ଓଡ଼ିଶାଲାଇଭ୍ ବ୍ୟୁରୋ

ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଙ୍ଗଳବାର ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ଵସ୍ତି। ନିଜ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସେ କରିଥିବା ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ମନା କରଦେଇଛନ୍ତି ସୁପ୍ରିମକୋର୍ଟ।

ମଙ୍ଗଳବାର ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ସଂଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପଙ୍କର ଦତ୍ତଙ୍କ ଖଣ୍ଡପୀଠ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି କରିଥିଲେ। କେଜ୍ରିୱାଲଙ୍କ ପକ୍ଷରୁ ମୋକଦ୍ଦମା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘବୀ ମାମଲାର ଶୀଘ୍ର ଶୁଣାଣି ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ। ହେଲେ ସୁପ୍ରିମକୋର୍ଟ ଏହା କରିବାକୁ ମନା କରିଦେଇଥିଲେ।

ଅନ୍ୟପଟେ ଅରବିନ୍ଦ କେଜ୍ରିୱାଲଙ୍କ ମାମଲା ସହ ଜଡ଼ିତ ସବୁ ତଥ୍ୟ ଓ ପ୍ରମାଣକୁ ସୁପ୍ରିମକୋର୍ଟରେ ଇଡି ପକ୍ଷରୁ ଦାଖଲ କରାଯାଇଛି। ତେବେ ମଙ୍ଗଳବାର ଶୁଣାଣିବେଳେ ଏହି ମାମଲାର ଇଡି ମନ୍ଥର ଗତିକୁ ନେଇ ସୁପ୍ରିମକୋର୍ଟ ଖଣ୍ଡପୀଠ ପ୍ରଶ୍ନ କରିଥିଲେ। ମାମଲାର ପରବର୍ତ୍ତୀ ଶୁଣାଣି ନେଇ ସୁପ୍ରିମକୋର୍ଟ ଆଗକୁ ତାରିଖ ଧାର୍ଯ୍ୟ କରିବେ।

ଅନ୍ୟପଟେ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତକୁ ମେ ୨୦ ତାରିଖ ପର୍ଯ୍ୟନ୍ତ ବଢ଼ାଇଛନ୍ତି।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହେବା ପରେ ତାହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ଆବେଦନ କରିଥିଲେ ଅରବିନ୍ଦ କେଜ୍ରିୱାଲ। ଏପ୍ରିଲ ୯ ତାରିଖରେ ଏହି ଆବେଦନକୁ ଖାରଜ କରିବା ସହ କେଜ୍ରିୱାଲଙ୍କ ଗିରଫଦାରୀ ବୈଧ ବୋଲି ଦିଲ୍ଲୀ ହାଇକୋର୍ଟ ନିଜ ରାୟ ଶୁଣାଇଥିଲେ। ଏହାର ବିରୋଧରେ କେଜ୍ରିୱାଲ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ।

ଏହି ମାମଲାରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖ ରାତିରେ ଇଡି ପକ୍ଷରୁ ଗିରଫ କରାଯାଇଥିଲା। ଏହାପରେ ଇଡି ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। କେଜ୍ରିୱାଲଙ୍କ ଇଡି ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ୧୫ ଦିନ ପାଇଁ ନ୍ୟାୟିକ ହେଫାଜତକୁ ପଠାଇଥିଲେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ସାମିଲ ରହିଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଇଡି ତାଙ୍କୁ ପଚରାଉଚରା ପାଇଁ ୯ ଥର ସମନ କରିଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ଯାଞ୍ଚରେ ସେ ସହଯୋଗ କରୁନଥିବା ଇଡି ପକ୍ଷରୁ କୁହାଯାଇଥିଲା।  

Tags: #ArvindKejriwal #CMofDelhi #LiquorScam #SupremeCourt #ED #NewDelhi

LEAVE A REPLY

Please enter your comment!
Please enter your name here