ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଅବକାରୀ ଦୁର୍ନୀତି ମାମଲାରେ ତାଙ୍କର ନ୍ୟାୟିକ ହେପାଜତ ଜୁଲାଇ ୩ ତାରିଖ ଯାଏଁ ବୃଦ୍ଧି ପାଇଛି। ଏନେଇ ବୁଧବାର ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ରାୟ ଶୁଣାଇଛନ୍ତି।

ରାଉଜ୍ ଆଭେନ୍ୟୁ କୋର୍ଟ ବୁଧବାର ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲରେ ଥିବା ଅରବିନ୍ଦ କେଜ୍ରିୱାଲ ଜାମିନ ଆବେଦନର ଶୁଣାଣି କରିଥିଲେ। ପରେ କୋର୍ଟ ଜାମିନ ଆବେଦନ ଖାରଜ କରିଦେଇଥିଲେ।

ତେବେ କେଜ୍ରିୱାଲଙ୍କ ଓକିଲ କୋର୍ଟରେ ଇଡି ପକ୍ଷରୁ କରାଯାଇଥିବା ନ୍ୟାୟିକ ହେପାଜତ ବଢ଼ାଇବା ଆବେଦନକୁ ବିରୋଧ କରିଥିଲେ। ହେଲେ କୋର୍ଟ ତାଙ୍କ ନ୍ୟାୟିକ ହେପାଜତକୁ ବଢ଼ାଇଥିଲେ। ଏବେ ଜୁଲାଇ ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ମାର୍ଚ୍ଚ ୨୧ ତାରିଖ ରାତିରେ ଇଡି ପକ୍ଷରୁ ଗିରଫ କରାଯାଇଥିଲା। ଏହାପରେ ଇଡି ତାଙ୍କୁ ରିମାଣ୍ଡରେ ନେଇ ପଚରାଉଚରା କରିଥିଲା। କେଜ୍ରିୱାଲଙ୍କ ଇଡି ରିମାଣ୍ଡ ଅବଧି ସରିବା ପରେ ତାଙ୍କୁ ନ୍ୟାୟିକ ହେଫାଜତକୁ ପଠାଇଥିଲେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ।

ତେବେ ନିଜ ଗିରଫଦାରୀ ବିରୋଧରେ କେଜ୍ରିୱାଲ ସେତେବେଳେ ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ, ଯାହା ଖାରଜ ହୋଇଥିଲା। ପରେ ମେ’ ୧୦ ତାରିଖରେ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ଦେଇଥିଲେ। ଜୁନ ୨ ତାରିଖରେ ତାଙ୍କର ଜାମିନ ଅବଧି ସରିବାପରେ ସେ ପୁଣି ଜେଲ ଯାଇଥିଲେ।

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲ ସାମିଲ ଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଇଡି ତାଙ୍କୁ ପଚରାଉଚରା ପାଇଁ ୯ ଥର ସମନ କରିଥିଲେ ମଧ୍ୟ ସେ ହାଜର ହୋଇନଥିଲେ। ଯାଞ୍ଚରେ ସେ ସହଯୋଗ କରୁନଥିବା ଇଡି ପକ୍ଷରୁ କୁହାଯାଇଥିଲା।

Tags: #ArvindKejriwal #CMofDelhi #LiquorScam #SupremeCourt #ED #NewDelhi

LEAVE A REPLY

Please enter your comment!
Please enter your name here