗୋବିନ୍ଦା, ଅସଲାମ ଶେରଖାନଙ୍କ ସହିତ ମାଇକେଲ କିଣ୍ଡୋଙ୍କ ପ୍ରଦର୍ଶନ ମଧ୍ୟ ଥିଲା ଅତ୍ୟନ୍ତ ଉନ୍ନତ ମାନର।ଭାରତୀୟ ଦଳର ଲୌହ ପ୍ରାଚୀର   

ରକ୍ଷଣ ପଂକ୍ତିରେ ଫୁଲ୍‌ବ୍ୟାକ୍ ସ୍ଥାନରେ ଖେଳୁଥିବା ମାଇକେଲ କିଣ୍ଡୋ ପ୍ରକୃତରେ ଥିଲେ ଭାରତୀୟ ଦଳର ଲୌହ ପ୍ରଚୀର ସଦୃଶ। ବିଶେଷକରି ୧୯୭୩ ଓ ୧୯୭୫ର ବିଶ୍ୱକପରେ ତାଙ୍କର ପ୍ରଦର୍ଶନକୁ ଲକ୍ଷ୍ୟ କରି ସେ ସମୟରେ ରେଡିଓରେ ଧାରା ବିବରଣୀ ପ୍ରଦାନ କରୁଥିବା ଭାଷ୍ୟକାରମାନେ ତାଙ୍କୁ ଏହି ଆଖ୍ୟା ଦେଇଥିଲେ। ପ୍ରକୃତରେ ତାଙ୍କୁ ଅତିକ୍ରମ କରି ବଲକୁ ଆଗକୁ ବଢ଼ାଇବା ବିପକ୍ଷ ଦଳର ଖେଳାଳିଙ୍କ ପକ୍ଷେ ଥିଲା ଅତ୍ୟନ୍ତ କଷ୍ଟକର ବ୍ୟାପାର। ୧୯୭୫ର ବିଶ୍ୱବିଜୟୀ ଦଳର ଅଧିନାୟକ ଅଜିତପାଲ ସିଂହ କହିଥିଲେ, “ଭାରତୀୟ ଦଳ ଏଇଥିପାଇଁ ଏକ ଆକ୍ରମଣାତ୍ମକ ଦଳରେ ପରିଣତ ହୋଇପାରିଛି କାରଣ ଆମର ଫରଓ୍ୱାର୍ଡ ଖେଳାଳିମାନେ ଜାଣନ୍ତି  ଯେ ରକ୍ଷଣ ଭାଗରେ ମାଇକେଲ କିଣ୍ଡୋଙ୍କ ଭଳି ଖେଳାଳି ରହିଛନ୍ତି।”ମାଇକେଲ କିଣ୍ଡୋ ଏବଂ ଓଡ଼ିଶା ହକି

ଭାରତ ପାଇଁ ୫୦ରୁ ଊର୍ଦ୍ଧ୍ୱ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ମାଇକେଲ କିଣ୍ଡୋ ୧୯୭୭ ମସିହାରେ ଓଡ଼ିଶା ଆସି ରାଉରକେଲା ଇସ୍ପାତ କାରଖାନାରେ ଅବସ୍ଥାପିତ ହେଲେ। ଏହାପରେ ସୁନ୍ଦରଗଡ଼ ଜିଲ୍ଲାରେ ହକିର ବିକାଶ ଦାୟିତ୍ୱ ନିଜ କାନ୍ଧରେ ବହନ କରିବା ସହିତ ଓଡ଼ିଶା ହକି ଦଳର ଅଧିନାୟକ ଦାୟିତ୍ୱ ମଧ୍ୟ ବହନ କଲେ ମାଇକେଲ। ତାଙ୍କରି ନେତୃତ୍ୱରେ ୧୯୭୯ ଓ ୧୯୮୦ରେ କ୍ରମାଗତ ଦୁଇବର୍ଷ ଧରି ଜାତୀୟ ହକି ପ୍ରତିଯୋଗିତା ରଙ୍ଗା ସ୍ଵାମୀ କପରେ ଓଡ଼ିଶା ଦଳ ସେମି ଫାଇନାଲକୁ ଉନ୍ନୀତ ହୋଇଥିଲା, ଯାହା ଥିଲା ମାଇକେଲ କିଣ୍ଡୋଙ୍କ ଖେଳାଳି ଜୀବନର ବଡ଼ ସଫଳତା।

ଏହା ବାଦ୍ ତାଙ୍କର ସବୁଠାରୁ ବଡ଼ ସଫଳତା ହେଲା ସୁନ୍ଦରଗଡ଼ ଜିଲ୍ଲାରୁ ଅନେକ ଖେଳାଳି ସୃଷ୍ଟି କରିବା। ଉଦାହରଣସ୍ଵରୂପ; ପିଟର ତିର୍କୀ, ଶରଣ ବେକ୍, ଫାବିଏନ୍ସ ମଦ୍, ୟାକୁବ୍ ଏକ୍କା ଆଦିଙ୍କଠାରୁ ଆରମ୍ଭ କରି ଦିଲ୍ଲୀପ ତିର୍କୀ, ଲାଜରୁସ ବାର୍ଲା, ଇଗ୍ନେସ ତିର୍କୀ, ଗ୍ଲୋରିଆ ଡୁଙ୍ଗ ଡୁଙ୍ଗ, ଜ୍ୟୋତି ସୁନିତା କୁଲୁ, ସୁଭଦ୍ରା ପ୍ରଧାନ ତଥା ବର୍ତ୍ତମାନ ସମୟର ଖେଳାଳିଙ୍କ ପର୍ଯ୍ୟନ୍ତ ଓଡ଼ିଶାର ସମସ୍ତ ଖେଳାଳିଙ୍କ ପାଇଁ ସେ ହେଉଛନ୍ତି ଆଦର୍ଶ ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହୋଇ ଅନେକ ଖେଳାଳି ହକି ପ୍ରତି ଆକୃଷ୍ଟ ହେବା ସହିତ ରାଜ୍ୟ ତଥା ଦେଶ ପାଇଁ ସୁନାମ ଅର୍ଜନ କରିଛନ୍ତି।ପୁରସ୍କାର ଓ ସମ୍ମାନ

ନିଜ କ୍ରୀଡ଼ା ଜୀବନରେ ଅଲିମ୍ପିକ୍ସରେ ବ୍ରୋଞ୍ଚ ପଦକ ତଥା ହକି ବିଶ୍ୱକପରେ ଗୋଟିଏ ଲେଖାଏଁ ସ୍ଵର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକ ବିଜୟର ସଫଳତା ହାସଲ କରିଥିବା ମାଇକେଲ କିଣ୍ଡୋ ୧୯୭୨ରେ ଅର୍ଜୁନ ପୁରସ୍କାର ହାସଲ କରିଥିଲେ, ଯାହାକି ସେ ସମୟରେ ଥିଲା ଭାରତର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର। ଅର୍ଜୁନ ପୁରସ୍କାର ପାଇବା ଦିଗରେ ସେ ଥିଲେ ଦେଶର ପ୍ରଥମ ଆଦିବାସୀ ଖେଳାଳି। ଏତଦ୍ ବ୍ୟତୀତ ଭାରତୀୟ ସେନାବାହିନୀ ପକ୍ଷରୁ ମାଇକେଲ କିଣ୍ଡୋଙ୍କୁ ୧୯୭୧ ମସିହାରେ ପ୍ରଦାନ କରାଯାଇଥିଲା ସର୍ବଶ୍ରେଷ୍ଠ ସର୍ଭିସେସ୍ ସ୍ପୋର୍ଟସମ୍ୟାନ୍ ଆଓ୍ୱାର୍ଡ।ଭୁବନେଶ୍ୱରଠାରେ ୨୦୧୮ ମସିହାରେ ଆୟୋଜିତ ପୁରୁଷ ହକି ବିଶ୍ୱକପର ଉଦଘାଟନ ଉତ୍ସବରେ ୧୯୭୫ ହକି ବିଶ୍ୱକପ ବିଜୟୀ ଦଳର ସଦସ୍ୟମାନଙ୍କୁ ସମ୍ମାନିତ କରିବା ଅବସରରେ ମାଇକେଲ କିଣ୍ଡୋ ଉପସ୍ଥିତ ଥିଲେ। ହେଲେ ଏହାର କିଛିମାସ ପରେ ରାଉରକେଲାସ୍ଥିତ ବାସଭବନରେ ସେ ଶଯ୍ୟାଶାୟୀ ହେଲେ। ବେଶ୍ କିଛିଦିନ ଧରି ଶଯ୍ୟାଶାୟୀ ରହିବା ପରେ ୨୦୨୦ ମସିହାର ଅନ୍ତିମ ଦିବସ ଅର୍ଥାତ ଡିସେମ୍ବର ୩୧ ତାରିଖରେ ୭୩ ବର୍ଷ ବୟସରେ ତାଙ୍କର ଦୁଃଖଦ ମୃତ୍ୟୁ ଘଟିଲା। ନିରବି ଗଲେ ଭାରତୀୟ ହକିର ଲୌହ ପ୍ରାଚୀର। ଭାରତ ସହିତ ଓଡ଼ିଶା କ୍ରୀଡ଼ା ପାଇଁ ମଧ୍ୟ ଏହା ବହୁତ ବଡ଼ ଧକ୍କା ଥିଲା।

ଆଜି ମାଇକେଲ କିଣ୍ଡୋ ନାହାନ୍ତି ସତ, କିନ୍ତୁ ସୁନ୍ଦରଗଡ଼ ଜିଲ୍ଲା, ଓଡ଼ିଶା, ଝାଡ଼ଖଣ୍ଡ ତଥା ସାମଗ୍ରିକ ଭାବେ ଭାରତର ପ୍ରତିଭା ସମ୍ପନ୍ନ ହକି ଖେଳାଳିମାନଙ୍କୁ ସେ ଯେଉଁ ରାସ୍ତା ଦେଖାଇ ଯାଇଛନ୍ତି, ତାହାକୁ ଅନୁସରଣ କରି ଅନେକ କିଶୋର କିଶୋରୀ ଆମର ଏହି ଜାତୀୟ ଖେଳକୁ ଆପଣାଇ ନେବା ସହିତ ରାଜ୍ୟ ତଥା ଦେଶର ଟେକ ରଖିବା ନିମେନ୍ତେ ଆଗେଇ ଆସୁଛନ୍ତି।

(ଲେଖକ ବୃତ୍ତିରେ ଜଣେ ଶିକ୍ଷକ ଏବଂ ରୁଚିରେ କ୍ରୀଡ଼ା ଲେଖକ)

Tags: #MichaelKindo #OdishaHockey #Hockey #Sundargarh #HockeyIndia #IndianHockeyTeam #ମାଇକେଲକିଣ୍ଡୋ #ହକି #ସୁନ୍ଦରଗଡ଼

LEAVE A REPLY

Please enter your comment!
Please enter your name here