ଓଡ଼ିଶାଲାଇଭ୍ ବ୍ୟୁରୋ
ମଣିପୁର ଭାଇରାଲ୍ ଭିଡିଓ ମାମଲାରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ। ସୋମବାର ଏହି ମାମଲାର ଶୁଣାଣିବେଳେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ କେନ୍ଦ୍ର ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିଛନ୍ତି। ଘଟଣା ଘଟିବାର ୧୪ ଦିନ ପରେ ମଧ୍ୟ କାହିଁକି କିଛି କାର୍ଯ୍ୟାନୁଷ୍ଠାନ ହୋଇନଥିଲା ବୋଲି ସେ ପ୍ରଶ୍ନ କରିଥିଲେ।
“ମଣିପୁରରେ ମେ’ ୪ ତାରିଖରେ ମହିଳାଙ୍କ ବିରୋଧରେ ଅମାନବୀୟ ଘଟଣା ଘଟିଥିଲା। ପୋଲିସ ମେ’ ୧୮ ତାରିଖରେ ମାମଲା ରୁଜୁ କଲା। ଘଟଣା ଘଟିବାର ୧୪ ଦିନ ପର୍ଯ୍ୟନ୍ତ ପୋଲିସ କ’ଣ କରୁଥିଲା। ଭିଡିଓ ସାମ୍ନାକୁ ଆସିବା ପରେ ହିଁ ମହିଳାଙ୍କ ପ୍ରତି ହୋଇଥିବା ଏହି ଘଟଣା ସମଗ୍ର ଦେଶକୁ ଜଣାପଡ଼ିଥିଲା। ଏହା ଆଇନ ବ୍ୟବସ୍ଥାର ସବୁଠୁ ବଡ଼ ବିଫଳତା”, କହିଛନ୍ତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼।
ସେ ଆହୁରି ମଧ୍ୟ କହିଛନ୍ତି, “ଦେଶରେ ମହିଳାଙ୍କ ବିରୋଧରେ ହିଂସା ବାବଦକୁ ଅନେକ ମାମଲା ଆସୁଛି। ସବୁ ମାମଲା କ’ଣ ସିବିଆଇକୁ ଦିଆଯିବା ସମ୍ଭବପର? ମଣିପୁରର ସୁରକ୍ଷା ବ୍ୟବସ୍ଥା ଏବେ କେନ୍ଦ୍ର ସରକାରଙ୍କ ହାତରେ ରହିଛି। ସ୍ଥିତି ସୁଧାରିବା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେଗୁଡ଼ିକର ଆଗକୁ ସମୀକ୍ଷା କରାଯିବ।”
ଏହି ମାମଲାରେ କେନ୍ଦ୍ର ସରକାରଙ୍କ ତରଫରୁ ଆର୍ଟୋନୀ ଜେନେରାଲ ଆର ଭେଙ୍କେଟରମନୀ ଓ ସଲିସିଟର ଜେନେରାଲ ତୁଷାର ମେହେତା ପକ୍ଷ ରଖୁଛନ୍ତି। ମଙ୍ଗଳବାର ସୁପ୍ରିମକୋର୍ଟରେ ପୁଣି ଏହି ମାମଲାରେ ଶୁଣାଣି ହେବ।
ମଣିପୁରରେ ମେ’ ମାସରୁ ଆରମ୍ଭ ହୋଇଥିବା କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ହିଂସାରେ ଅନେକ ଧନଜୀବନ ନଷ୍ଟ ହେଲାଣି। ଏ ଯାଏଁ ଏହି ଜାତି ଭିତ୍ତିକ ହିଂସାରେ ୧୫୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ଏହାଛଡ଼ା ଏଥିରେ ୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।
ମଣିପୁର ହିଂସା ବେଳେ କୁକି ସମୁଦାୟର ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଇବା ଘଟଣାର ଭିଡିଓ ଭାଇରାଲ ହେବା ପରେ ସମଗ୍ର ଦେଶର ମୁଣ୍ଡ ଲଜ୍ଜାରେ ତଳକୁ ନଇଁ ଯାଇଥିଲା। ଦେଶରେ ବିଭିନ୍ନ ମହଲରେ ଘଟଣାକୁ ନିନ୍ଦା କରାଯାଇଥିଲା। ଦେଶରେ ପ୍ରତିକ୍ରିୟା ପ୍ରକାଶ ପାଇବା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ଦିଆଯାଇଛି।
Tags: #ManipurViolence #ManipurViralVideo #SupremeCourt #CentralGovt