ଓଡ଼ିଶାଲାଇଭ୍ ବ୍ୟୁରୋ

ସଂସଦର ସୁରକ୍ଷା ବ୍ୟବସ୍ଥାରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ। ଏବେ ସଂସଦ ପରିସରର ସାମଗ୍ରିକ ସୁରକ୍ଷା ଦାୟିତ୍ଵ ‘ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ୍‌ ସିକ୍ୟୁରିଟି ଫୋର୍ସ’ (ସିଆଇଏସଏଫ୍‌) ଉପରେ ରହିବ। ସିଆଇଏସଏଫକୁ ଏହି ଦାୟିତ୍ଵ ଦିଆଯିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।

ସିଆଇଏସଏଫ୍‌ ଦିଲ୍ଲୀ ପୋଲିସଠାରୁ ସଂସଦ ସୁରକ୍ଷା ଦାୟିତ୍ଵ ଗ୍ରହଣ କରିବ। ସଂସଦର ଉଭୟ ନୂଆ ଓ ପୁରୁଣା କୋଠାରେ ସୁରକ୍ଷା ଭାର ସିଆଇଏସଏଫ ଉପରେ ରହିବ। ସିଆଇଏସଏଫର ସୁରକ୍ଷକର୍ମୀ ଓ ଅଗ୍ନିଶମ ବାହିନୀ ସଂସଦ ପରିସରରେ ମୁତୟନ ହେବ। ଏଥିପାଇଁ ଆଗକୁ ସର୍ଭେ କରାଯିବ।    

ପୂର୍ବରୁ ଦିଲ୍ଲୀ ପୋଲିସ ସଂସଦର ସୁରକ୍ଷା ଦାୟିତ୍ଵ ବହନ କରିଆସୁଥିଲା। ତେବେ ଡିସେମ୍ବର ୧୩ ତାରିଖରେ ସଂସଦ ସୁରକ୍ଷା ଭଙ୍ଗ ଘଟଣା ପରେ ଏନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଏହାପରେ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ ପାଇଁ ଗୃହ ମନ୍ତ୍ରାଳୟ ପକ୍ଷରୁ ଏକ କମିଟି ଗଠନ କରାଯାଇଥିଲା।

ଏହି କମିଟି ସଂସଦର ସୁରକ୍ଷାରେ କେଉଁଠି ତ୍ରୁଟି ରହିଲା, ତାହାର ସମୀକ୍ଷା କରି ରିପୋର୍ଟ ଦେଇଥିଲା। ଏହି ରିପୋର୍ଟ ଆଧାରରେ ସିଆଇଏସଏଫକୁ ସୁରକ୍ଷା ଦାୟିତ୍ଵ ମିଳିଛି।

ସିଆଇଏସଏଫ୍‌ ହେଉଛି ଏକ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳର (ସିଏପିଏଫ) ଏକ ଅଂଶ। ‌ବର୍ତ୍ତମାନ ଏହି ସଂସ୍ଥା ଭାରତରେ ଥିବା ବିମାନବନ୍ଦର, ପରମାଣୁ ଶକ୍ତି କେନ୍ଦ୍ର, ସରକାରୀ ଶିଳ୍ପ ଓ ବଡ଼ ବଡ଼ ସରକାରୀ ଅଟ୍ଟାଳିକାର ସୁରକ୍ଷା ଦାୟିତ୍ଵ ବହନ କରୁଛି।

Tags: #Parliament #Security #CISF #HomeMinistry #NewDelhi

Comment