ଓଡ଼ିଶାଲାଇଭ୍ ବ୍ୟୁରୋ

ଚେନ୍ନାଇଠାରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ ହକି ଚାମ୍ପିୟନ୍ସ ଟ୍ରଫି ୨୦୨୩ର ଟ୍ରଫିକୁ ହକି ଇଣ୍ଡିଆ ପକ୍ଷରୁ ଉନ୍ମୋଚନ କରାଯାଇଛି। ଗୁରୁବାର ନୂଆଦିଲ୍ଲୀର ମେଜର ଧ୍ୟାନଚାନ୍ଦ ନାସନାଲ ଷ୍ଟାଡିୟମରେ କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଏହି ଟ୍ରଫିକୁ ଉନ୍ମୋଚନ କରିଥିଲେ। ଏହାସହ ସାରା ଦେଶରେ ଟ୍ରଫିର ପ୍ରଦର୍ଶନ ପାଇଁ ‘ପାସ୍ ଦି ବଲ୍ ଟ୍ରଫି ଟୁର’ ଅଭିଯାନର ଶୁଭାରମ୍ଭ କରାଯାଇଥିଲା।

ଏହି ଟ୍ରଫି ଟୁର ଅଭିଯାନରେ ଚେନ୍ନାଇରେ ହେବାକୁ ଥିବା ଏସୀୟ ହକି ଟୁର୍ଣ୍ଣାମେଣ୍ଟର ଟ୍ରଫିକୁ ଭାରତର ବିଭିନ୍ନ ସହରରେ ପ୍ରଦର୍ଶନ କରାଯିବ। ଏହା ନୂଆଦିଲ୍ଲୀ, ଚଣ୍ଡିଗଡ଼, ଗୌହାଟି, ପାଟନା, ରାଞ୍ଚି, ଭୁବନେଶ୍ୱର, ବେଙ୍ଗାଳୁରୁ, ତ୍ରିଭେନ୍ଦ୍ରମ୍ ଆଦି ସହରରେ ପ୍ରଦର୍ଶିତ ହୋଇ ଚେନ୍ନାଇରେ ପହଞ୍ଚିବ।

“ଏହି ଟ୍ରଫି ଟୁର ମାଧ୍ୟମରେ ଦେଶର ବିଭିନ୍ନ ସହରରେ ଟ୍ରଫିର ପ୍ରଦର୍ଶନ ସାଧାରଣ ଲୋକଙ୍କ ମଧ୍ୟରେ ହକି ପ୍ରତି ଉତ୍ସାହ ସୃଷ୍ଟି କରିବ। ଏହା ଯୁବ ଖେଳାଳି ମାନଙ୍କୁ ହକି ଖେଳିବା ପାଇଁ ଆକର୍ଷିତ କରିବ”, କହିଛନ୍ତି ଅନୁରାଗ ସିଂହ ଠାକୁର।

ସେ ଆହୁରି ମଧ୍ୟ କହିଛନ୍ତି, “ଚଳିତବର୍ଷ ଚେନ୍ନାଇରେ ଏହି ଏସୀୟ ହକି ପ୍ରତିଯୋଗିତା ବହୁତ ଭଲ ଭାବେ ଆୟୋଜନ ହେବ। ଏହାକୁ ସଫଳ କରିବାକୁ କେନ୍ଦ୍ର ସରକାର ତାମିଲନାଡୁ ସରକାରଙ୍କୁ ସବୁ ପ୍ରକାରର ସହଯୋଗ ଯୋଗାଇଦେବେ। ଏ ବର୍ଷ ଭାରତ ଚତୁର୍ଥ ଥର ଏହି ଏସିଆନ ହକି ଚାମ୍ପିୟନ୍ସ ଟ୍ରଫି ଜିତି ଇତିହାସ ସୃଷ୍ଟି କରିବ ବୋଲି ମୋର ବିଶ୍ଵାସ।”

ଏହି କାର୍ଯ୍ୟକ୍ରମରେ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଡକ୍ଟର ଦିଲ୍ଲୀପ ତିର୍କୀ, ମହାସଚିବ ଭୋଳାନାଥ ସିଂ, ଆୟୋଜକ ରାଜ୍ୟ ତାମିଲନାଡୁ ହକି ମହାସଂଘର ସଭାପତି ଶେଖର ଜେ ମନୋହରନ ଓ ଅନ୍ୟ ସଦସ୍ୟମାନେ ଯୋଗ ଦେଇଥିଲେ। ଏହା ବ୍ୟତୀତ ଭାରତୀୟ ହକି ଅଲିମ୍ପିଆନ ହରବିନ୍ଦର ସିଂହ, ଅଶୋକ ଦିୱାନ, ଜାଫର ଇକବାଲ, ରୋମିଓ ଜେନ୍ସସଙ୍କ ଭଳି ପୂର୍ବତନ ଖେଳାଳିମାନେ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ।

ଆସନ୍ତା ଅଗଷ୍ଟ ମାସ ୩ ତାରିଖରୁ ଚେନ୍ନାଇରେ ଏସିଆନ ହକି ଚାମ୍ପିୟନ୍ସ ଟ୍ରଫି ଆରମ୍ଭ ହୋଇ ଅଗଷ୍ଟ ୧୨ ତାରିଖ ଯାଏଁ ଚାଲିବ। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ବ୍ୟତୀତ ଦକ୍ଷିଣ କୋରିଆ, ମାଲେସିଆ, ପାକିସ୍ତାନ, ଜାପାନ ଓ ଚୀନ ଭଳି ଦେଶ ଅଂଶଗ୍ରହଣ କରିବେ।

Tags: #AsianHockeyChampionsTrophy2023 #Hockey #Chennai #HockeyIndia

LEAVE A REPLY

Please enter your comment!
Please enter your name here