ଓଡ଼ିଶାଲାଇଭ୍ ବ୍ୟୁରୋ

  • ସଂସଦର ୫ ଦିନିଆ ସ୍ଵତନ୍ତ୍ର ଅଧିବେଶନ ଆରମ୍ଭ
  • କେନ୍ଦ୍ର ସରକାର ଆଗତ କରିବେ ୪ଟି ନୂଆ ବିଲ୍
  • ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ

ଆଜିଠୁ ଭାରତୀୟ ସଂସଦର ୫ ଦିନିଆ ସ୍ଵତନ୍ତ୍ର ଅଧିବେଶନ ଆରମ୍ଭ ହୋଇଛି। ଏଥିରେ କେନ୍ଦ୍ର ସରକାର ୪ଟି ନୂଆ ବିଲ୍ ଆଗତ କରିବାକୁ ଯୋଜନା କରିଛନ୍ତି। ସୋମବାର ପୁରୁଣା ସଂସଦ ଭବନରେ ଏହି ସ୍ଵତନ୍ତ୍ର ଅଧିବେଶନ ଚାଲିଛି।

ଅଧିବେଶନର ପ୍ରଥମ ଦିନରେ ଭାରତୀୟ ସଂସଦର ୭୫ ବର୍ଷର ଯାତ୍ରା, ଉପଲବ୍ଧି ଓ ସ୍ମୃତିକୁ ନେଇ ଚର୍ଚ୍ଚା କରାଯାଉଛି। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଅଧିବେଶନରେ ପ୍ରଥମେ ବକ୍ତବ୍ୟ ରଖିଛନ୍ତି।

ସଂସଦର ଏହି ସ୍ଵତନ୍ତ୍ର ଅଧିବେଶନରେ ଭାରତୀୟ ପୋଷ୍ଟ ଅଫିସ ବିଲ୍‌-୨୦୨୩ ଏବଂ ମୁଖ୍ୟ ନିର୍ବାଚନ କମିସନର ଏବଂ ଅନ୍ୟ ନିର୍ବାଚନ କମିସନରଙ୍କ ନିଯୁକ୍ତି ସଂକ୍ରାନ୍ତ ବିଲ୍‌ ଆଗତ ହେବ। ସେହିପରି ଆଡଭୋକେଟ୍ସ ଆମେଣ୍ଡମେଣ୍ଟ ବିଲ୍‌-୨୦୨୩ ଏବଂ ପ୍ରେସ୍‌ ଆଣ୍ଡ ରେଜିଷ୍ଟ୍ରେସନ ଅଫ ପିରିଓଡିକାଲ ବିଲ୍-୨୦୨୩ ଆଗତ ହେବାର ଯୋଜନା ରହିଛି।

ଏହି ସ୍ଵତନ୍ତ୍ର ଅଧିବେଶନରେ ଶୂନ୍ୟକାଳ ଓ ପ୍ରଶ୍ନକାଳ ରହିବନାହିଁ। ଏହା ସହିତ କୌଣସି ପ୍ରାଇଭେଟ୍‌ ବିଲ୍‌ ମଧ୍ୟ ଆଗତ ହୋଇପାରିବ ନାହିଁ। ସୋମବାର ପୁରୁଣା ସଂସଦ ଭବନରେ ଅଧିବେଶନ ଆରମ୍ଭ ହୋଇଥିବାବେଳେ ମଙ୍ଗଳବାର ଗଣେଶ ପୂଜା ଅବସରରେ ନୂଆ ସଂସଦ ଭବନରେ ଅଧିବେଶନ ଚାଲିବ।

ଏହାପୂର୍ବରୁ ରବିବାର ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳର ନେତାମାନେ ଯୋଗ ଦେଇଥିଲେ। ଏଥିରେ ବିଜେଡି ଏବଂ ବିଆରଏସ୍‌ ସମେତ ଅନ୍ୟ କେତେକ ଦଳ ମଧ୍ୟ ସଂସଦରେ ମହିଳା ସଂରକ୍ଷଣ ବିଲ୍‌ ଆଗତ ପାଇଁ ପ୍ରସ୍ତାବ ରଖିଛନ୍ତି। ସେହିପରି ଦେଶରେ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା ଓ ଜାତିଆଣ ହିଂସା ଆଦି ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ କଂଗ୍ରେସ ବୈଠକରେ ଗୁରୁତ୍ଵ ଦେଇଥିଲା।

Tags: #ParliamentofIndia #SpecialSession #CentralGovt #NewDelhi

Comment