ଓଡ଼ିଶାଲାଇଭ୍ ବ୍ୟୁରୋ

ବଲିଉଡ ଅଭିନେତା ତଥା ପଟୌଦୀ ନବାବ ସୈଫ ଅଲ୍ଲୀ ଖାନଙ୍କୁ ଉପରୁ ସଙ୍କଟ ଟଳୁନି। ନିକଟରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିବା ସୈଫଙ୍କୁ ଲାଗି ଏକ ବଡ଼ ଝଟକା। ସଙ୍କଟରେ ଏବେ ସୈଫଙ୍କ ସମ୍ପତ୍ତି।
‘ଶତ୍ରୁ ସମ୍ପତ୍ତି’ ନାଁରେ ସୈଫ ହାତରୁ ୧୫ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଚାଲିଯିବାର ସମ୍ଭାବନା ମୁଣ୍ଡ ଟେକିଛି। ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଗୁରୁତର ଆହତ ହୋଇ ୫ଦିନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ଡାକ୍ତରଖାନାରୁ ଘରକୁ ଫେରିବା ପରେ ପୁଣି ଏକ ନୂଆ ସଙ୍କଟରେ ଫସି ଯାଇଛନ୍ତି ସୈଫ। ସୈଫ ଅଲ୍ଲୀ ଖାନଙ୍କ ପରିବାର ସହ ଜଡ଼ିତ ଭୋପାଳର ଶାହୀ ସମ୍ପତ୍ତିକୁ ସରକାର ନିଜ କବ୍ଜାକୁ ନେଇ ପାରନ୍ତି। ଏହି ସମ୍ପତ୍ତିର ମୂଲ୍ୟ ୧୫ ହଜାର କୋଟି ଟଙ୍କାରୁ ଊର୍ଦ୍ଧ୍ଵ ହେବ।
ମଧ୍ୟପ୍ରଦେଶର ଜବଲପୁର ହାଇକୋର୍ଟ ଏହି ସମ୍ପତ୍ତି ଉପରେ ୨୦୧୫ ମସିହରୁ ଲାଗିଥିବା ଷ୍ଟେ ଅର୍ଡରକୁ ହଟାଇ ଦେଇଛନ୍ତି। ଏହାପରେ ଏହି ସମ୍ପତ୍ତିକୁ ‘ଶତ୍ରୁ ସମ୍ପତ୍ତି’ ଅଧିନିୟମ ୧୯୬୮ରେ ସରକାର ନିଜ କବ୍ଜାକୁ ନେଇ ଯିବାର ରାସ୍ତା ସଫା ହୋଇଯିବ। ଏହି ସମସ୍ତ ସମ୍ପତ୍ତି ଭୋପାଳରେ ରହିଛି।
ହାଇକୋର୍ଟ ସୈଫ ଅଲ୍ଲୀ ଖାନ ଓ ତାଙ୍କ ପରିବାରକୁ ୩୦ ଦିନ ମଧ୍ୟରେ ଦାବି କରିବା ପାଇଁ ସମୟ ଦେଇଥିଲେ। ଏବେ ଏହି ସମୟ ଶେଷ ହୋଇଯାଇଛି। ହାଇକୋର୍ଟ ଅଭିନେତା ସୈଫ ଅଲ୍ଲୀ ଖାନ, ମା’ ଶର୍ମିଲା ଟାଗୋର, ଭଉଣୀ ସୋହା, ସବ ଅଲ୍ଲୀ ଖାନ ଓ ମନସୁର ଅଲ୍ଲୀ ଖାନ ପଟୌଦୀଙ୍କ ଭଉଣୀ ସବିହା ସୁଲତାନାଙ୍କୁ ଶତ୍ରୁ ସମ୍ପତ୍ତି ମାମଲାରେ ପକ୍ଷ ରଖିବାକୁ ଆଦେଶ ଦେଇଥିଲେ।
କେଉଁ କେଉଁ ସମ୍ପତ୍ତି ଖସିଯିବ ହାତରୁ?
୩୦ ଦିନର ସମୟ ସୀମା ଶେଷ ହୋଇଯିବା ପରେ ବି ପରିବାରର କୌଣସି ସଦସ୍ୟ ସମ୍ପପତ୍ତି ଉପରେ ନିଜର ଦାବି ରଖିଲେ ନାହିଁ। ଏପରି ସ୍ଥିତିରେ ସ୍ଥାନୀୟ ପ୍ରଶାସନ ଏହି ସମ୍ପତ୍ତିକୁ ନିଜ କବ୍ଜାକୁ ନେଇ ପାରନ୍ତି। ସରକାର ଯେଉଁ ସମ୍ପତ୍ତିକୁ ନିଜ କବ୍ଜାକୁ ନେଇ ନେବେ ତା’ ମଧ୍ୟରେ ରହିଛି ଫ୍ଲାଗ ଷ୍ଟାଫ ହାଉସ, ଲଗଜରି ହୋଟେଲ ନୁର-ଉସ-ସବା ପ୍ୟାଲେସ, ଦାସ-ଉସ-ସଲାମ, ହବୀବୀ କା ବଙ୍ଗଲା, ଅହମ୍ମଦାବାଦ ପ୍ୟାଲେସ ଏବଂ କୋହେଫିଜା ସମ୍ପତ୍ତି। ଫ୍ଲେଗ ଷ୍ଟାଫ ହାଉସରେ ସୈଫ ନିଜ ପିଲାବେଳ କଟାଇଛନ୍ତି।
ସମ୍ପତ୍ତିର ମାଲିକ କିଏ?
୧୯୪୭ ମସହା ଦେଶ ସ୍ୱାଧୀନ ହେଲା ସମୟରେ ଭୋପାଳରେ ନବାବ ହମିଦୁଲ୍ଲାହ ଖାନଙ୍କର ଶାସନ ଚାଲିଥିଲା। ତାଙ୍କର ୩ ଝିଅ ଥିଲେ। ସବୁଠାରୁ ବଡ଼ ଥିଲେ ଆବିଦା ସୁଲତାନ, ଯିଏ ୧୯୫୦ ମସିହାରେ ପାକିସ୍ତାନ ଚାଲି ଯାଇଥିଲେ। ଦ୍ଵିତୀୟ ଝିଅ ସାଜିଦା ସୁଲତାନ ଭାରତରେ ରହିଲେ ଏବଂ ସିଏ ନବାବ ଇଫ୍ତିଖାର ଅଲ୍ଲୀ ଖାନ ପଟୌଦିଙ୍କୁ ବିବାହ କଲେ। ଇଫ୍ତିଖାର ଅଲ୍ଲୀ ଖାନ ପଟୌଦି ଇଂଲଣ୍ଡ ଏବଂ ଭାରତ ପାଇଁ କ୍ରକେଟ ଖେଳୁଥିଲେ।
ଇଫ୍ତିଖାରଙ୍କ ପୁଅ ହେଲେ ମନସୁର ଅଲ୍ଲୀ ଖାନ ଟାଇଗର ପଟୌଦି। ସେ ଭାରତୀୟ କ୍ରିକେଟ ଟିମର କ୍ୟାପଟେନ ଥିଲେ। ସାଜିଦଙ୍କ ନାତି ଅର୍ଥାତ ଟାଇଗର ପଟୌଦିଙ୍କ ପୁଅ ହେଉଛନ୍ତି ସୈଫ ଅଲ୍ଲୀ ଖାନ। ତେଣୁ ସୈଫ ଭୋପାଳରେ ଥିବା ସମ୍ପତ୍ତିର ଏକ ଅଂଶ ଉତ୍ତରାଧିକାରୀ ସୂତ୍ରରେ ପାଇବେ।
ହାଇକୋର୍ଟ ଗଲେ ସୈଫ
ଭାରତ ସରକାର ନବାବ ହମିଦୁଲ୍ଲାହ ଖାନଙ୍କର ଝିଅ ସାଜିଦା ସୁଲତାନାଙ୍କୁ ଆଇନଗତ ଭାବେ ସମ୍ପତ୍ତିର ଉତ୍ତରାଧିକାରୀ ମାନିଥିଲେ। ଏବେ ରାଜ୍ୟ ସରକାର ସାଜିଦା ସୁଲତାନାଙ୍କୁ ଏହି ସମ୍ପତ୍ତିର ଉତ୍ତରାଧିକାରୀ ମାନିବାକୁ ମନା କରି ଦେଇଛନ୍ତି। ଆବିଦା ସୁଲତାନଙ୍କ ପାକିସ୍ତାନ ସ୍ଥାନାନ୍ତରକୁ ନେଇ ସରକାରଙ୍କ ପକ୍ଷରୁ ଏହି ସମ୍ପତ୍ତିକୁ ‘ଶତ୍ରୁ ସମ୍ପତ୍ତି’ ବୋଲି ଦାବି କରାଯାଇଥିଲା।
୨୦୧୪ ମସିହାରେ ‘ଶତ୍ରୁ ସମ୍ପତ୍ତି’ ବିଭାଗର କଷ୍ଟଡିୟାନ ଭୋପାଲରେ ପଟୌଦି ପରିବାରର ସମ୍ପତ୍ତିକୁ ‘ଶତ୍ରୁ ସମ୍ପତ୍ତି’ ବୋଲି ଘୋଷିତ କରିଦେଲେ। ହେଲେ ସୈଫ କଷ୍ଟଡିୟନଙ୍କ ନୋଟିସକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ୨୦୧୬ ମସିହାରେ ଏକ ଅଧ୍ୟଦେଶ ଜାରି କରାଗଲା। ଯେଉଁଥିରେ ସ୍ପଷ୍ଟ ଭାବେ ଉଲ୍ଲେଖ ଥିଲା ଯେ, ଉତ୍ତରାଧିକାରୀମାନଙ୍କର ଏହି ସମ୍ପତ୍ତିରେ କୌଣସି ଭାଗିଦାରୀ ନାହିଁ।
ଶତ୍ରୁ ସମ୍ପତ୍ତି କ’ଣ?
‘ଶତ୍ରୁ ସମ୍ପତ୍ତି’ ର ଅର୍ଥ ହେଉଛି, ଯଦି କୌଣସି ବ୍ୟକ୍ତି ଭାରତ ଛାଡ଼ି ଚାଲି ଯାଇଥିବେ ବା ଯେଉଁମାନେ ଦେଶ ବିଭାଜନ ସମୟରେ ଶତ୍ରୁ ଦେଶକୁ ଯାଇଥିବେ ତେବେ ତାଙ୍କର ସମସ୍ତ ସ୍ଥାବର ଅସ୍ଥାବର ସମ୍ପତ୍ତିକୁ ‘ଶତ୍ରୁ ସମ୍ପତ୍ତି’ ବୋଲି କୁହାଯିବ। ୧୯୬୫ରୁ ୧୯୭୧ ମସିହାରେ ପାକିସ୍ତାନ ସହ ଭାରତର ଯୁଦ୍ଧ ଲାଗିଥିଲା। ୧୯୬୨ ମସିହାରେ ଭାରତ-ଚୀନ ଯୁଦ୍ଧ ହୋଇଥିଲା। ଏହାପରେ ଭାରତ ସରକାର ଯେଉଁମାନେ ପାକିସ୍ତାନ ବା ଚୀନର ନାଗରିକତା ଗ୍ରହଣ କରି ନେଇଥିଲେ ସେମାନଙ୍କର ନାଁରେ ଥିବା ସମସ୍ତ ସମ୍ପତ୍ତି ଏବଂ ବ୍ୟବସାୟକୁ ନିଜ ଅଧୀନକୁ ନେଇ ଯାଇଥିଲେ।
ଭାରତର ପ୍ରତିରକ୍ଷା ଅଧିନିୟମ, ୧୯୬୨ ଅନୁଯାୟୀ ପ୍ରସ୍ତୁତ କରାଯାଇଥିବା ଭାରତ ପ୍ରତିରକ୍ଷା ନିୟମ ଅନୁସାରେ ଏପରି ସମ୍ପତ୍ତି ଭାରତର ଶତ୍ରୁ ସମ୍ପତ୍ତି ସଂରକ୍ଷକଙ୍କ କବ୍ଜାକୁ ଆସିଯିବ। ଭାରତ ସରକାରଙ୍କ ପକ୍ଷରୁ ଶତ୍ରୁ ସମ୍ପତ୍ତିର ପରିଚାଳନା କରିବାର ଦାୟିତ୍ୱ ଏହି କଷ୍ଟଡିୟାନମାନଙ୍କୁ ଦିଆଯାଇଛି।
୨୦୧୭ ମସିହାରେ ଏହି ନିୟମର ସଂଶୋଧନ କରାଯାଇ ଏହାକୁ ଆହୁରି ଅଧିକ ଶକ୍ତିଶାଳୀ କରି ଦିଆଗଲା। ସଂଶୋଧନରେ ଶତ୍ରୁ ବିଷୟ ଏବଂ ଶତ୍ରୁ କର୍ମର ପରିଭାଷାକୁ ବ୍ୟାପକ କରାଯାଇଛି। ଏଥିରେ ଆଗାମୀ ବଂଶଧର ଏବଂ ଆଇନଗତ ଉତ୍ତରାଧିକାରୀଙ୍କୁ ସାମିଲ କରାଯାଇଛି। ଏମାନଙ୍କ ନାଗରିକତା ଯାହା ବି ହେଉନା କାହିଁକି ଏମାନଙ୍କୁ ସାମିଲ କରାଯିବ। ଏହି ବ୍ୟବସ୍ଥା ଅନୁସାରେ, ଯଦି ଶତ୍ରୁ ବ୍ୟକ୍ତିଙ୍କ ମୃତ୍ୟୁ କିମ୍ବା ବ୍ୟବସାୟ ବନ୍ଦ ହେବା କାରଣରୁ ତାଙ୍କର ଅସ୍ତିତ୍ୱ ଶେଷ ହୋଇଯାଏ, ତେବେ ଏହି ସମ୍ପତ୍ତି ସଂରକ୍ଷକଙ୍କ ଅଧୀନକୁ ଚାଲିଯିବ। ତାଙ୍କର ଆଇନଗତ ଉତ୍ତରାଧିକାରୀ ଭାରତୀୟ ନାଗରିକ କିମ୍ବା ଅଣ-ଶତ୍ରୁ ଦେଶର ନାଗରିକ ହୁଅନ୍ତୁ, ସେଥିରେ କିଛି ଫରକ ପଡ଼ିବନାହିଁ। ଏହି ସଂଶୋଧନ ଉତ୍ତରାଧିକାର ଦାବିକୁ ପ୍ରଭାବଶାଳୀ ଢଙ୍ଗରେ ରଦ୍ଦ କରିଦେଲା ଏବଂ ଏପରି ସମ୍ପତ୍ତିଗୁଡ଼ିକ ଅନିର୍ଦ୍ଦିଷ୍ଟ କାଳ ପାଇଁ ସରରଙ୍କ ନିୟନ୍ତ୍ରଣରେ ରହିବ ବୋଲି ସ୍ପଷ୍ଟ କରାଗଲା।
Tags: #SaifAliKhan #BollywoodStar #CentralGovt #Properties #EmemyProperty