ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀଗଣେଶ ଚତୁର୍ଥୀ ଆବସରରେ ଭାରତର ନୂତନ ସଂସଦ ଭବନରେ ଆରମ୍ଭ ହୋଇଛି ସ୍ଵତନ୍ତ୍ର ଅଧିବେଶନ। ନୂଆ ସଂସଦ ଭବନର ଶ୍ରୀଗଣେଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉଦବୋଧନ ଦେଇ ଏହି ମୁହୂର୍ତ୍ତ ଇତିହାସରେ ଲିପିବଦ୍ଧ ହୋଇ ରହିବ ବୋଲି କହିଥିଲେ।

ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଯେ, ନୂଆ ସଂସଦ ଭବନ ହେଉଛି ୧୪୦ କୋଟି ଭାରତୀୟଙ୍କ ଆଶାର ପ୍ରତୀକ। ନୂଆ ସଂସଦ ଭବନରେ ଦେଶର ନୂଆ ଭବିଷ୍ୟତ ପରିକଳ୍ପନା କରାଯିବ।

ନୂଆ ସଂସଦ ଭବନର ଉଭୟ ଲୋକସଭା ଏବଂ ରାଜ୍ୟସଭାରେ ମଙ୍ଗଳବାର ଦିନ କାର୍ଯ୍ୟ ଆରମ୍ଭ ହୋଇଥିଲା। ଲୋକସଭାରେ ବାଚସ୍ପତି ଓମ ବିର୍ଲା ଏବଂ ରାଜ୍ୟସଭାରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସମସ୍ତ ସଦସ୍ୟଙ୍କୁ ସ୍ଵାଗତ କରିଥିଲେ।

ପୁରୁଣା ସଂସଦ ଭବନକୁ ବିଦାୟ ଦେବା ପୂର୍ବରୁ ଏହାର ସେଣ୍ଟ୍ରାଲ ହଲରେ ଏକ ସମାରୋହ ଆୟୋଜନ କରାଯାଇଥିଲା। ଏଥିରେ ଉଭୟ ଲୋକସଭା ଓ ରାଜ୍ୟସଭାର ସବୁ ସାଂସଦ ଯୋଗଦେଇଥିଲେ। ଏଠାରେ ସବୁ ସାଂସଦଙ୍କୁ ନେଇ ଫଟୋ ସେସନ ହୋଇଥିଲା।

ପୁରୁଣା ସଂସଦ ଭବନରେ ପ୍ରଧାନମନ୍ତ୍ରୀ ନିଜ ଉଦବୋଧନରେ କହିଥିଲେ ଯେ, “ଭାରତ ବର୍ତ୍ତମାନ ବିଶ୍ଵମିତ୍ର ଭାବେ ଆଗକୁ ବଢ଼ୁଛି। ବିକଶିତ ଭାରତର ପୂରଣ କରିବା ପାଇଁ ପୁରୁଣା ତିକ୍ତତାକୁ ଭୁଲି ଆଗକୁ ବଢ଼ିବାର ସମୟ ଆସିଛି।”

ନୂତନ ସଂସଦ ଭବନକୁ ଯିବା ପୂର୍ବରୁ ସେଣ୍ଟ୍ରାଲ ହଲରେ ଅନେକ ଐତିହାସିକ ସ୍ମୃତିକୁ ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏହା ପରେ ପ୍ରଧାନମନ୍ତ୍ରୀ ସମସ୍ତ ସାଂସଦଙ୍କ ସହ ଫଟୋ ଉଠାଇଥିଲେ।

Tags: #NewParliamentBuilding #SpecialSession #OldParliament #India

Comment